Unknown

 

 

 

 

 

 

 

 

 

ଛାୟା ସଙ୍ଗିନୀ

ବଂଶୀଧର ଭୂୟାଁ

 

 

 

 

 

 

 

ଏ ଉପନ୍ୟାସ ସମସ୍ତ ଚରିତ୍ର ଓ ସ୍ଥାନ କାଳ୍ପନିକ ।

କୌଣସି ବ୍ୟକ୍ତିବିଶେଷ ଉପନ୍ୟାସ ବର୍ଣ୍ଣିତ ଚରିତ୍ର ସହିତ

ନିଜର ସାମଞ୍ଜସ୍ୟ ଦେଖିଲେ ତାହା ନିହାତି ଆକସ୍ମିକ ବୋଲି ଧରିବାକୁ ହେବ ।

Image

 

ବ୍ରହ୍ମପୁର ସହର । ଜନଗହଳି ରାଜପଥ ଉପରେ ଝଟକାଟିଏ ପଡ଼ୁଛି ସ୍ୱାଭାବିକ ଗତିରେ-। କିଛିଦୂର ପାଇଁ ବଡ଼ବଜାରର ଏକ ସୁଦୃଶ୍ୟ ଦୋମହଲ କୋଠା ଆଗରେ ଝଟକାଟି ହଠାତ୍ ଛିଡ଼ା ହୋଇଗଲା । ଭିତରୁ ବାହାରି ଆସିଲା ଜଣେ ଆଧୁନିକ ଶୋଭନା ତରୁଣୀ । ପରିଧାନ ବେଶ୍‍ ସାଦାସିଧା ଓ ମାର୍ଜିତ । ହାତରେ ଧରିଥିବା ଛୋଟ ଭ୍ୟାନିଟି ବ୍ୟାଗଟି ଭିତରୁ ପଇସା ବାହାର କରି ଭଡ଼ା ଚୁକ୍ତି କରି ଦେଲା । ତାପରେ ସୁଦୃଶ୍ୟ କୋଠା ସମ୍ମୁଖସ୍ଥ ବିରାଟ ସାଇନ୍ ବୋର୍ଡଟି ଉପରେ ଥରେ ଦୃଷ୍ଟିପାତ କରି ଫାଟକ ଭିତରକୁ ପଶିଗଲା ।

 

ପ୍ରଶସ୍ତ ବାରଣ୍ଡାର ଶେଷଭାଗରେ ୱେଟିଙ୍ଗ୍‍ ରୁମ୍ । ତା’ ପାଖକୁ ଲାଗି ଯେଉଁ ରୁମଟି, ତା’ ଆଗରେ କଟେଜ୍ ଇଣ୍ଡଷ୍ଟ୍ରିଜ୍ ତିଆରି ରଙ୍ଗିନ୍ ପରଦାଟିଏ ଝୁଲୁଛି । କାନ୍ଥରେ ଲାଗିଥିବା ପିତ୍ତଳ ନେମ୍‍ପ୍ଲେଟରେ ଲେଖା ହେଇଚି-ଆର୍‍. କେ. ମହାନ୍ତି, ପ୍ରୋପ୍ରାଇଟର, ଶିଳ୍ପଶ୍ରୀ ଏଣ୍ଡ କୋ: । ବାରଣ୍ଡା ଅତିକ୍ରମ କରି ସୁନ୍ଦରୀ ତରୁଣୀଟି ବୈଠକ ରୁମ୍ ଉଦ୍ଦେଶ୍ୟରେ ଆଗେଇ ଯିବାବେଳେ ଚପରାସିଟି ଆଗକୁ ଆସି ପ୍ରଶ୍ନବାଚକ ଦୃଷ୍ଟିରେ ଅନେଇ ରହିଲା ।

 

ବାବୁ ଅଛନ୍ତି ?

 

ହଁ, ଆଉ ଜଣେ ବାବୁଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି । ଅପେକ୍ଷା କରନ୍ତୁ ! କହି ବୈଠକ ରୁମ୍‍ଆଡ଼େ ଅଙ୍ଗୁଳି ନିର୍ଦ୍ଦେଶ କଲା ଚପରାସି । ତରୁଣୀ କିଛି ନ କହି ଭ୍ୟାନିଟି ବ୍ୟାଗରୁ କାଗଜଟିଏ ବାହାର କରି ଫାଉଣ୍ଟେନ୍ ପେନ୍ ଖୋଲୁଚି, ଚପରାସି ଅସ୍ୱସ୍ତି ପ୍ରକାଶ କରି କହିଲା ତମେ ବସ, ମୁଁ ନେଇ ଆସିବି । ବାବୁଙ୍କର ହୁକୁମ୍, ବିପିନବାବୁ ଥିଲାବେଳେ ଅନ୍ୟକେହି ଦେଖା କରି ପାରିବେ ନାହିଁ ।

 

ଏଇ ମୋର ସଇଲା–କହି ତରୁଣୀଟି ଲେଖା ଆରମ୍ଭ କଲା । ଏତିକିବେଳେ ରୁମ୍ ଭିତରେ ଚାଲିଥିବା ଅସ୍ପଷ୍ଟ କଥୋପକଥନ ଅପେକ୍ଷାକୃତ ସ୍ପଷ୍ଟ ହେଇ ଉଠିଲା ।

 

ତମେ ଏପରି ବାରମ୍ବାର ବିରକ୍ତ କଲେ ବିପିନ୍, ମୁଁ ନାଚାର ।

ଆପଣଙ୍କ ମତଲବ୍‍ ମୁଁ ବେଶ୍ ବୁଝିପାରୁଚି ।

 

ପାରୁଚ ତ ମତେ ବିରକ୍ତ କାହିଁକି କରୁଚ ? ତମେ ଜାଣନା ମୋର ଶେଷ ସମ୍ବଳ ଚାଲିଯାଇଚି ।

 

ମୋ ସାଙ୍ଗରେ ଚାଲ୍ ଖେଳିବା ମାନେ ପରିଣତି କ’ଣ ଜାଣନ୍ତି ରଜନୀ ବାବୁ ?

ଯା, ଯା କରୁଚ କର । ଖୁବ୍ ଧମକ ଦେଖିଛି । ଯାଅ ବାହାରି । ଯାଅ ମୋ ଆଗରୁ ।

ଆଚ୍ଛା !

 

ଚପରାସିଟି ପରଦା ପାଖରେ ଉତ୍‍କର୍ଣ୍ଣ ହେଇ ଶୁଣୁଥିବାବେଳେ ତରୁଣୀଟିର ଉପସ୍ଥିତିକୁ ପ୍ରାୟ ଭୁଲି ଯାଇଥିଲା । ବାବୁଙ୍କର କର୍କଶ ଗଳା ଓ ଚେୟାର ଶବ୍ଦରେ ଅଧୈର୍ଯ୍ୟ ହୋଇଉଠି ତରୁଣୀଟିକୁ ଏକପ୍ରକାର ଠେଲି ଦେଇ କହିଲା, ମା’ ଯାନ୍ତୁ, ସେ ଆସୁଚନ୍ତି ।

 

ଆଚ୍ଛା ନେ–ଇଣ୍ଟରଭିଉ ସ୍ଲିପ୍‍ଟି ତରବରରେ ଧରେଇ ଦେଇ ତରୁଣୀଟି ବୈଠକ ରୁମରେ ଆସି ବସିଲା । ତାପରେ ସେ ଦେଖିଲା ଲମ୍ବା ଶରୀର ବିଶିଷ୍ଟ ପ୍ରୌଢ଼ ଭଦ୍ରଲୋକଟିଏ କ୍ଷୁଣ୍ଣ ମନରେ ରୁମ୍ ଭିତରୁ ବାହାରି କ୍ଷିପ୍ର ଗତିରେ ପାହାଚରେ ଓହ୍ଲାଇ ଯାଉଛନ୍ତି । ଚପରାସିଟି ଆଶ୍ଚର୍ଯ୍ୟରେ ତାଙ୍କ ଗତି ନିରୀକ୍ଷଣ କରୁଥିବାବେଳେ କଲିଂ ବେଲ୍ ବାଜି ଉଠିବାରୁ ଚମକି ପଡ଼ି ଭିତରକୁ ଛୁଟିଲା । କିଛିକ୍ଷଣ ପରେ ବାହାରି ଆସି ବୈଠକ ରୁମକୁ ଆସିବାରୁ ତରୁଣୀଟି ପଚାରିଲା, ମତେ ଡାକୁଛନ୍ତି ?

 

ନା, ସ୍ଲିପ୍ ଦେଇ ଆସିଛି ! ତାପରେ ଅଫିସ ଆଡ଼େ ଯାଇଁ କାଗଜପତ୍ର ଦେଇ ଆସି କହିଲା, ବାବୁଙ୍କ ମନ ଭଲନାହିଁ । ତମେ କାହିଁକି ଆସିଚ ମା !

 

ପୁଣି ରିଙ୍ଗ୍ ହେଲା । ସେ ଭିତରକୁ ଯାଇଁ ମିନିଟକ ପରେ ବାହାରି ଆସି କହିଲା, ଆସ ମା, ବାବୁ ଡାକୁଚନ୍ତି ।

 

ଲୁଗାପଟା ଟିକେ ବାଗେଇ ନେଇ ଦର୍ଶନପ୍ରାର୍ଥିନୀ ତରୁଣୀଟି ପ୍ରୋପ୍ରାଇଟରଙ୍କ ଚେମ୍ୱର ଭିତରକୁ ପଶିଗଲା । ଶିଳ୍ପଶ୍ରୀ ଏଣ୍ଡ କୋ:ର ମାଲିକ ରଜନୀବାବୁ ଫାଇଲ ଉପରେ ମୁହଁ ରଖି କ’ଣ ଲେଖୁଥାନ୍ତି । ଘର ଭିତରର ଆଲୋକ ଛାୟାରେ ପରିବର୍ତ୍ତନ ଲକ୍ଷ୍ୟ କରି ଯେମିତି ମୁହଁ ଟେକିଲେ ସେ ଦେଖିଲେ ଧଳା ଶାଢ଼ୀ ପରିବୃତ୍ତା ଶୀର୍ଣ୍ଣ ତରୁଣୀଟିଏ ଯୁକ୍ତ କରପୁଟରେ ନମସ୍କାର କରୁଚି । ମୁହଁର ଅଭିବ୍ୟକ୍ତିରେ ବେଶି ସଲ୍ଲଜ ପ୍ରସନ୍ନତା । ସେ ତା ମୁହଁ ଉପରୁ ଦୃଷ୍ଟି ଫେରାଇ ଆଣି ପାରିଲେନି । ଏ ମୁହଁ ସହିତ ଯେପରି ସେ ଖୁବ୍ ପରିଚିତ । କ୍ରମବର୍ଦ୍ଧିଷ୍ଣୁ ଚେହେରାର ପରିବର୍ଦ୍ଧନଶୀଳତ ଯାହା ପରିବର୍ତ୍ତନ ସୃଷ୍ଟି କରିଛି ମୁହଁର ମସୃଣ ତ୍ୱକରେ । ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ଓଷ୍ଠ ତଳ ତିଳ ଚିହ୍ନଟି ମଧ୍ୟ ଅସ୍ୱୀକାର କରେ ଯେ ଏ ସେ ନୁହଁ । ମୁହୂର୍ତ୍ତକର ସ୍ମୃତି-ବୁଦ୍‍ବୁଦ୍‍ଟି ବିସ୍ମୃତି ସାଗରରେ ବିଲୀନ ହୋଇଗଲା । ରଜନୀ ବାବୁ ଦଣ୍ଡାୟମାନା ତରୁଣୀଟିର ଆନୀତ ଦୃଷ୍ଟି ଉପରୁ ଦୃଷ୍ଟି ଫେରାଇ ନମ୍ର ଗଳାରେ କହିଲେ, ବସ ।

 

ଟେବୁଲ ସଂଲଗ୍ନ ଚେୟାରଟିରେ ନିସଂକୋଚରେ ତରୁଣୀଟି ବସିଲା ।

ତମେ ଦରଖାସ୍ତ ଦେଇଚ ? ରଜନୀବାବୁ ପଚାରିଲେ ।

ଆଜ୍ଞା !

ତମ ନାଁ ?

ମିସ୍ ମଣିବାଲା ଘୋଷ !

 

ହୁଁ ! କ୍ଷଣିକ ନୀରବତା ପରେ ପୁଣି ପଚାରିଲେ, କିନ୍ତୁ ଗୋଟିଏ ଟାଇପିଷ୍ଟ ଥାଉଁ ଥାଉଁ ଆଉ ଗୋଟିଏ ନିଯୁକ୍ତି କରିବା ମୋର ଉଦ୍ଦେଶ୍ୟ ନୁହେଁ । କେବଳ.....

 

ଏତିକିବେଳେ ଟେଲିଫୋନ ରିଙ୍ଗ୍ ହେବାରୁ ସେ କଥା ବନ୍ଦ କରି ରିସିଭର ଧଇଲେ, ହାଲୋ ! ଓ ମି. ପାତ୍ର ! ହଁ ସେ ଆସିଚନ୍ତି । କିନ୍ତୁ ଦିଓଟି ଟାଇପିଷ୍ଟ୍ ରଖିବା ମୋର ଦରକାର ବା କ’ଣ ?.......ଆଚ୍ଛା ! ଆପଣଙ୍କ ଅନୁରୋଧ ତ ଏଡ଼ି ହବନି । ହଁ ତା ନିଶ୍ଚୟ ! ରିଫ୍ୟୁଜି ସମସ୍ୟା ଗୋଟାଏ ବଡ଼ ସମସ୍ୟା ଦେଶରେ ।

 

ସେ କିଛିକ୍ଷଣ ଶୁଣି ପୁଣି କହିଲେ, ପୋଲିସ ସାହେବ ଏ ବିଷୟରେ ବିଶେଷ କିଛି କରିପାରିବେ ନାହିଁ ବୋଲି ପ୍ରକାରାନ୍ତରେ କହିଲେ । କୌଣସି ପ୍ରମାଣ ନ ପାଇଲେ.... ହଁ, ସେମାନେ ସତର୍କ ଦୃଷ୍ଟି ରଖିବେ । କିଛି ଅଳ୍ପ ଟଙ୍କା ନୁହେଁ ପାତ୍ର ବାବୁ ! କଲିକତା ଜୁଟ୍ ମାର୍କେଟରେ ଯେପରି ଅକାଳ ପଡ଼ିଚି ମୋର ଏ ପାଣ୍ଠିଟା ଗୋଟାଏ ମୋଟା ରକମ ଆଣିଥାଆନ୍ତା । ଫସଲ ପୂର୍ବରୁ ନଳିତା ଚାଷୀଙ୍କୁ ହାତ କରିବା ମୋ ଉଦ୍ଦେଶ୍ୟ ଥିଲା– ଛାଡ଼ନ୍ତୁ, ସେ ସବୁ ଭାଗ୍ୟ କଥା– ହଁ ନମସ୍କାର.... କ’ଣ କହିଲେ ? ଆଚ୍ଛା ! ଆଚ୍ଛା ! ପରମୂହୁର୍ତ୍ତରେ ଫୋନରୁ ମୁହଁଟେକି କହିଲେ, ମିସ୍ ମଣିବାଲା ! ତମକୁ ମି. ପାତ୍ର ଫୋନରେ ଡାକୁଛନ୍ତି...... ମିଷ୍ଟର ଅଜୟଚନ୍ଦ୍ର ପାତ୍ର, ପାତ୍ର ମେଟର୍ସଙ୍କ ପୁଅ ।

 

ମଣିବାଲା ସନ୍ତର୍ପଣରେ ଉଠି ରିସିଭରଟି ଧରି କହିଲା, ହାଲୋ ! ହଁ...... ଆପଣଙ୍କ ପାଖରୁ ଆସି ସିଧା ଏଠିକି ଆସିଲି । ବାବୁଙ୍କ ସହିତ ଦେଖାହେଲା......ହଉ ଆପଣଙ୍କ ଦୟା....ଆପଣ ସାହାଯ୍ୟ ନ କରିଥିଲେ.... ଆପଣଙ୍କ କଥା ଯଦି ସତ ହୁଏ ମତେ ଗୋପାଳପୁର ଯିବାକୁ ହବ । ମୋର ସବୁ ବ୍ୟବହାର୍ଯ୍ୟ ଜିନିଷ ରିଫ୍ୟୁଜି କ୍ୟାମ୍ପରେ ଅଛି । ଏଁ ଆପଣ ଆସିବେ ? ହଉ ଧନ୍ୟବାଦ । ମଣିବାଲା ଫୋନ ରଖିଦେଇ ଚେୟାରରେ ଯାଇ ବସିଲା ।

 

ପାତ୍ରବାବୁଙ୍କ ସହିତ ତମର କିପରି ପରିଚୟ ହେଲା ?

ଗୋପାଳପୁର ଆଶ୍ରୟପ୍ରାର୍ଥୀ କ୍ୟାମ୍ପରେ ।

ତମେ ଯେପରି ଓଡ଼ିଆ କହିପାରୁଚ, ମୋର ମନେହୁଏ ତମେ ଖାଣ୍ଟି ଓଡ଼ିଆ ।

 

ମୋର ଅନେକ ବନ୍ଧୁ ସେଇଆ ଭାବନ୍ତି । ଅମର୍ଦା କ୍ୟାମ୍ପରେ ଥିଲାବେଳେ ମୁଁ ଓଡ଼ିଆ ପଢ଼ିଥିଲି ! ମୁଁ ପ୍ରାୟ ଓଡ଼ିଆ ବନ୍ଧୁମାନଙ୍କ ସହିତ ବେଶୀ ସମୟ କଟାଏ ।

 

ଏ ଦେଶରେ ରହିଲେ ଏ ଦେଶର ଶିକ୍ଷା ସଂସ୍କୃତିକୁ ଆୟତ୍ତ କରିବାକୁ ହେବ । ତମେ ସେ ସବୁ ପାରିବ ଶୁଣି ଖୁସି ହେଲି । ପୂର୍ବ ପାକିସ୍ଥାନରେ କେଉଁ ଜିଲ୍ଲାରେ ତମ ଘର ?

 

ଢାକା ସହରରେ ଆମ ଘର ଥିଲା । ହିନ୍ଦୁ ମୁସଲମାନ ସଂଘର୍ଷବେଳୁ ଆମେ ଦେଶ ଛାଡ଼ିଛୁ ।

 

ଓଃ, କି ନୃଶଂସ ସେ ଦୃଶ୍ୟ । ସେ ସବୁଥିରେ ମୋର ଚାକ୍ଷୁଷ ଅନୁଭୂତି ରହିଚି.....ସେଥିପାଇଁ ଆଶ୍ରୟପ୍ରାର୍ଥୀଙ୍କ ପ୍ରତି ମୋର ସମବେଦନା ସବୁବେଳେ ଥାଏ । ତମେ ରିଫ୍ୟୁଜି ନ ହୋଇ ଥିଲେ ଅଧିକା ଟାଇପିଷ୍ଟ୍‍ଟିଏ ନିଯୁକ୍ତି ବିଷୟରେ ମୁଁ ଆଦୌ ମୁଣ୍ଡ ଖେଳେଇ ନ ଥାନ୍ତି ।

 

ଦେଶର ଗଣ୍ୟମାନ୍ୟ ବ୍ୟକ୍ତି ଆପଣମାନେ । ଅରକ୍ଷିତ, ନିରାଶ୍ରୟମାନଙ୍କୁ ଆପଣମାନେ ସାହାଯ୍ୟ ନ କଲେ କିଏ କରିବ ? ସବୁ କ୍ଷେତ୍ରରେ ସରକାର କେବଳ ସାହାଯ୍ୟ କରିବେ ବୋଲି ଅନାଇଁ ରହିଲେ କ’ଣ ଦେଶ ଚଳିପାରେ ? ଏହାବ୍ୟତୀତ ଆପଣମାନଙ୍କ ପରି ମହତ୍ ବ୍ୟକ୍ତିଙ୍କର ସାହାଯ୍ୟ ସହାନୁଭୂତି ଯଥେଷ୍ଟ ମୂଲ୍ୟବାନ । ରିଫ୍ୟୁଜି ଆସୋସିଏସନର ସମ୍ପାଦିକା ଥାଇ ଯେଉଁ ଜଘନ୍ୟ ବ୍ୟବହାର ମୁଁ ପାଇଚି, ଆମର ଏ ଦୁର୍ଦ୍ଦିନରେ ସେ ସବୁ କହିବାର ନୁହେଁ ଆଜ୍ଞା ! ଆଜି ପ୍ରତ୍ୟେକ ରିଫ୍ୟୁଜି ନିଜ ନିଜର ସଂସ୍ଥା ନ ଦେଖିଲେ, ନିଜ ଗୋଡ଼ରେ ନିଜେ ଛିଡ଼ା ନ ହେଲେ, ପଶୁ ପରି ମରିବାହିଁ ସାର ହେବ.....

 

ତରୁଣୀଟି ଆଖିରୁ ଲୁହ ପୋଛି କ’ଣ କହିବାକୁ ଯାଉଥିଲା, ରଜନୀବାବୁ ଆଶ୍ୱାସନାବାଣୀ ଶୁଣେଇ କହିଲେ, ହଉ ମିସ୍ ମଣି, ତମେ ଅନ୍ୟପାଇଁ ଯେ ଭାବି ପାରୁଚ ଏତିକି ଯଥେଷ୍ଟ ! ତମର ନିଯୁକ୍ତି ହେଲା । କାଲିଠାରୁ ମୋ ପାଖ ରୁମରେ ତମ ସିଟ୍ କରି ଦିଆଯିବ ।

 

ଆଜ୍ଞା... ! କୃତଜ୍ଞତାରେ ମଣିବାଲା ରଜନୀ ବାବୁଙ୍କୁ ଅନେଇଥିବାବେଳେ ରଜନୀବାବୁ ପୁଣି କହିଲେ, ଉପର ମହଲାରେ ତମର ରହିବାର ବନ୍ଦୋବସ୍ତ ମଧ୍ୟ କରି ଦେଉଚି ।

 

ଟେଷ୍ଟ କେବେ ନେବେ ? ଅନ୍ତତଃ ମୋର ସ୍ପିଡ୍‍ଟା ତ ଦେଖିବେ । ସେ ସବୁ ଦରକାର ନାହିଁ, ଟାଇପ୍ ହେଲେ ହେଲା.....

 

ମୁଁ ତେବେ କାଲିଠୁ ଆସୁଚି !

 

ହଁ ଯାଅ...ହଁ ନମସ୍କାର.....। ତା ପରେ ସେ ଫୋନ ଉଠେଇ ଡାକିଲେ, ହାଲୋ ! ପୋଲିସ ଅଫିସ୍ ପ୍ଲିଜ୍ !

 

ମିସ୍ ମଣିବାଲା ରଜନୀ ବାବୁଙ୍କ ଚେମ୍ବର ଭିତରୁ ବାହାରି ଆସି ରାଜପଥର ଜନଗହଳି ଭିତରେ ଲୀନ ହୋଇଗଲା । କିନ୍ତୁ ତା ଅଲକ୍ଷ୍ୟରେ ଜଣେ ଲୋକ ଯେ ତା ପଛ ଧରିଚି, ତାହା ସେ ଧାରଣା ବି କରିପାରିନି । ସେ ହେଉଚି ରଜନୀ ବାବୁଙ୍କ ନବନିଯୁକ୍ତ ଘରୋଇ ଗୁଇନ୍ଦା ଅବିନାଶ ମାନସିଂ ।

 

ଆଜି ଦଶଟାରେ ଅବିନାଶ ମାନସିଂ ପୋଲିସ୍ ସାହେବଙ୍କ ପାଖକୁ ଯାଇଥିଲା । ରଜନୀ ବାବୁଙ୍କ ପଚାଶ ହଜାର ଟଙ୍କା ହରଣଚାଳ ସଂକ୍ରାନ୍ତରେ ପୋଲିସ ଯେଉଁ ତଦନ୍ତ ରିପୋର୍ଟ ତିଆରି କରିଛନ୍ତି, ତାକୁ ପଢ଼ି ସେ ବେଶ୍‍ ଅନୁମାନ କରି ନେଇପାରିଲା ଯେ ବହୁଦିନ ଧରି ଗୋଟାଏ ଦଳ ରଜନୀବାବୁଙ୍କ ପଛରେ ଲାଗିଛନ୍ତି । କଲିକତା ସେଣ୍ଟ୍ରାଲ ବ୍ୟାଙ୍କରୁ ଟଙ୍କା ଉଠେଇ ମେଲ୍‍ରେ ବ୍ରହ୍ମପୁର ଫେରୁଥିବାବେଳେ ବାଲୁଗାଁ ପାଖାପାଖି ଏକ ସ୍ଥାନରେ ସବୁ ଲୁଟ୍ ହୋଇଗଲା । ମେଲ ହଠାତ୍ ଛିଡ଼ା ହୋଇଯିବାରୁ ଗାର୍ଡ ସାହେବ ଆସି ଦେଖିଲେ ରଜନୀବାବୁ କମ୍ପାଟମେଣ୍ଟରେ ଅଚେତ ହୋଇପଡ଼ିଛନ୍ତି । ପରବର୍ତ୍ତୀ ଷ୍ଟେସନରେ ଚେତା ହେବା ପରେ ତାଙ୍କ ମୁହଁରୁ ଜଣାଗଲା ଯେ ତାଙ୍କର ଟଙ୍କା ଚୋରି ହୋଇଯାଇଚି । ଦସ୍ୟୁ ଚେନ୍ ଟାଣି ପଳେଇଚି । ସେଇ ରାତି ଶେଷ ପ୍ରହରରେ ଛତ୍ରପୁର ପୋଲିସ୍ ଇନ୍‍ସପେକ୍ଟର ଟ୍ରଙ୍କରୋଡ଼ରେ କାରରେ ଆସୁଆସୁ ବାଲୁଗାଁ ପରେ ଗୋଟିଏ କାର ଭେଟିଥିଲେ । ସେଥିରେ ବ୍ରହ୍ମପୁରର ବିଶିଷ୍ଟ ବ୍ୟବସାୟୀ ଅଜୟଚନ୍ଦ୍ର ପାତ୍ର ଓ ତାଙ୍କ ସ୍ତ୍ରୀ ଥିଲେ-। ସସ୍ତ୍ରୀକ ସେ କଟକରୁ ଫେରୁଥିଲେ । ତା ଛଡ଼ା ଆଉ କୌଣସି ଲୋକ ବା କାର ପୋଲିସ ଭେଟି ନାହାନ୍ତି । ସାଧ୍ୟମତେ ତଦନ୍ତ କରି ଡକାୟତ ଦଳର କୌଣସି ପ୍ରକାର ପ୍ରମାଣ ନ ପାଇବାରୁ ପୋଲିସ୍ ଏ ବିଷୟରେ ଉତ୍ସାହ ନେଲେ ନାହିଁ । କିନ୍ତୁ ଏତିକିରେ ଡକାୟତ ଦଳର ଦୌରାତ୍ମ୍ୟ ବନ୍ଦ ହେଲା ନାହିଁ । ଘଟଣାର କିଛିଦିନ ପରେ ରଜନୀବାବୁଙ୍କ ନାଁରେ ଧମକ ପୂର୍ଣ୍ଣ ଚିଠି ଆସିବାକୁ ଲାଗିଲା ।

 

ସେ ଆତଙ୍କିତ ହୋଇ ଉଠିଲେ । ଏ ବିପଦରୁ ରକ୍ଷା ପାଇବା ପାଇଁ ସେ ଏକ ଘୋଷଣା କଲେ ଯେ- ତାଙ୍କ ଆତତାୟୀକୁ ଧରିପାରିବା ବ୍ୟକ୍ତି ଭଲ ଭାବରେ ପୁରସ୍କୃତ ହେବ । କିନ୍ତୁ ଏ ଘୋଷଣା ସେତେ ଫଳପ୍ରଦ ହେଲାନାହିଁ । କେତେଦିନ ପରେ କଲିକତା ଗୁଇନ୍ଦାମାନଙ୍କ ସଂସ୍ପର୍ଶରେ ଆସି ରଜନୀବାବୁ କୃତୀ ଅବିନାଶଙ୍କ ପରିଚୟ ଯେତେବେଳେ ପାଇଲେ ସେ ତାଙ୍କୁ ବ୍ରହ୍ମପୁର ଡକେଇ ଆଣିଥିଲେ ।

 

ପୋଲିସ ସାହେବଙ୍କ ସହିତ ଆଲୋଚନା କରି ସବୁପ୍ରକାର ସାହାଯ୍ୟର ପ୍ରତିଶ୍ରୁତି ପାଇ ଫେରୁଥିଲା ଅବିନାଶ । ଶିଳ୍ପଶ୍ରୀ ଏଣ୍ଡ୍ କୋ: ଅଫିସରୁ ଏ ସୁଦର୍ଶନା ଯୁବତୀକୁ ବାହାରି ଆସୁଥିବା ଦେଖି ଦୂରରୁ ସେ ତାକୁ ମୁହୂର୍ତ୍ତେ ନିରେଖି ଦେଖିଲା । ତରୁଣୀଟି କିଛିଦୂର ଆଗେଇ ଯିବା ପରେ ଜନଗହଳି ଭିତରେ ତାକୁ ଅନୁସରଣ କରିବାକୁ ଲାଗିଲା । କିନ୍ତୁ ବେଶୀଦୂର ତାକୁ ଅନୁସରଣ କରିପାରିଲାନି । ବାରାକ୍‌ସ ମଟର ଷ୍ଟାଣ୍ଡ ପାଖରେ ଅଜୟଚନ୍ଦ୍ର ପାତ୍ର ତାକୁ କାରରେ ବସେଇ ନେଇ ଷ୍ଟେସନ ଅଭିମୁଖେ ଛୁଟିଲେ । ଦ୍ରୁତଗତିଶୀଳ ଯାନକୁ ପଦବ୍ରଜରେ ଅନୁସରଣ କରିବା ସାଧ୍ୟାତୀତ । ଅବିନାଶ ବାଧ୍ୟହେଇ ଫେରି ଆସିଲା । ପରିତ୍ୟକ୍ତ ଆବର୍ଜନା ଭିତରୁ ଉଜ୍ଜ୍ୱଳ ରତ୍ନର ସନ୍ଧାନ ପାଇଲା ପରି ତା’ର ଦୃଷ୍ଟି ମୁହୂର୍ତ୍ତକ ପାଇଁ ଉଜ୍ଜ୍ୱଳ ହୋଇ ଉଠିଲା । ପୋଲିସ୍ ରିପୋର୍ଟରେ ପଢ଼ିଥିବା ସେ ବିଷୟଟିକୁ ଅବିନାଶ ବାରମ୍ବାର ଭାବିବାକୁ ଲାଗିଲା ‘ସେ ରାତି ଶେଷ ପ୍ରହରରେ ଅଜୟଚନ୍ଦ୍ର ପାତ୍ର ସସ୍ତ୍ରୀକ କଟକରୁ ଫେରୁଥିଲେ ।’

 

ସେଇ ରାତି । ଉପର ମହଲାର ବୈଠକ ରୁମରେ ରଜନୀ ବାବୁ ଅବିନାଶ ସହିତ ଆଲୋଚନା କରୁଥାନ୍ତି । କଥା ପ୍ରସଙ୍ଗରେ ଅବିନାଶ ପଚାରିଲା, ଆଚ୍ଛା ! ସେଦିନ ଠିକ୍ କେଉଁ ଷ୍ଟେସନରେ ସେ ଦସ୍ୟୁଟି ଆପଣଙ୍କ କମ୍ପାଟମେଣ୍ଟରେ ପଶିଲା ?

 

ବାଲୁଗାଁ ଷ୍ଟେସନ ପରେ ମୁଁ ତାକୁ ଦେଖିଲି ।

ତାପରେ ?

 

ରଜନୀବାବୁ କହି ଚାଲିଲେ- ଖଟ୍ ଖଟ୍ ଶବ୍ଦରେ ମୋ ନିଦ ଯେତେବେଳେ ଭାଙ୍ଗିଗଲା, ଦେଖିଲି ସ୍ତ୍ରୀଟିଏ ମୋ ଆଗରେ ଛିଡ଼ା ହୋଇଚି ବେଶ୍ ଫିଟ୍‍ଫାଟ୍‍ ଭଙ୍ଗୀରେ । ଆଖିରେ ନୀଳ ଚଷମା, ନାକ ପର୍ଯ୍ୟନ୍ତ ମୁହଁରେ ଗୋଟାଏ କଳା କନା ବନ୍ଧା ହୋଇଥାଏ ।

 

କେତେ ଫୁଟ ଉଚ୍ଚ ହବ ?

ପ୍ରାୟ ପାଞ୍ଚ ଫୁଟ ।

ହଁ ! ଅବିନାଶ ଟିକିଏ ଭାବି ପୁଣି ପଚାରିଲା, ଦେହର ଗଠନ କିପରି ?

 

ଗୁଡ଼ାଏ ଡ୍ରେସ ପିନ୍ଧିଥିବାରୁ ବେଶ୍‍ ସ୍ୱାସ୍ଥ୍ୟବତୀ ଜଣା ଯାଉଥିଲା, କିନ୍ତୁ ସ୍ୱାଭାବିକ ଦେହ ତା’ର ପତଳା ।

 

ହଁ କହନ୍ତୁ, ତାପରେ ?

 

ସାହସ ବାନ୍ଧି ମୁଁ ତକିଆ ତଳେ ଯେପରି ହାତ ଦେଇଚି ସେ ହଠାତ୍ ଗୋଟାଏ ରିଭଲଭର ବାହାର କରି ମୋ ମୁହଁ ପାଖରେ ଟେକି ଧରିଲା । ତାପରେ ମୁଁ ହଠାତ୍ ହାତଟା କାଢ଼ି ଆଣି ତାକୁ ଆଶ୍ଚର୍ଯ୍ୟରେ ଅନେଇବା ମାତ୍ରେ, ଆଖି ପିଛୁଳାକେ ମୋ ତକିଆତଳୁ ପିସ୍ତଲଟା ବାହାର କରି ନେଇ ମତେ କହିଲା, ସୁଟକେଶ ଚାବି କାହିଁ ? ମୁଁ ଟିକେ ହେଲେ ବିଚଳିତ ନ ହୋଇ ଚେକ୍ ବହିଟା କାଢ଼ି ସେଣ୍ଟ୍ରାଲ ବ୍ୟାଙ୍କର ଚେକ୍‍ଟା ଲେଖିବାକୁ ଯାଉଚି, ସେ ଗୋଟାଏ ଝାମ୍ପରେ ବହିଟା ଫୋପାଡ଼ିଦେଇ କହିଲା, କଷ୍ଟ କରିବା ଦରକାର ନାହିଁ । ଏ ପ୍ରାପ୍ୟଟା ଭବିଷ୍ୟତକୁ ଥାଉ । ଆଜି ମୋର କିନ୍ତୁ ନଗଦ ମୁଦ୍ରା ଦରକାର । ଜାଣନ୍ତି କେତେ ? ସେଣ୍ଟ୍ରାଲ ବ୍ୟାଙ୍କ ମ୍ୟାନେଜରଙ୍କ ପାଖେ ବସି ଯେଉଁ ସଂଖ୍ୟାଟି ଲେଖିଥିଲେ ସେଇଟି ମୁଁ ମୁଖସ୍ଥ କରି ନେଇଚି, ଶୀଘ୍ର କରନ୍ତୁ । କହୁ କହୁ ତାଙ୍କ ଡୋଳା ଦୁଇଟି ଅପେକ୍ଷାକୃତ ବିସ୍ଫାରିତ ହେଇଗଲା । ତାଙ୍କ ମୁହଁର ଶିରାଗୁଡାକ ସଙ୍କୁଚିତ ହେଇଗଲା । ଗଳା ଶୁଖି ଆସିଲା ପରି ଜଣାଗଲା ।

 

ରଜନୀ ବାବୁ, ଏ କ’ଣ ? ଅବିନାଶ ଚମକି ପଡ଼ିଲା ।

 

ଅବିନାଶ, ହଁ– ସେ ଦୃଶ୍ୟ ଏବେ ବି ମୁଁ ସ୍ପଷ୍ଟ ଦେଖି ପାରୁଚି । ତା ପରେ କ’ଣ ହେଲା ଜାଣ ଅବିନାଶ ? ପକେଟରୁ ଗୋଟାଏ ରୁମାଲ ବାହାର କରି ମୋ ନାକ ପାଖରେ ଯେପରି ସେ ଦେଖେଇଚି ମୋ ଦେହ ଝିମ୍ ଝିମ୍ ହୋଇଗଲା । ତା ପରେ ମୁଁ ଆଉ କିଛି ଜାଣିପାରିନି । ଯେତେବେଳେ ଚେତା ହେଲା ଦେଖିଲି ମୋ ଆଗରେ ଗାର୍ଡ ସାହେବ । ସେତେବେଳକୁ ମୋର ସର୍ବସ୍ୱ ଲୁଟ୍ ହେଇ ସାରିଥିଲା ।

 

କିଛି ସମୟ ନୀରବରେ କଟିଲା ।

 

ମୁହୂର୍ତ୍ତେ କାଳ ତାଙ୍କ ମୁହଁକୁ ଅନେଇ ଅବିନାଶ କହିଲା, ବାସ୍ତବିକ, ଆପଣ ଖୁବ୍ ଡରିଯାଇଛନ୍ତି ।

 

ନିଶ୍ୱାସ ନେଇ ରଜନୀ ବାବୁ କହିଲେ, ନା, ଆଉ ଡର ନାହିଁ ଅବିନାଶ ! ସେ ଦିନ ଯେଉଁ ଦୁର୍ଘଟଣାରେ ପଡ଼ିଥିଲି, ଓହୋ.....

 

ଆଚ୍ଛା ସେ ଡକାୟତଟି–

 

ଡକାୟତ ନୁହେଁ ଅବିନାଶ ! ତମେ ବରାବର ଭୁଲ କରୁଚ । ଡକାୟତର ଦୂର୍ଦ୍ଧର୍ଷ ସଙ୍ଗିନୀ !

 

ଦସ୍ୟୁନାୟିକା ନ ହେଇ ଅତି ପରିଚିତା କୌଣସି ଆତ୍ମୀୟା ବି ହେଇପାରନ୍ତି.....ମନେ ମନେ କହିଲା ଅବିନାଶ । ରାତି ଗୋଟାଏ ପରେ ଅପ୍ ମେଲ ବାଲୁଗାଁ ଛାଡ଼େ । ଏ ଘଟଣା ଦୁଇଟା ଭିତରେ ଘଟିଥିବା ସମ୍ଭବ । ଛତ୍ରପୁର ପର୍ଯ୍ୟନ୍ତ ଆଉ ମେଲ ଷ୍ଟପେଜ୍ ନାହିଁ । ବୁଦ୍ଧିମତୀ ଦସ୍ୟୁନାୟିକାଟି ସ୍ଥାନ-କାଳ-ପାତ୍ର ବିଚାର କରି କାମ ହାସଲ କରିଚି । ରେଲ ଲାଇନ୍ ଓ ଟ୍ରଙ୍କ ରୋଡ଼ ଭିତରେ ବ୍ୟବଧାନ ମଧ୍ୟ ଖୁବ୍ ଅଳ୍ପ ।

 

ସେତିକିରେ ରାତି ଆଲୋଚନା ଶେଷ ହେଲା । ତଳ ମହଲାର ଗୋଟିଏ ରୁମ୍ ଅବିନାଶର ଶୟନ କକ୍ଷରୂପେ ଛାଡ଼ି ଦିଆ ହେଇଥାଏ । ରଜନୀ ବାବୁଙ୍କୁ ତାଙ୍କ ଶୋଇବା ଘରେ ଛାଡ଼ି ଦେଇ ନିଜ ରୁମକୁ ଫେରି ଆସିଲା ଅବିନାଶ । ଦିନସାରା ବୁଲି ବୁଲି କ୍ଲାନ୍ତ ହୋଇଥିବାରୁ ଶେଯ ଛୁଇଁବା ମାତ୍ରେ ନିଦ ହେଇଗଲା ।

 

କିନ୍ତୁ ଠିକ୍ ଅଧଘଣ୍ଟା ପରେ କବାଟରେ ତା’ର ଶକ୍ତ କରାଘାତ ଶୁଣି ଅବିନାଶର ନିଦ ଚାଉଁକିନା ଭାଙ୍ଗିଗଲା । ବାହାରୁ କିଏ ଯେପରି ଶ୍ୱାସରୁଦ୍ଧ ଗଳାରେ ଡାକୁଚି, ଅବିନାଶ ବାବୁ ! ଅବିନାଶ ବାବୁ–

 

ଅବିନାଶ ଗଳା ବାରି ନେଇ ହଠାତ୍ କବାଟ ଖୋଲିଦେଲା । ଖୋଲି ଦେଇ ଦେଖିଲା ଆଗରେ ରଜନୀବାବୁ ଛିଡ଼ା ହେଇ ଗୋଟା ପଣେ ଥରୁଛନ୍ତି । କଥା କହିବା ଶକ୍ତି ବି ସେ ହରେଇଛନ୍ତି । ହଠାତ୍ ତାଙ୍କ ହାତରେ କ’ଣ ଗୋଟାଏ ରଙ୍ଗିନ କାଗଜ ଦେଖି ଅବିନାଶ ଟାଣି ଆଣି ପଢ଼ିବାକୁ ଲାଗିଲା । ଲେଖାଅଛି–

 

 

 

 

ରଜନୀ !

ଅନେକ ଦିନ ତଳେ ତୋ ସହିତ ଦେଖା ହୋଇଥିଲା ମନେଥିବ । ସେଦିନ ତୁ ଚେକ୍ ଯାଚିଥିଲୁ, ମୁଁ ନେଇ ନ ଥିଲି । ବର୍ତ୍ତମାନ ମୋର ଖୁବ୍ ପ୍ରୟୋଜନ । ନିର୍ଦ୍ଦିଷ୍ଟ ସମୟ ଓ ସ୍ଥାନ ପରେ ଜଣାଇ ଦିଆଯିବ, ପ୍ରସ୍ତୁତ ଥିବୁ । କାଳ ବିଳମ୍ବ ତୋ ଜୀବନର ସମସ୍ତ ଶାନ୍ତି ହରଣ କରିବ ।

‘ତୋର ଅତି ପରିଚିତ’

 

ଓଃ ବ୍ଲାକ ମେଲ୍ ?

ହଲ୍ ପାରି ହୋଇ ଅବିନାଶ ଅପ୍‍ଷ୍ଟେୟାର ପାଖକୁ ଆସିଲା ।

 

ଆଚ୍ଛା କହିପାରିବେ, ଏପରି କେହି ଲୋକ ଅଛି ଯିଏ କି ଆପଣଙ୍କୁ ବ୍ଳାକମେଲ୍ କରିପାରେ !

 

ନା !

 

ହୁଏତ ଆପଣଙ୍କ ଜୀବନର କୌଣସି ଭୁଲର ସୁଯୋଗ ନେଇ କେହି ଆପଣଙ୍କ ବିରୁଦ୍ଧରେ ଏପରି କରିପାରୁଥାଏ ମନେପକାନ୍ତୁ !

 

ନା !

 

ଦେଖନ୍ତୁ, ପ୍ରତ୍ୟେକ ମଣିଷର ଦୁର୍ବଳତା ଥାଏ । ଆଉ ଦିନେ ନା ଦିନେ ତାହା ଜଣାପଡ଼େ । ଆପଣ ସେ ବିଷୟରେ ମତେ ନ ଜଣାଇଲେ ଆପଣଙ୍କ ସମସ୍ୟା ସମାଧାନ ହେବା ସହଜ ନୁହେଁ–

 

ନା-ନା-ନା, ଏସବୁ ରହସ୍ୟ ମୁଁ କିଛି ବୁଝିପାରୁନି ଅବିନାଶ ! ମୋ ଚାରିପାଖେ ଏସବୁ କି ମାୟାଜାଲ ସୃଷ୍ଟି ହେଇଛି ? ମୁଁ ବୁଝିପାରୁନି–ମତେ ଧର, ମୁଁ ବଡ଼ ଦୁର୍ବଳ ।

 

ପାହାଚ ବାଡ଼ା ଉପରେ ଦେହ ଭରାଦେଇ ରଜନୀ ବାବୁ ଏପର୍ଯ୍ୟନ୍ତ ଛିଡ଼ା ହେଇଗଲେ । ଅବିନାଶ ତାଙ୍କୁ ଧରି ଉପର ମହଲାର ତାଙ୍କ ଶୋଇବା ଘରେ ଛାଡ଼ି ଦେଇଆସିଲା । ତାପରେ ରୁମ୍ ଚାରିପାଖ ଭଲ ଭାବରେ ଦେଖି ନେଇ ଅବିନାଶ କହିଲା, ଏ ଚିଠିଟା କେଉଁଠି ପଡ଼ିଥିଲା ?

 

ମୋ ବିଛଣା ଉପରେ–

ଏ ରୁମର ଡୁପ୍ଲିକେଟ୍ ଚାବି ଆଉ କାହା ପାଖରେ ଅଛି କି ?

ନା’–

 

ଖିଡ଼ିକି ପାଖକୁ ଆସି ଅବିନାଶ ବାହାରକୁ ଅନେଇଲା । ସେ ପାଖ କୋଠାଟି ଦୁଇ ହାତ ବ୍ୟବଧାନରେ ଛିଡ଼ା ହେଇଚି । ଭେର୍ଣ୍ଟିଲେଟର ବାଟେ ଛାତ ଉପରୁ କୌଣସି ଜିନିଷ ନିକ୍ଷେପ କଲେ ସିଧା ଆସି ବିଛଣା ଉପରେ ପଡ଼ିବା ସମ୍ଭବ । ରଜନୀ ବାବୁ ଶୋଇଲା ପରେ ଅବିନାଶ ଛାତ ଉପରକୁ ଆସିଲା । ଛାତ ଉପର ତୃତୀୟ ମହଲା ସ୍ୱରୂପ ଗୋଟିଏ ମାତ୍ର ରୁମ୍ ତିଆରି ହେଇଚି । ରୁମ୍ ଭିତରେ କୌଣସି ଆସବାବ ପତ୍ର ନଥିଲା ପରି ଜଣାପଡ଼ୁଚି । ସେ ଆସ୍ତେ ଆସ୍ତେ ପାହାଚରେ ଓହ୍ଳେଇ ନିଜ ରୁମ୍ ଉଦ୍ଦେଶ୍ୟରେ ଆସିଲା । ହଲ ଘଡ଼ିରେ ଦେଖିଲା ବାରଟା ବାଜିଛି ।

 

ଗତ ତିନି ଚାରି ରାତି ରଜନୀବାବୁ ବେଶ୍‍ ଆରାମରେ ଶୋଇଛନ୍ତି । ତାଙ୍କ ପ୍ରାସାଦ ଚାରିପାଖରେ ଅଦୃଶ୍ୟଭାବେ ବୁଲୁଥିବା ଦସ୍ୟୁଦଳର କୌଣସି ଦୌରାତ୍ମ୍ୟ ଏହା ଭିତରେ ତାଙ୍କୁ ସହ୍ୟ କରିବାକୁ ହେଇନାହିଁ । ଲେଡ଼ି ଟାଇପିଷ୍ଟ୍ ଯଥା ସମୟରେ ତା କାମରେ ଆସି ଯୋଗ ଦେଇଚି-। ଦି’ମହଲାରୁ ଗୋଟିଏ ରୁମ ତାକୁ ଛାଡ଼ି ଦିଆଯାଇଛି । ରଜନୀ ବାବୁ ବେଳେବେଳେ ନିଜ ଚାମ୍ବର୍‍କୁ ନ ଯାଇ ପାରିଲେ ମଣିବାଲା ଉପର ମହଲାରୁ ଆସି ନୋଟ ନେଇଯାଏ । ଟାଇପ୍ କରି ପୁଣି ଆସି ଦସ୍ତଖତ କରେଇ ନିଏ ।

 

+                  +                  +

 

ଅବିନାଶ ସକାଳୁ ବାହାରିଥିଲା । ବିଜିପୁର ଛକରେ ଯାଉଁ ଯାଉଁ ଏକ ଅପରିଚିତ ସୁଟ୍ ପିନ୍ଧା ଯୁବକ, ହାତରେ ଗୋଟାଏ ଚମଡ଼ା ଏଜେନ୍ସି ବ୍ୟାଗ ଧରିଚି–ହଠାତ୍ ଅବିନାଶ ଆଡ଼କୁ ଅନେଇ କହିଲା, ନମସ୍କାର ଅବିନାଶ ବାବୁ ! ଚିହ୍ନି ପାରୁଛନ୍ତି ତ ? ଅବିନାଶ ଆଶ୍ଚର୍ଯ୍ୟରେ ତା ମୁହଁକୁ ଅନେଇଲା । ସେ କହି ଚାଲିଲା, କଲିକତାରେ ଦେଖା ହେଇଥିଲା, ଭୁଲି ଗଲେଣି ?

 

ଓହୋ.....ହଁ । ଆନୁମାନିକ ସମ୍ମତି ଜଣାଇ ଅବିନାଶ ପଚାରିଲା, ଏଠି ତା ହେଲେ କ’ଣ କରୁଛନ୍ତି ?

 

ଏଇ ଆପଣମାନଙ୍କ ପରି କିଛି । ଆଉ ଆମଦ୍ୱାରା କ’ଣ ହେବ ? ହଉ ଆସ, ଦେଖାହେବ–ନମସ୍କାର । ରଜନୀବାବୁଙ୍କ ଘରେ ରହୁଛନ୍ତି ବୋଧହୁଏ ? କହି କ୍ଷିପ୍ର ପଦକ୍ଷେପରେ ଜନଗହଳି ଭିତରେ ଅଦୃଶ୍ୟ ହେଇଗଲା । ଅବିନାଶ ସମୟ ପାଇଲାନି, ତାର ଶେଷ କେଇପଦ କଥାର ଯଥାର୍ଥ ଉତ୍ତର ବୁଝିବା ପାଇଁ । ତେବେ ଏ ଯୁବକଟି ପ୍ରକୃତରେ କିଏ ? କଲିକତାରେ ତାକୁ କ’ଣ କେବେ ସତରେ ସେ ଦେଖିଥିଲା ? ନଚେତ ଜାଣିଲା କିପରି ମୁଁ କଲିକତାରେ ଥିଲି ବୋଲି ! ହେଇପାରେ ଦସ୍ୟୁ ଦଳର କୌଣସି ଗୁପ୍ତଚର–ରଜନୀବାବୁଙ୍କ ଘରେ ରହିବା ଦେଖି ମୋ ଉପରେ ତେବେ କ’ଣ ଦୃଷ୍ଟି ରଖିଛନ୍ତି ? ଆଚ୍ଛା ଦେଖାଯାଉ ।

 

ବିଜିପୁର ଛକରେ ଥିବା କଫି କ୍ଲବକୁ ଅବିନାଶ ପଶି ଆସିଲା ଉଦରଜ୍ୱାଳା ଶାନ୍ତ କରିବା ପାଇଁ । ଖୁବ୍ ଭୋରୁ ବାହାରି ଥିବାରୁ ରଜନୀ ବାବୁଙ୍କ ଘରେ ଚା ପିଇ ପାରିନଥିଲା ।

 

ଚା ଟା ଥଣ୍ଡା ହେଇଯିବ ଅବିନାଶ ବାବୁ ! ଏତେ କ’ଣ ଭାବି ଚାଲିଛନ୍ତି ?

 

ଆରେ ଆପଣ ? ଆଖି ଆଗରେ ବଙ୍ଗ ତରୁଣୀ ମଣିବାଲାଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲା ଅବିନାଶ । ଏତେ ସକାଳୁ କୁଆଡ଼େ ବାହାରିଥିଲେ ?

 

କ୍ଷମା କରିବେ, ଆପଣଙ୍କ ଚିନ୍ତା ସ୍ରୋତ ମୋ ଉପସ୍ଥିତିରେ ଯଦି ଦିକ୍‍ଭ୍ରଷ୍ଟ ହେଇଥାଏ–

 

ଲେଖିକା ଆପଣ ନିଶ୍ଚୟୁ । ସୁନ୍ଦର ଡାଇଲଗ୍ କହି ପାରୁଛନ୍ତି । ଚା କପେ ଚଳୁ ?

 

ଆପଣ ଏକବାରେ ତନ୍ମୟ ତେବେ–ଏଇଟା ରଜନୀବାବୁଙ୍କ ବୈଠକଖାନା ନୁହେଁ ମହାଶୟ !

 

ତେବେ ଭିତରକୁ ଆସନ୍ତୁ । କହି ଅବିନାଶ କଫିକ୍ଲବ୍‍ର ଦ୍ୱିତୀୟ ନିଭୃତ କ୍ୟାବିନକୁ ଉଠିଗଲା ଏବଂ ଗ୍ଲାସେ ଓଭଲଟିନ୍ ପାଇଁ ଅଡ଼ର ଦେଲା ।

 

ଏଠି ହେଲା ତ ? ବସନ୍ତୁ । ଅବିନାଶ ମଣିବାଲାର ସୁଶ୍ରୀ ମୁଖମଣ୍ଡଳ ଉପରେ ନମ୍ର ଦୃଷ୍ଟିପାତ କଲା । ମଣିବାଲା ଛୋଟ ହସଟିଏ ହସି ଚାହାଣୀରେ ସମ୍ମତି ଜଣେଇଲା ।

 

ଟିକକ ପରେ ଓଭଲଟିନ୍ ଆସିଲା । ଅବିନାଶ ଆଡ଼କୁ ବଡ଼ ବଡ଼ ଡୋଳାରେ ଅନେଇ ମଣିବାଲା ପିଆଲାରେ ପ୍ରଥମ ଚୁମ୍ବନ ଦେଲା ।

 

ବେଶ୍ ! ଏ ଥରକ କୁହନ୍ତୁ, ସକାଳୁ ସକାଳୁ କୁଆଡ଼େ ବାହାରି ପଡ଼ିଲେ ।

 

ରିଫ୍ୟୁଜି ଆସୋସିଏସନ ପାଇଁ ଚାନ୍ଦା ସଂଗ୍ରହ ନେଇ ମୁଁ ବ୍ୟସ୍ତ । ସେମାନଙ୍କ ପାଇଁ ଗୋଟିଏ ପ୍ରାଇମେରୀ ସ୍କୁଲ ସ୍ଥାପନ କରିବାର ଉଦ୍ୟମ ହେଉଚି । ସେଥିପାଇଁ ଜଣେ ଏମ୍.ଏଲ୍.ଏ. ଙ୍କ ପାଖକୁ ଯାଇଥିଲି ।

 

ବିଚକ୍ଷଣ ପରିକଳ୍ପନା । ମୁଁ ଆପଣଙ୍କ ସହିତ ଏକମତ ।

 

ଧନ୍ୟବାଦ । ଆପଣଙ୍କ ଶୁଭେଚ୍ଛାକୁ ମୁଁ ତାରିଫ୍ କରୁଚି । କିନ୍ତୁ ସେଥିପାଇଁ ଯେ ଯଥେଷ୍ଟ୍ ଅର୍ଥର ପ୍ରୟୋଜନ ।

 

ତା ନିଶ୍ଚୟ । କିନ୍ତୁ ଆମ୍ଭେମାନେ ଶୁଭେଚ୍ଛା ଜଣେଇବା ଛଡ଼ା ଆଉ କ’ଣ କରିପାରୁ ମିସ୍ ମଣିବାଲା ?

 

କିନ୍ତୁ ସେତକ ବି ଆମ ଦେଶରେ ଅଭାବ ଅବିନାଶ ବାବୁ ! କହି ଅବିନାଶ ପଛେ ପଛେ ମଣିବାଲା ଉଠିଲା ।

 

ବିଲ୍ ଚୁକ୍ତି କରିଦେଇ ସେମାନେ ବାହାରକୁ ଆସିଲେ । ଗୋଟିଏ କୋଠାରେ ସବୁବେଳେ ସଂସ୍ପର୍ଶରେ ରହିଲେ ମଧ୍ୟ ଏଇ ଅଦ୍ଭୁତ ତରୁଣୀଟିର ପରିଚୟ ଅବିନାଶ ପାଖରେ ଏପର୍ଯ୍ୟନ୍ତ ଅଜ୍ଞାତ ରହିଯାଇଛି । ତାର ଧାରଣା ହେଲା, ଆଶ୍ରୟପ୍ରାର୍ଥୀମାନଙ୍କ ସେବାରେ ନିଜକୁ ନିୟୋଜିତ କରି ନିଜ ଜୀବନକୁ ସେ ଯେପରି ଫାଙ୍କି ଦେଉଚି । ଯେପରି ଶିକ୍ଷିତା, ସେଇପରି ରୂପସୀ କଥାରେ ବି ସେଇପରି ଶାଣିତ ଧାର । ଦିନରେ ଯେତେଥର ଦେଖାହୁଏ ସେ ତାକୁ ଡାକି ଦିପଦ କଥା କହିବାକୁ କୁଣ୍ଠାବୋଧ କରେ ନା । ତା’ ସହିତ ମିଶିବାର କି ଉଦ୍ଦାମ ଆବେଗ । ପ୍ରାଣ ବିନିମୟରେ କି ପ୍ରବଳ ଆକାଂକ୍ଷା ଅବିନାଶର ।

 

ସେ ଦୁହେଁ ଚାଲି ଚାଲି କିଛିଦୂର ଆସିଛନ୍ତି, ପଛରୁ ହଠାତ୍ ଏକ ହିନ୍ଦୁସ୍ଥାନ କାର ଆସି ହର୍ଣ୍ଣ ଦେଇ ଛିଡ଼ା ହେଇଗଲା । ଡ୍ରାଇଭ କରୁଥିବା ଯୁବକଟି ହସ ହସ ମୁହଁରେ କହିଲା, ଏଇ ଯେ, ମିସ୍ ମଣିବାଲା ! ଏ ପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି ? ଆସନ୍ତୁ ।

 

ଓହୋ ମିଷ୍ଟର ପାତ୍ର ! କିନ୍ତୁ ମୋ ସହିତ ଜଣେ ବନ୍ଧୁ ଅଛନ୍ତି । ଦୁଇଜଣକୁ ନେବାରେ ଯଦି.....

 

ଆହା ଆସନ୍ତୁନା.....ଆପଣ ମଣିଷକୁ ବେଶ୍ ଅପ୍ରସ୍ତୁତ କରିପାରନ୍ତି, ଆସନ୍ତୁ ମିଷ୍ଟର୍.….

 

ମାନସିଂ– କହି ମିଷ୍ଟର ପାତ୍ର ଖୋଲିଥିବା ଫ୍ରଣ୍ଟ ସିଟ୍‍ଟା ବନ୍ଦ କରିଦେଇ ପଛ ସିଟ୍‍ଟା ଖୋଲୁ ଖୋଲୁ ମିସ୍ ମଣିବାଲା ପୁଣି କହିଲେ, ଆସନ୍ତୁ ଅବିନାଶ ବାବୁ !

 

ହିନ୍ଦୁସ୍ଥାନ ଟ୍ରେନ୍ ଛୁଟି ଚାଲିଲା । ଏହା ଭିତରେ କେହି କିଛି କହିପାରି ନାହାନ୍ତି । ଶିଳ୍ପଶ୍ରୀ ଏଣ୍ଡ୍ କୋ: କୋଠା ସାମନାରେ କାର୍‍ଟା ବନ୍ଦ କରି ମିଷ୍ଟର୍ ପାତ୍ର ପଚାରିଲେ, ଉପରବେଳା ଆସୁଛନ୍ତି ତ !

 

ଚେଷ୍ଟା କରିବି– କହି ମଣିବାଲା ଓହ୍ଲେଇ ଆସିଲା, ତା ପଛେ ପଛେ ଅବିନାଶ । ଅବିନାଶଙ୍କ ନିର୍ଲିପ୍ତ ମୁହଁକୁ ଅନେଇଁ ମଣିବାଲା କହିଲା, ରିଫ୍ୟୁଜି ଆସୋସିଏସନ୍ ପାଇଁ କିଛି ଚାନ୍ଦା ଆଦାୟ କରିବା ଉଦ୍ଦେଶ୍ୟରେ ୟାଙ୍କ ସହିତ ଘନିଷ୍ଠତା ।

 

ଓହୋ– ! ଅବିନାଶ ଏକପ୍ରକାର ଜୋରରେ ହସି ଉଠି ସୋପାନ ଅତିକ୍ରମ କରିବାକୁ ଲାଗିଲା ।

 

ମାନସିକ ଅସୁସ୍ଥତା ଯୋଗୁଁ ରଜନୀବାବୁ ଆଜି ନିଜ ଚେମ୍ବରକୁ ଯାଇ ପାରିଲେ ନାହିଁ । ଉପରବେଳା ମିସ୍ ମଣିବାଲାଙ୍କୁ ନେଇ କେତୋଟି ଜରୁରୀ ଚିଠିର କେବଳ ନୋଟ ଡାକିଦେଲେ । ସେ ଚିଠିଗୁଡ଼ିକୁ ଟାଇପ୍ କରୁଚି ଏତିକି ବେଳେ ଫୋନ୍ ଆସିବାରୁ ରଜନୀବାବୁଙ୍କ ଚେମ୍ବରକୁ ଯାଇଁ ଟେବୁଲ ଉପରୁ ଫୋନ୍ ଉଠାଇ ଡାକିଲା, ହାଲୋ.....କିଏ ! ଓ.... ମିଷ୍ଟର ପାତ୍ର ! ଯିବେ ? ହଁ ଆଜି ଶନିବାର, ମୋର ମଧ୍ୟ ଯିବା ଖୁବ୍ ଜରୁରୀ.. ଆଚ୍ଛା ମି: ପଟ୍ଟନାୟକ ବି ଯିବେ ? ତେବେ କ୍ୟାମ୍ପ୍ ବୁଲି ଦେଖିବାର ପ୍ରୋଗ୍ରାମ ରହିଲା । ଚାରିଟାରେ ଆପଣ କାର୍ ନେଇ ଆସନ୍ତୁ । ମୁଁ ପ୍ରସ୍ତୁତ ଥିବି । ଆଚ୍ଛା ଆଚ୍ଛା ! ...ମିସ୍ ମଣିବାଲା ରିସିଭରଟି ରଖୁ ରଖୁ ବାହାରେ କାହାର ପଦ ଶବ୍ଦ ଯେପରି ଶୁଣିବାକୁ ପାଇଲା । ରଜନୀବାବୁ ଅଫିସକୁ ଆସି ନ ଥିବାରୁ ଚପରାସିଟି ଘରକୁ ଚାଲି ଯାଇଚି । ସେ ବାହାରକୁ ଆସି କିନ୍ତୁ କାହାକୁ ଦେଖିଲା ନାହିଁ । ହଲ୍ ଶେଷରେ ଥିବା ପାହାଚ ଦେଇ ଅବିନାଶ ରୁମ୍ ପର୍ଯ୍ୟନ୍ତ ସେ ଆସିଲା । କବାଟ୍ ଠେଲି ଦେଖିଲା ଭିତର ପଟୁ କବାଟ ବନ୍ଦ । ଫେରି ଆସି ନିଜ ରୁମ୍‍ରେ ପୁଣି ଟାଇପ୍ କରିବାକୁ ଲାଗିଲା ମଣିବାଲା ।

 

ଠିକ୍ ଚାରିଟାରେ ହିନ୍ଦୁସ୍ଥାନ-ଟ୍ରେନ୍ ଆସି ଶିଳ୍ପଶ୍ରୀ ଏଣ୍ଡ୍ କୋ: କୋଠା ସାମନାରେ ହର୍ଣ୍ଣ ଦେବା ମାତ୍ରେ ସୁରୁଚି ପରିପାଟୀ ସମ୍ପର୍ଣ୍ଣା ମିସ୍ ମଣିବାଲା ବାହାରି ଆସିଲା । ରଜନୀବାବୁଙ୍କ ରୁମ୍ ଦେଇ ଆସୁଆସୁ କହି ଆସିଲା, ମୁଁ ଗୋପାଳପୁର ରିଫ୍ୟୁଜି କ୍ୟାମ୍ପ୍‍କୁ ଯାଉଛି ।

 

ତଳ ମହଲାକୁ ଆସି ଅବିନାଶବାବୁଙ୍କୁ ଦେଖାକରି କହିଲା- ରଜନୀବାବୁଙ୍କ ପ୍ରତି ଦୃଷ୍ଟି ରଖିଥିବେ । ନଚେତ ଆସନ୍ତୁ ଟିକେ ବୁଲି ଆସିବେ ।

 

ଅବିନାଶ ନିମନ୍ତ୍ରଣ ରକ୍ଷା କରିପାରିଲାନି । ମଣିବାଲା ଆସି କାର୍‍ରେ ମିଷ୍ଟର ପାତ୍ରଙ୍କ ପାଖେ ବସିବା ପର୍ଯ୍ୟନ୍ତ ଅଫିସ୍ ଆଢ଼ୁଆଳରୁ ସେ ଲକ୍ଷ୍ୟ କରୁଥିଲା ।

 

ଗୋପାଳପୁର ବାସ୍ତୁହରା କ୍ୟାମ୍ପ୍ । ଦୁଃସ୍ଥ ଆଶ୍ରୟହୀନ ଜୀବଗୁଡ଼ିକର କରୁଣ ଚିତ୍କାର ସେ ଆବହାୱାକୁ ଦୂଷିତ କରି ରଖିଛି । ସରକାରଙ୍କ ସ୍ୱଳ୍ପ ଦାନ ଆଶାବାଦୀ ଆଶ୍ରୟପ୍ରାର୍ଥୀଗୁଡ଼ିକୁ ଭୋକିଲା ପେଟରେ ବଞ୍ଚେଇ ରଖିଚି ଯାହା.....କିଏ ସିଲେଇ ମେସିନଟିଏ ଧରି ବସିଛି, କିଏ ପିଲାଙ୍କ ଜାମାପଟା ସିଲାଇ କରିବାରେ ବ୍ୟସ୍ତ । ଶହଶହ ରିଫ୍ୟୁଜି ଭିତରୁ କେତେକ ଅର୍ଥସମ୍ବଳ ଅଭିଜ୍ଞ ଲୋକ କୁଟୀର ଶିଳ୍ପ ନେଇ ବ୍ୟସ୍ତ ଥିବାବେଳେ ଅନ୍ୟମାନେ ରୋଗ ଯନ୍ତ୍ରଣାରେ ଛଟପଟ ହେଇ ପରିଦର୍ଶକମାନଙ୍କୁ ନିଜର ଦୁଃଖଦୁର୍ଦ୍ଦଶା ଜଣେଇବାପାଇଁ ବ୍ୟାକୁଳ । ଏମାନେ ବୁଲି ଦେଖୁଥିବାବେଳେ କେତେକ ରୁଗ୍‍ଣ ତରୁଣୀ ଓ ପ୍ରୌଢ଼ା ମଣିବାଲାଙ୍କୁ ଦିଦି ସମ୍ବୋଧନ କରି ନମସ୍କାର କରୁଥାନ୍ତି । ମଣିବାଲା ପିଲାମାନଙ୍କ ହାତରେ କିଛି କିଛି ଅର୍ଥଦାନ କରି ମି: ପଟ୍ଟନାୟକ ଓ ମି: ପାତ୍ରଙ୍କ ପାଖେ ପାଖେ ଚାଲିଥାଏ । କ୍ୟାମ୍ପ ଶେଷରେ ଥିବା ଅଫିସ ରୁମରୁ ଗୋଟିଏ ଖାତା ଆଣି କ୍ୟାମ୍ପର ତତ୍ତ୍ୱାବଧାରକ ଭଦ୍ରଲୋକ ଦୁହିଁଙ୍କୁ ବଢ଼େଇ ଦେବା ମାତ୍ରେ ସେମାନେ ମଣିବାଲାଙ୍କୁ ଚାହିଁବାର ଅର୍ଥ ବୁଝିପାରି କହିଲେ, ଯେତେବେଳେ ଆସିଛନ୍ତି କିଛି ଦାନ କରିବାକୁ ହେବ ।

 

ପରିଦର୍ଶକ ଦୁହେଁ ପ୍ରତ୍ୟେକେ ଟ ୫୦୦୧ର ପ୍ରତିଶ୍ରୁତି ଲେଖିଲା ପରେ ସମସ୍ତେ କ୍ୟାମ୍ପରୁ ବାହାରି ଆସିଲେ । ମଣିବାଲାଙ୍କ ପାଖେ ପାଖେ ଦୁଇଟି ରୂପସୀ ଯୁବତୀ ଚାଲିଥାନ୍ତି । ପରିଧାନରେ ମନୋଜ୍ଞ ବଙ୍ଗୀୟ ଶୈଳୀ ଦର୍ଶକଦ୍ୱୟଙ୍କ ଦୃଷ୍ଟି ଆକର୍ଷଣ କରୁଥାଏ । କିଛିଦୂର ଆସିଲା ପରେ ମଣିବାଲାଙ୍କ ଇଙ୍ଗିତ ମାତ୍ରେ ଯୁବତୀ ଦୁଇଟି ମି. ପାତ୍ର ଓ ମି : ପଟ୍ଟନାୟକଙ୍କ ହାତଧରି ଚାଲିବାକୁ ଲାଗିଲେ । ଆଗରେ ଦିଗନ୍ତ ପ୍ରସାରୀ ନୀଳ ସମୁଦ୍ର । ତା’ର ଫେନୋଚ୍ଛ୍ୱସିତ କୁଟିଳ ଆଲିଙ୍ଗନ ବାଲି ତଟରେ ଶ୍ୱେତପଦ୍ମ ସୃଷ୍ଟି କରି ଚାଲିଛି ।

 

ଅସ୍ତରାଗର ଶେଷ ଲାଲିମ ଦେଖୁ ଦେଖୁ ଦର୍ଶକମଣ୍ଡଳି ବିହ୍ୱଳ ହେଇ ପଡ଼ିଲେ । ଦିଗଙ୍ଗନାର ସେଇ ଲାଲ ଓଢ଼ଣୀଟି ଆସ୍ତେ ଆସ୍ତେ ଫିକା ହେଇ ଶେଷରେ ନୀଳ ହେଇଗଲା । ସମୁଦ୍ରତଟର ଦର୍ଶକଦ୍ୱୟଙ୍କ କୋଳରେ ତରୁଣୀ ଦୁଇଟି ମୋହାବିଷ୍ଟ ହେଇ ପଡ଼ି ରହିଲେ । ସନ୍ଧ୍ୟାର କଳା ସ୍ପର୍ଶ ସେମାନଙ୍କୁ ଆସ୍ତେ ଆସ୍ତେ ନିଶ୍ଚିହ୍ନ କରୁଥାଏ ।

 

ଅଳ୍ପ ଦୂରରେ ଛିଡ଼ା ହୋଇଥିବା ଛାୟା ମୂର୍ତ୍ତିଟିର ଇଙ୍ଗିତରେ ଦର୍ଶକ ଦୁହେଁ ତରୁଣୀ ଦୁଇଟି ସହିତ ‘ସି ଭିଉ ରେଷ୍ଟୁରାଣ୍ଟ’ ଭିତରକୁ ପଶିଲେ । ରେଷ୍ଟୁରାଣ୍ଟରେ ବେଶୀ ଲୋକ ଭିଡ଼ ନ ଥିଲେ ମଧ୍ୟ ପଥ ପ୍ରଦର୍ଶନକାରିଣୀ ନାରୀଟି ସେମାନଙ୍କୁ ଏକ ଖାସ କାମରାକୁ ନେଇଗଲା । କିଛି ସମୟ ପରେ ସେ ଫେରିଆସି ପରଦା ପାଖେ ଛିଡ଼ା ହେଇ ହଲ ଭିତରକୁ ନିରୀକ୍ଷଣ କଲା । ହଲରେ କେବଳ ଦୁଇଟି ବ୍ୟକ୍ତି ଥାନ୍ତି । ଦୁହିଁଙ୍କ ଭିତରୁ ଏଙ୍ଗ୍ଲୋଇଣ୍ଡିଆନ୍ ପରି ଦିଶୁଥିବା ଯୁବକଟି ହଲର ଗୋଟିଏ କ’ଣରେ ବସି ମଝିରେ ମଝିରେ ତୁଚ୍ଛା ମାତଲାମି କରୁଥାଏ । ଟେବୁଲ ଉପରେ ଗୋଟିଏ ଚମଡ଼ା ବ୍ୟାଗ୍ ପଡ଼ିଚି । ବ୍ୟାଗ୍ ଉପର ସ୍ଲିପ୍‍ଟିରେ ଲେଖା ହେଉଚି ‘ମି: ଯୋସେଫ୍ ପିଟର, ସ୍ପେଶାଲ ରିପ୍ରେଜେଣ୍ଟେଟିଭ- ଭାରତ ଡ୍ରଗ୍ସ ଲିମିଟେଡ଼, କାଲକାଟା’ ଏତିକିବେଳେ ଯୁବକଟି ପ୍ରଥମ ଗ୍ଲାସ ନିଃଶେଷ କରି ବୟଟିକୁ ଅଙ୍ଗୁଳି ନିର୍ଦ୍ଦେଶରେ ପାଖକୁ ଡାକିଲା । ବୟ ଆସିଲାରୁ ସେ ଆଉ ଗୋଟାଏ ଗ୍ଲାସ ପାଇଁ ଅର୍ଡ଼ର ଦେଲା । କିନ୍ତୁ ଏଇ କ’ଣ ହେଲା ଯୁବକଟି ଦ୍ୱିତୀୟ ଗ୍ଲାସଟି ପିଇବାର ଅବ୍ୟବହିତ ପରେ ଚେୟାରରେ ଢଳି ପଡ଼ିଲା ମୃତ ପ୍ରାୟ । ସେତେବେଳକୁ ଅନ୍ୟ ଗ୍ରାହକଟି ଚାଲିଯାଇଥାଏ ।

 

‘ମାନେଜରବାବୁ ! ମାନେଜରବାବୁ’

 

ଦେଖୁ ଦେଖୁ ଦି ଚାରିଜଣ ଆସି ପହଞ୍ଚିଗଲେ । ମାନେଜରଙ୍କ ଆଦେଶକ୍ରମେ ସେମାନେ ଶୂନେ ଶୂନେ ଟେକି ନେଇଗଲେ ରେଷ୍ଟୁରାଣ୍ଟର ଏକ ଖାସ୍ କାମରାକୁ ।

 

ଯୁବକଟି ଯେତେବେଳେ ଚେତା ହେଲା, ସେ ଦେଖିଲା ବିଦ୍ୟୁତ୍ ଉଦ୍ଭାସିତ ଏକ ସୁସଜ୍ଜିତ କକ୍ଷର ନରମ ବିଛଣା ଉପରେ ସେ ଶୋଇଛି । କାନ୍ଥର ଅଦ୍ଭୁତ ଛବିଗୁଡ଼ିକ ଉପରେ ତା ଦୃଷ୍ଟି ପଡ଼ିଲା । ଅର୍ଦ୍ଧନଗ୍ନ କାମତୁରା ନାରୀ ମୂର୍ତ୍ତି ପରିବର୍ତ୍ତେ ଭୋକିଲା ନିରୀହ କାଙ୍ଗାଳମାନଙ୍କ ବିଭିନ୍ନ ଚିତ୍ର ଟଙ୍ଗା ହେଇଚି । ମୁଖବ୍ୟାଦନ କରି ସେମାନେ ଯେପରି ଏ ପୁଞ୍ଜି-ସର୍ବସ୍ୱ ବିଳାସୀ ସମାଜକୁ ଗ୍ରାସ କରିବାକୁ ଉଦ୍ୟତ । ହଠାତ୍ ଏଇ ସମୟରେ ବିଦ୍ୟୁତ୍ ପ୍ରବାହ ବନ୍ଦ ହେଇଗଲା । ତା ପରେ ପରେ ଏକ ତୀବ୍ର ଅଟ୍ଟହାସର ମୂର୍ଚ୍ଛନା...... ଯୁବକଟି ଅନୁଭବ କଲା, ତାର ଖୁବ୍ ନିକଟରେ କିଏ ଯେପରି ହସୁଚି ! ଏ ହସ କିନ୍ତୁ ସୁଖାଦ୍ୟପୁଷ୍ଟ ଉଦରର ନୁହେଁ, ଦୀର୍ଘ ଅନାଟନରେ ଅନ୍ନସ୍ୱପ୍ନ ଦେଖୁଥିବା ସର୍ବଗ୍ରାସୀ ଭୋକିଲା ଉଦରରୁ ଯେପରି ଏ ହସର ସୁଅ ଆସୁଚି । ବିଦ୍ୟୁତ୍ ପ୍ରବାହ ଆରମ୍ଭ ହେବା ମାତ୍ରେ ଯୁବକଟି ଚମକି ପଡ଼ିଲା । ଚମକି ପଡ଼ିଲା ବିଦ୍ୟୁତ୍ ଆଲୋକର ଆକସ୍ମିକ ଝଲକରେ ନୁହେଁ, ଚମକି ପଡ଼ିଲା ତାର ଅତି ପାଖରେ ବସିଥିବା ଏକ ଅପୂର୍ବ ପୁରୁଷକୁ ଦେଖି । ନା-ନା, ପୁରୁଷ ତ ନୁହେଁ ...... ସମ୍ଭବତଃ ନାରୀ ! ସମୁନ୍ନତ ଶୋଭନ ବକ୍ଷ..... ସିଲ୍କ ହାୱାଇ ସାର୍ଟ ଉପରେ ଚମଡ଼ାର ବେଲ୍ଟ । ଓଷ୍ଠ ପ୍ରାନ୍ତଠାରୁ ନାସିକା ପର୍ଯ୍ୟନ୍ତ କଳା କନ୍ୟାର ପଟି । ଆଖିରେ ଗାଢ଼ ନୀଳ ଚଷମା । ଭ୍ରୁ ଦୁଇଟି ସୁଦ୍ଧା ଦେଖିବାର ଉପାୟ ନାହିଁ । ମୁଣ୍ଡର ମିଲିଟାରୀ ହ୍ୟାଟ୍ ପିନ୍ଧିବା ଭଙ୍ଗୀରୁ ବେଶ୍ ଅନୁମିତ ହୁଏ କେଶବିନ୍ୟାସ- ନିପୁଣା ସୁନ୍ଦରୀ ତରୁଣୀର ଅର୍ଦ୍ଧନାରୀଶ୍ୱର ବେଶ୍‍ ଚମତ୍କାର ହେଇଛି । ଯୁବକଟି ମନେ ମନେ ତାରିଫ୍ କଲା । ବିଛଣା ଉପରେ ସେ ଆଣ୍ଠୁ ଦୁଇଟିକୁ ଦି ବାହୁରେ ଯାକି ଧରି ଏପରି ଭାବରେ ବସିଚି ଯେପରି ତାର କିଛି ହେଇନି । ପୁଣି ସେଇ ହସ.......

 

ଅଭିନନ୍ଦନ ବନ୍ଧୁ ! କ’ଣ ବୋଲି ତମକୁ ସମ୍ୱୋଧନ କରିବି ମି. ଯୋସେଫ୍ ! ବ୍ରହ୍ମପୁରରେ ଅନେକ ପ୍ରେସ ଅଛି ଏ ଭିଜିଟିଙ୍ଗ୍ କାର୍ଡ଼ ଛାପିବା ପାଇଁ, ତମେ ନିଶ୍ଚୟ ଜଣେ ସୁଦକ୍ଷ ଅଭିନେତା !

 

ଯୁବକଟି ସନ୍ଦେହ ଦୃଷ୍ଟିରେ ଅନେଇଁ ରହି କଥାଗୁଡ଼ିକୁ ହଜମ କରିବାକୁ ଲାଗିଲା । ପୁରୁଷ ବେଶୀ ରମଣୀଟି ଯୁବକ ପିଠିରେ ମୃଦୁ କରାଘାତ କରି କହିଲା, ଆଚ୍ଛା ମି. ମାନସିଂ, ପ୍ରହସନ ଥାଉ, ଏଥରକ କୁହନ୍ତୁ- କଲିକତାରେ କେତେଦିନ ଗୁଇନ୍ଦାଗିରି ଟ୍ରେନିଂ ନେଇଥିଲେ ? ଯାହାହେଉ ପୁରସ୍କାରର ଲୋଭ କେଭେଁ ତମକୁ ସେଠାରେ ଅଟକାଇ ରଖିପାରି ନ ଥାନ୍ତା, ଟାଣି ରଖିଚି କେବଳ ମୋହମୟୀ ଅପରୂପ ଲାବଣ୍ୟବତୀ ଯୁବତୀ ମଣିବାଲା, ନୁହେଁ ?

 

ଯୁବକଟି ବକ୍ର ଦୃଷ୍ଟିରେ ତରୁଣୀ ମୁହଁକୁ ଅନେଇ ରହିଲା । ଯୁବତୀଟିର ଅସ୍ୱାଭାବିକ କଣ୍ଠନିସୃତ କଥା ତାକୁ ବିସ୍ମୟ-ସ୍ତବ୍ଧ କରିଚି ।

 

ମୁଁ ମିଥ୍ୟାବାଦିନୀ ନୁହେଁ ବନ୍ଧୁ ! କୁଚକ୍ରୀ ପରଧନଲୋଭୀ ରଜନୀ ମହାନ୍ତିକୁ ଏ ସର୍ବଗ୍ରାସୀ କାଙ୍ଗାଳଙ୍କ ଦାଉରୁ ବଞ୍ଚେଇବା ଆଶା ତୁମର ବୃଥା । କୁହ କେତେ ଦରକାର ? ସେତକ ପରିଶ୍ରମ ଯଦି ଆମ ପାଇଁ କରନ୍ତ ତାଠୁ ଯଥେଷ୍ଟ ବେଶୀ ପୁରସ୍କାର ମିଳନ୍ତା ତମକୁ । ଏପରି ନୀରବ ରହିଲେ କିଏ ତମକୁ ଛାଡ଼ୁଚି । କଥା ବାହାର କରିବାର ସ୍ପେଶାଲ ଟେକ୍‍ନିକ୍ ଆମକୁ ଜଣା ବନ୍ଧୁ ।

 

କରତାଳି ଦେବା ମାତ୍ରେ ସମମୁଖବୃତ୍ତା ଏକ ଯୁବତୀ ଆସି ଚାବୁକଟାଏ ଦେଇଗଲା । ଯୁବକଟି ସିଧା ହେଇ ବସି କହିଲା, କ’ଣ ମୋ’ଠୁ ଚାହଁ ? ଏତିକିବେଳେ ଯୁବକଟି ସୁଯୋଗ ଦେଖି ହଠାତ୍ ତରୁଣୀଟି ଉପରକୁ ଲମ୍ଫ ପ୍ରଦାନ କରୁ କରୁ ତଳେ କଚାଡ଼ି ହେଇ ପଡ଼ିଲା । କୌଶଳରେ ରମଣୀଟି ଖସିଯାଇ ପୁଣି ଯେତେବେଳେ ସମ୍ମୁଖକୁ ଆସିଲା ସେତେବେଳେ ସେ ଦେଖିଲା, ଗ୍ଲୋଭ୍ ପରିହିତା ହାତରେ ଛୋଟ ରିଭଲଭର୍ ଟିଏ ଚିକ୍ ଚିକ୍ କରୁଚି ।

 

ହା-ହା-ହା- ବୃଥା ଚେଷ୍ଟା ବନ୍ଧୁ ! ତମପରି ଅପଟୁ ନିରୀହ ଜୀବକୁ ହତ୍ୟାକରି ଗୌରବ ନେବାକୁ ମୁଁ ଚାହେଁନା । ସମୟ ଖୁବ୍ ଅଳ୍ପ । ରଜନୀ ମହାନ୍ତିକୁ ଆମ ଜିମା କରି ତମ ପୂର୍ବସ୍ଥାନକୁ ବିନା ବାଧାରେ ଚାଲିଯାଅ ।

 

ନଚେତ୍ ?

 

ନଚେତ୍ ? ନୀଳ ଚଷମା ତଳେ ବ୍ଳୁ ବ୍ଲାକ୍ ଆଖି ଦିଓଟି ଜଳି ଉଠିଲା ମୁହୂର୍ତ୍ତକ ପାଇଁ । ପଲକମାତ୍ରେ ଚାବୁକର ଅଗ୍ରଭାଗ ଯୁବକଟିର ପୃଷ୍ଠ ଦେଶରେ ଦାଗ ସୃଷ୍ଟି କରି ନାଚି ଉଠିଲା ।

 

ଓଃ ! ଅସହ୍ୟ ଯନ୍ତ୍ରଣାରେ ଯୁବକଟି ଥରେ ପିଠି ଆଉଁସି ବିଛଣାରେ ବସି ପଡ଼ିଲା ।

 

ଏ ଧୃଷ୍ଟତା ପାଇଁ ଏଠୁ କେଭେଁ ଅବ୍ୟହତି ମିଳେ ନା । ମନେ ରୁହେ ଯେପରି । ମୋର ଏ ପ୍ରଥମ ସତର୍କ । କହି କରତାଳି ଦେବା ମାତ୍ରେ ପୂର୍ବ ଯୁବତୀଟି ଆସି ଉପସ୍ଥିତ ହେଲା ।

 

ମୋ ପ୍ୟାଡ଼୍ !

ଯୁବତୀଟି ମୁହୂର୍ତ୍ତକରେ ପ୍ୟାଡ଼୍‍ଟି ଦେଇଗଲା ।

 

ଲେଡ଼ି ଟାଇପିଷ୍ଟ ପାଇଁ ଆଉ ବେଶିଦିନ ଭଦ୍‍ଭ୍ରାନ୍ତ ପ୍ରେମିକର ଅଭିନୟ କରିବାକୁ ହେବ ନାହିଁ । ନାରୀର ପ୍ରେମକୁ ସମ୍ମାନ ଦେବା ଏ ଦଳର ମୁଖ୍ୟ ଉଦ୍ଦେଶ୍ୟ ଲେଖ–

 

ଆଦେଶ ଅନୁଯାୟୀ ଯୁବକଟି ନିଜ ପେନ୍ ବାହାର କରି ଲେଖିବାକୁ ଆରମ୍ଭ କଲା ।

 

ପ୍ରେୟସୀ ମଣି !

 

ତୁମକୁ ଦେଖିବା ଦିନୁ ମୁଁ ମୁଗ୍ଧ ହେଇଚି । ପାଖରେ ରହି ସୁଦ୍ଧା ତମ ମୁହଁକୁ ଦେଖିଲେ ମୋର ସବୁ କଥା ଅକୁହା ରହିଯାଏ । କିନ୍ତୁ ଭଦ୍ର ଆବରଣରେ ରହି ତମ ଅଲକ୍ଷ୍ୟରେ ତମ ରୂପ ସୁଧା ଚାଖିବା ମାନେ ତମ ପ୍ରେମର ଅବମାନନା କରିବା, ଏଣୁ ଲେଖି ଜଣେଇ ଦେବାକୁ ବାଧ୍ୟ ହେଲି । ତମେ ମୋର ଏକାନ୍ତ କାମନା….. ମୋ ଜୀବନର ସ୍ୱପ୍ନ.....ମୋ ସ୍ୱପ୍ନର ରାଣୀ.....

 

ତମର ପ୍ରଣୟପ୍ରାର୍ଥୀ

ଅବିନାଶ

 

ଚିଠିଟିକୁ ଝାମ୍ପି ନେଇ ପକେଟସ୍ଥ କଲା ପରେ ସେ ହସି ହସି କହିଲା, ବିଦାୟ ବନ୍ଧୁ ! ଆମ ସର୍ତ୍ତ ଯେପରି ମନେ ରୁହେ ।

 

ଏତିକିବେଳେ ତଳେ ପଡ଼ିଥିବା ପିସ୍ତଲଟାକୁ ହଠାତ୍ ଉଠେଇ ନେଇ ଯୁବକଟି ଚିତ୍କାର କରି କହିଲା, ହ୍ୟାଣ୍ଡସ ଅପ୍ !

 

ଓ ହୋ-ହୋ.......ଆରେ ବାପରେ........ତରୁଣୀଟି ନାରୀସୁଲଭ ଚପଳତାରେ ହସିହସି ଗଡ଼ିଗଲା । ଯୁବକଟି ଲଜ୍ଜିତ ହେଇ ଦେଖିଲା ପିସ୍ତଲରେ ବୁଲେଟ ନାହିଁ । ସାଙ୍ଗେ ସାଙ୍ଗେ ତରୁଣୀଟି ଉପରକୁ ଝାମ୍ପ ଦେବାକୁ ଉଦ୍ୟତ ହେଲାବେଳେ ସୁଇଚ୍ ଅଫ୍ ହୋଇଗଲା । ସେ ଅନ୍ଧାରରେ କଚାଡ଼ି ହେଇ ପଡ଼ି ଯନ୍ତ୍ରଣାରେ ଚିତ୍କାର କରି ଉଠିଲା–ଓଃ !

 

ତାପରେ ଶୁଣାଗଲା After all you are a damn fool dear detective !

 

ବତୀ ଜଳି ଉଠିଲା । ଅବିନାଶ କିନ୍ତୁ ତଳୁ ଉଠି ପାରିଲାନି । ପାଖ ରୁମରେ ବାରଟା ବାଜୁଥାଏ । ତା ରିଷ୍ଟୱାଚ୍ ବନ୍ଦ ହେଇ ଯାଇଚି ।

 

ନିସ୍ତବ୍ଧ ରାତ୍ରିର ନିର୍ଜନତା ଭଙ୍ଗ କରି କଳା ରଙ୍ଗର କାର୍‍ଟିଏ ଆସି ବଡ଼ ବଜାରସ୍ଥ ଶିଳ୍ପଶ୍ରୀ ଏଣ୍ଡ କୋ: ଅଫିସ ଆଗରେ ଛିଡ଼ା ହୋଇଗଲା ! ତରୁଣୀଟିଏ ବାହାରି ପଡ଼ି ଫାଟକ ଖୋଲିବା ମାତ୍ରେ ଦରୁଆନ୍ ବାହାରି ପଡ଼ି ପଚାରିଲା କିଏ ? କିନ୍ତୁ ତରୁଣୀଟି କୌଣସି ଉତ୍ତର ନ ଦେଇ ପାହାଚ ଉପରକୁ ଉଠିଗଲା । ଉପର ମହଲାରେ ସଶବ୍ଦ ପାଦ ଧ୍ୱନୀ ଶୁଣି ରଜନୀବାବୁ ପାଟି କରି ଉଠିଲେ–କିଏ ?

 

ମୁଁ ମଣିବାଲା । ରାତି ଗୋଟାଏ ହେଲାଣି, ଆପଣ ଶୋଇ ନାହାନ୍ତି ? ଆଜିକାଲି ଯେପରି ବେଳ ଏତେ ରାତି ଯାଏ କୁଆଡ଼େ ବୁଲୁଚ ? ଗୋପାଳପୁରରୁ ଫେରି ସେକେଣ୍ଡ ସୋ’ ସିନେମା ଦେଖି ଯାଇଥିଲି । ମଣିବାଲା ନିଜ ରୁମ୍ ଖୋଲି ଗାଢ଼ ନିଦରେ ଶୋଇ ପଡ଼ିଲା । ସିନେମାର ଅଧା ଟିକେଟ୍‍ଟା ଟେବୁଲ ଉପରେ ପଡ଼ିଥାଏ ।

 

ଠିକ୍ ଘଣ୍ଟାକ ପରେ ଅବିନାଶ ଏକ ଝଟକାରୁ ଓହ୍ଲେଇ ଯନ୍ତ୍ରଣା-କାତର ଚାଲିରେ ଆସ୍ତେ ଆସ୍ତେ ପାହାଚ ଉପରକୁ ଉଠିଲା । ତା ଗୋଡ଼ ଯେପରି ଠିକ୍ ସ୍ଥାନରେ ପଡ଼ୁନଥାଏ । ନିଜ ରୁମ ପାଖରେ ପହଞ୍ଚିଲାବେଳକୁ ହଲ ଘଡ଼ିରେ ଦିଟା ବାଜିଥାଏ । ସେ ରିଷ୍ଟୱାଚକୁ ମିଳେଇ ଶଯ୍ୟାଶାୟୀ ହେଲା । କିନ୍ତୁ ବିଛଣାରେ ଛଟପଟ ହେଇ ଅଧଘଣ୍ଟାପରେ ଯେତେବେଳେ ନିଦହେଲା, ସେତେବେଳକୁ ସକାଳ ହେଇ ଯାଇଥାଏ ।

 

ଅବିନାଶବାବୁ ! ଅବିନାଶ ବାବୁ ! ଉଠନ୍ତୁ, ଏତେ ନିଦ......ବାଃ ବାଃ ରେ !

 

ରୁମ୍ ଭିତରୁ କୌଣସି ପ୍ରକାର ଶବ୍ଦ ନ ପାଇ ମଣିବାଲା ଜୋରରେ କବାଟ ପିଟିବାକୁ ଲାଗିଲା ।

 

ଅବିନାଶ ବାବୁ ! ଦିନ ଆଠଟା ହେଲାଣି ଶୋଇଛନ୍ତି । ରବିବାରର କିରାଣୀ ନିଦ ଆପଣଙ୍କୁ ହେଇଚି ଦେଖୁଛି ! ଅବିନାଶ ବାବୁ !

 

ନିଶବ୍ଦରେ କବାଟ ଖୋଲିଗଲା । କିନ୍ତୁ ଅବିନାଶଠାରେ କୌଣସି ପ୍ରକାର ଚାଞ୍ଚଲ୍ୟ ନ ଦେଖି ମଣିବାଲା ଆଶ୍ଚର୍ଯ୍ୟ ହେଲା । ସେ ଭିତରକୁ ପଶିଯାଇ ଦେଖିଲା, ଅବିନାଶ ଧୀରେ ଧୀରେ ଯାଇଁ ବିଛଣା ଉପରେ ବସୁଛି । ମୁହଁରେ କିପରି ଗୋଟାଏ ଅସ୍ୱାସ୍ଥ୍ୟକର ଅଭିବ୍ୟକ୍ତି ।

 

କ’ଣ ହେଇଚି ଆପଣଙ୍କର ? କ୍ଷମା କରିବେ ମୁଁ ଯଦି ଆସି ଆପଣଙ୍କୁ ଅଯଥା ହଇରାଣ କରିଥାଏ !

 

ଅବିନାଶ ନୀରବ ।

 

ନିଅନ୍ତୁ । ଉପରେ ରଜନୀବାବୁ ଚା ଟେବୁଲ ପାଖେ ଅପେକ୍ଷା କରିଛନ୍ତି । ଅବିନାଶ ହାତରେ ବ୍ରସ ଓ ଟୁଥପେଷ୍ଟ ଧରେଇ ଦେଇ କହିଲା ମଣିବାଲା ।

 

ତେବେ ବି ଅବିନାଶ ନିସ୍ତେଜ ।

 

ଓହୋ..... ଆପଣ ବଡ଼ ଲେଜି ! ମଣିବାଲା ଉଠିଆସି ଅବିନାଶର ଦି ବାହୁକୁ ଧରି ଉଠେଇ ଦେବାମାତ୍ରେ ଅବିନାଶ କ୍ଷୀଣ ଚିତ୍କାର କରି କହିଲା, ଓଃ ! ତାପରେ ସେ ତାର ଗୋଟିଏ ହାତ ପିଠିପାଖକୁ ନେଇ ଆଉଁଷିବାକୁ ଲାଗିଲା ।

 

ଆପଣ କ’ଣ ସତରେ ଅସୁସ୍ଥ ? ଏଥିରେ ଲଜ୍ଜା କ’ଣ ଅବିନାଶ ବାବୁ ! ଆପଣଙ୍କର ଯଦି କେହି ଆତ୍ମୀୟ ପାଖରେ ଥାନ୍ତେ–

 

ଶୁଷ୍କ ମୁହଁରେ ହସଟିଏ ଫୁଟେଇ ମଣିବାଲା ମୁହଁକୁ ଅନେଇଲା ଅବିନାଶ । ତାପରେ ଉଠିବାକୁ ଚେଷ୍ଟା କରି କହିଲା, ଚାଲନ୍ତୁ, ମୋର କିଛି ହେଇନି । ଆପଣଙ୍କ କଷ୍ଟ ପାଇଁ ଧନ୍ୟବାଦ–

 

ହଉ, ସେ ଧନ୍ୟବାଦ ପରେ ଦେବେ, ଆଗେ ଆସନ୍ତୁ– କହି ମଣିବାଲା ଏକ ପ୍ରକାର ତାକୁ ବାହାରକୁ ଟାଣି ଆଣିଲା । ଅବିନାଶ ମନେ ମନେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରି ଅନ୍ୟମନସ୍କ ରହିବାକୁ ଚେଷ୍ଟା କଲା । ଏତିକିବେଳେ ମଣିବାଲା ପୁଣି ଘର ଭିତରକୁ ଛୁଟି ଯାଇଁ ତଉଲିଆଟା ଆଣି ଅବିନାଶ ପିଠିରେ ପକେଇ ଦେବା ମାତ୍ରେ ସେ ଚିହିଁକି ଉଠି ପାଟି କରି ଉଠିଲା, ଆଃ !

 

ଅବିନାଶ ମୁହଁରେ ଯନ୍ତ୍ରଣାର ଚିହ୍ନ ଦେଖି ମଣିବାଲା ମର୍ମାହତ ହେଲା । ପର ମୁହୂର୍ତ୍ତରେ ଅବିନାଶ ହାତଟାକୁ ପିଠି ଉପରକୁ ଘୁଞ୍ଚେଇ ଆଣି ଗଞ୍ଜି ଉଠେଇବାକୁ ଯିବାରୁ ଅବିନାଶ ମଣିବାଲା ହାତକୁ ଛିଞ୍ଚାଡ଼ି ଦେଇ ବିରକ୍ତି ସହ କହିଲା, ମୋର କିଛି ହେଇନି, କାହିଁକି ମତେ ବିରକ୍ତ କରୁଛ ?

 

ମଣିବାଲା କିନ୍ତୁ ଛାଡ଼ିବାର ପାତ୍ରୀ ନୁହେଁ । ସେ ଅବିନାଶ ପିଠିରୁ ଗଞ୍ଜିଟାକୁ ଉଠେଇ ଦବା ମାତ୍ରେ ଦେଖିଲା ଲାଲ ତକତକ ଚମଡ଼ା ଉପରେ ଇଞ୍ଚେ ଚଉଡ଼ାର ଏକ କଳା ଦାଗ ଅଣ୍ଟା ପାଖରୁ ବେକ ପର୍ଯ୍ୟନ୍ତ ଲମ୍ବି ଯାଇଚି । ଯେପରି କେହି ଚାବୁକରେ ଖୁବ୍ ଜୋରରେ ପ୍ରହାର କରିଚି-। ତା ଆଖିପତା ଭିଜି ଆସିଲା-। ତାପରେ ଲୁହ ଟୋପାଏ ଖସିପଡ଼ି ଅବିନାଶର ପାଦ ସ୍ପର୍ଶ କଲା ।

 

ଓଃ..... ଏପରି ସାଙ୍ଘାତିକ ଅବସ୍ଥାରେ ଥାଇଁ ବି ଆପଣ ନୁଚେଇବାକୁ ଚେଷ୍ଟା କରୁଛନ୍ତି । ଧନ୍ୟ ଆପଣଙ୍କ ଧୈର୍ଯ୍ୟ । ମୁଁ ଡାକ୍ତରଙ୍କୁ ଫୋନ କରେ–

 

ନା–କହି ପ୍ରସ୍ଥାନୋଦ୍ୟତା ମଣିବାଲା ହାତକୁ ଭିଡ଼ି ଧରିଲା ଅବିନାଶ । ତା ଆଖିର କରୁଣ ଦୃଷ୍ଟିରେ ମଣିବାଲା ପ୍ରତି କୃତଜ୍ଞତା ଫୁଟି ଉଠିଚି ।

 

କ’ଣ ଚିକିତ୍ସା ବି ଦରକାର ନାହିଁ ? ବେଶ୍ ମଣିଷ ତ ଆପଣ ! ଛାଡ଼ନ୍ତୁ, ରଜନୀ ବାବୁଙ୍କୁ ଡାକେ । ସେ ନ ଆସିଲେ ଆପଣ ଜବ୍‍ଦ ହେବେନି ।

 

ଦେଖନ୍ତୁ ମିସ୍ ମଣି ! ଟିକିଏ ରହି ଅବିନାଶ ପୁଣି କହିଲା, ଏତେ ଲୋକକୁ କହି ଲାଭ କ’ଣ ? ଭଲ ହେଇଯିବି ।

 

ନାଁ– ମୁଁ ରଜନୀବାବୁଙ୍କୁ ନିଶ୍ଚୟ କହିବି । ରାତିରେ ଯାଇଁ ଡକାୟକଙ୍କ ସହିତ ଲଢ଼େଇ କରି କିପରି ନହୁନୁହାଣ ହୋଇ ଆସିଛନ୍ତି ।

 

ଆପଣ ଯେତେବେଳେ ଛାଡ଼ିବାର ପାତ୍ରୀ ନୁହନ୍ତି ଆଉ ମୋର ଉପକାର କରିବା ପାଇଁ ଏକାନ୍ତ ବ୍ୟାକୁଳ, ତେବେ–

 

ତେବେ ? ମଣିବାଲା ଅବିନାଶକୁ ବଡ଼ ବଡ଼ ଡୋଳାରେ ଅନେଇଲା । ଏ ବିଷୟ ଗୋପନ ରଖିବେ ବୋଲି ଆପଣଙ୍କଠୁ ଆଶା କରି ପାରେ କି ?

 

ଏଇଆତ ? ଅର୍ଥାତ ଗୁପ୍ତ । ମତେ ଯଦି ବିଶ୍ୱାସ କରନ୍ତି ତେବେ ଛାଡ଼ନ୍ତୁ । ରଜନୀବାବୁ ଟେବୁଲ ପାଖେ ଅପେକ୍ଷା କରିଥିବେ । ଆପଣ ମୁହଁ ଧୁଅନ୍ତୁ- କହି ଅବିନାଶ ରୁମ୍ ଭିତରୁ ଛୁଟି ପଳେଇଗଲା ଦୋମହଲା ଉପରକୁ ମଣିବାଲା ।

 

ଅଧଘଣ୍ଟାକ ପରେ ପୁଣି ସେ ଯେତେବେଳେ ଆସି ଘର ଭିତରେ ପ୍ରବେଶ କଲା, ଅବିନାଶ ଦେଖିଲା ତା ହାତରେ ଗୁଡ଼ାଏ ବ୍ୟାଣ୍ଡେଜ୍, ତୁଳା ଓ ଛୋଟ ଔଷଧ ଶିଶିଟାଏ ।

 

ଏସବୁ କ’ଣ ?

 

ଚୁପ୍ ଚାପ୍ ଶୋଇ ପଡ଼ନ୍ତୁ । କହି ମଣିବାଲା ଉପକରଣଗୁଡ଼ିକୁ ଟେବୁଲ୍ ଉପରେ ରଖି ଦେଇ ଅବିନାଶ ଦେହରୁ ଗଞ୍ଜିଟା କାଢ଼ି ଦେଇ କହିଲା, ଦେଖାନ୍ତୁ ଏଥରକ-ଉଃ-ଆଃ ହେଲେ ଚଳିବନି ।

 

ମଣିବାଲା ଶିଶିରୁ ଔଷଧ କାଢ଼ି ଦାଗ ଉପରେ ଖୁବ୍ ଧୀରେ ଧୀରେ ଲେପନ କରି ତୁଳା ଦେଇ ବ୍ୟାଣ୍ଡେଜ୍ କରିଦେଲା । ତାପରେ ଗେଞ୍ଜିଟାକୁ ପିନ୍ଧେଇ ଦେଇ କହିଲା, ଏଣିକି ଟିକେ ହୁସିଆରରେ ଚଳନ୍ତୁ ।

 

ମଣିବାଲା ରୁମ୍‍ରୁ ବାହାରି ଆସିବା ପରେ ଅବିନାଶ ମୁହଁରୁ ବାହାରି ପଡ଼ିଲା–ନାରୀର ଗତି ବିଚିତ୍ର ।

 

ତା ପରଦିନ ରାତି । ଦସ୍ୟୁ ଦଳର ନିର୍ଦ୍ଦେଶ ଅନୁସାରେ ତାଙ୍କର ପ୍ରାପ୍ୟ ନିର୍ଦ୍ଦିଷ୍ଟ ସ୍ଥାନରେ ଦେଇ ଆସିବାକୁ ହେବ । ଖରାବେଳେ ଜଣେ କେହି ଫୋନ କରି ରଜନୀ ବାବୁଙ୍କୁ ହୁସିଆର କରି ଦେଇଚି । ରାତି ଏଗାରଟା ଆସି ହେଲା । ଆସନ୍ନ ବିପଦର ଆଶଙ୍କାରେ ରଜନୀବାବୁ ବିବ୍ରତ । ଏଗାରଟା ପରେ ଅବିନାଶ ରଜନୀବାବୁଙ୍କ ସହିତ ଦେଖାକଲା ଏବଂ କ’ଣ ପରାମର୍ଶ କରି ଗୋଟିଏ ଥଳୀ ସହିତ ରୁମ୍‍ରୁ ବାହାରି ଆସିଲା ।

 

ଅନ୍ଧାରରେ ଗଳି ରାସ୍ତା ଦେଇ ଚାଲିଚି ଅବିନାଶ । ଅଳ୍ପ ବ୍ୟବଧାନ ରଖି ଆଉ ଏକ ଛାୟାମୂର୍ତ୍ତି ତାକୁ ଅନୁସରଣ କରି ଚାଲିଚି । ବ୍ରହ୍ମପୁର ଶେଷରେ ଥିବା ପୋଖରୀ ସେପାଖେ ଭଗ୍ନ ପ୍ରସାଦ ପାଖେ ପହଞ୍ଚିବା ମାତ୍ରେ ଅନୁଗାମୀ ମୂର୍ତ୍ତିଟି ଅନ୍ତର୍ଦ୍ଧାନ ହେଇଗଲା । ପ୍ରାସାଦର ସ୍ତୁପୀକୃତ ଭଗ୍ନାବଶେଷକୁ ଅତିକ୍ରମ କରି ଗୁଳ୍ମଲତା ପରିବେଷ୍ଟିତ ଗୋଟିଏ କୋଠରୀରେ ପହଞ୍ଚି ସାଙ୍ଗରେ ଆଣିଥିବା ଥଳୀଟିକୁ ଖିଡ଼ିକି ପାଖରେ ରଖି ଦେଲା ଅବିନାଶ । ତାପରେ ନିଃଶବ୍ଦରେ ଅପସରି ଯାଇଁ ଲୁଚି ରହିଲା ।

 

ସରିସୃପ ଓ ପତଙ୍ଗମାନଙ୍କର ବିକଟ ଚିତ୍କାର ରାତ୍ରିର ନିସ୍ତବ୍ଧତାକୁ ଭଙ୍ଗ କରିବା ସଙ୍ଗେ ସଙ୍ଗେ ମଣିଷ ମନରେ ଆତଙ୍କ ସୃଷ୍ଟି କରୁଥାଏ । ଏପରି ସ୍ଥାନରେ ମଣିଷର ଉପସ୍ଥିତି କଳ୍ପନା କରିବା ତୁଚ୍ଛା ପାଗଳାମୀ । ଅସୀମ ଧୈର୍ଯ୍ୟ ଓ ସାହସ ସହିତ ଗୋଟିଏ କାନ୍ଥକୁ ଲେପଟି ଘଣ୍ଟା ଏକାଳ ଛିଡ଼ା ହେବା ପରେ ଅବିନାଶ ଦେଖିଲା ଖିଡ଼ିକି ସେପାଖୁ ଏକ ଅଦୃଶ୍ୟ ହାତ ଆସି ଥଳୀଟିକୁ ଆୟତ୍ତ କରିବାକୁ ଚେଷ୍ଟା କରୁଚି । ପରମୁହୂର୍ତ୍ତରେ ହାତଟି ଥଳୀକୁ ଯେମିତି ଧରିଚି, ଅବିନାଶ ଆଗକୁ ଆସି ଚିତ୍କାର କରି ଉଠିଲା–ହାତ ଟିକେ ଘୁଞ୍ଚେଇଲେ ସେଇଠୁ ଦି’ଖଣ୍ଡ କରିଦେବି-। ଅବିନାଶର ଦୃଢ଼ ଆଦେଶରେ ହାତଟି ଯେଉଁଠି ଥିଲା ସେଇଠି ନିଶ୍ଚଳ ହେଇ ରହିଗଲା-। ଗୋଟିଏ ହାତରେ ଲୋଡ଼େଡ୍ ପିସ୍ତଲ ଧରି ହାତଟି ଉଦ୍ଦେଶ୍ୟରେ ଅବିନାଶ ଯେପରି ଆଗେଇଛି, ପଛପଟୁ ଏକ ବଜ୍ର କଠିନ ମୁଷ୍ଟି ଆସି ତା ମୁଣ୍ଡରେ ଆଘାତ କଲା । ସେ କଚାଡ଼ି ହୋଇ ପଡ଼ିବା ସାଙ୍ଗେ ସାଙ୍ଗେ ପିସ୍ତଲଟି ଛିଟିକି ଯାଇ ଦୂରରେ ପଡ଼ିଲା । ପର ମୁହୂର୍ତ୍ତରେ ଶକ୍ତି ସଂଚୟ କରି ସେ ଯେତେବେଳେ ଉଠିଲା ଦେଖିଲା ହାତଟି ଅଦୃଶ୍ୟ ହୋଇ ଯାଇଚି । ଥଳୀଟି ମଧ୍ୟ ନାହିଁ । ଛୋଟ ଟର୍ଚ୍ଚ ଆଲୁଅରେ ସେ ସ୍ଥାନଟିକୁ ଭଲ ଭାବରେ ଦେଖି ଯେତେବେଳେ ପିସ୍ତଲଟିକୁ ଖୋଜି ପାଇଲା ସେ ଆଶ୍ୱସ୍ତ ହେଲା ଯେ ଦୁର୍ବୃତ୍ତମାନଙ୍କର ଉଦ୍ଦେଶ୍ୟ ନୁହେଁ ତାକୁ ହତ୍ୟା କରିବା । କେବଳ ଥଳୀଟି ହିଁ ସେମାନଙ୍କର ଲକ୍ଷ୍ୟ ଥିଲା । କିନ୍ତୁ ଖିଡ଼ିକି ପାଖେ ହାତ ରଖିଥିବା ଲୋକଟି ଆଉ ପଛପଟୁ ଆକ୍ରମଣ କରିବା ଲୋକଟି ଏକ ଦଳର ନୁହନ୍ତି । ତା ହେଇଥିଲେ ଥଳୀଟିରେ ଟଙ୍କା ନପାଇ ସାଙ୍ଗେ ସାଙ୍ଗେ ସେମାନେ ଆକ୍ରମଣ କରିଥାନ୍ତେ । କିନ୍ତୁ ତା ପରିବର୍ତ୍ତେ ପରସ୍ପର ଧରା ପଡ଼ିବା ଭୟରେ ପଳାୟନ କରିଛନ୍ତି । ରଜନୀ ବାବୁଙ୍କ ବିଗତ ଜୀବନର ରହସ୍ୟମୟ ଇତିହାସ ନ ଜାଣିଲେ ଏମାନଙ୍କୁ ଜବତ କରିବା ଯେ ଦୂରୁହ ବ୍ୟାପାର, ଅବିନାଶ ମନେ ମନେ ସେଇ କଥା ଭାବି ରାସ୍ତା ଅତିକ୍ରମ କରି ଚାଲିଲା ।

 

ହଲ ଅତିକ୍ରମ କରି ପ୍ରଥମ ପାହାଚ ଉପରେ ପାଦ ଦେଇଛି କାହାର ଗଁ ଗଁ ଶବ୍ଦରେ ଚମକି ପଡ଼ି ନିଶ୍ଚଳ ହୋଇଗଲା ଅବିନାଶ । ଶବ୍ଦ ବାରି ସେ ରଜନୀବାବୁଙ୍କ ଚେମ୍ବର ପର୍ଯ୍ୟନ୍ତ ଆସିଲା । ତାପରେ ହଠାତ୍ ୱେଟିଙ୍ଗ ରୁମ୍ ଭିତରକୁ ପଶିଯାଇ ବତୀଟା ଯେମିତି ଟିପିଛି ଦେଖିଲା ଟେବୁଲ ଗୋଡ଼ରେ ଦରୁଆନ୍ ବନ୍ଧା ହୋଇଛି । ହଲଚଲ ହେବାକୁ ଟିକିଏ ହେଲେ ଶକ୍ତି ନାହିଁ ତାର-। ପାଟି ଭିତରେ ବହେ କନାବିଣ୍ଡା । ଅବିନାଶ ତରବରରେ ତାକୁ ବନ୍ଧନ ମୁକ୍ତ କରି ତା ମୁହଁରୁ କିଛି ଶୁଣିବାକୁ ଅପେକ୍ଷା ନ କରି ବିଜୁଳି ବେଗରେ ଛୁଟିଗଲା ଉପରମହଲାକୁ । ଉପର ମହଲାର ବାରଣ୍ଡା ବତୀଗୁଡ଼ା ଲିଭିଚି । ରଜନୀବାବୁଙ୍କ କୋଠରୀରେ ମଧ୍ୟ ଆଲୁଅର ଚିହ୍ନବର୍ଣ୍ଣ ନାହିଁ । ସେଇ ଅନ୍ଧାରରେ ଅବିନାଶ ରଜନୀବାବୁଙ୍କ କବାଟରେ ହାତ ମାରିବା ମାତ୍ରେ ତା ଖୋଲିଗଲା । ତାପରେ ସେଇ ଗଁ ଗଁ ଶବ୍ଦ । ସେ ବତୀ ଅନ୍ କରିଦେଇ ଦେଖିଲେ ଦରୁଆନ୍ ପରି ରଜନୀ ବାବୁ ମଧ୍ୟ ପଲଙ୍କ ସହିତ ବନ୍ଧା ହୋଇଛନ୍ତି । ତାଙ୍କ ପାଟିରେ ମଧ୍ୟ ବହେ କନା । ଅବିନାଶ ତାଙ୍କୁ ବନ୍ଧନମୁକ୍ତ କରି ତାଙ୍କୁ କିଛି ପଚାରିବା ପୂର୍ବରୁ ସେ ବାଷ୍ପରୁଦ୍ଧ କଣ୍ଠରେ ଗର୍ଜିଉଠିଲେ, ଅବିନାଶ ! ପୋଲିସ୍.....ପୋଲିସକୁ ଫୋନ କର....ମୋର ସର୍ବସ୍ୱ ଲୁଟ୍ ହେଇଗଲା.....

 

ତାପରେ ସେ ଅଧୈର୍ଯ୍ୟ ସହକାରେ ଉଠି ଯାଇଁ ଖୋଲା ଆଇରନ ଚେଷ୍ଟ ଦେଖି ଯେତେ ହତାଶ ହେଇ ନଥିଲେ ତକିଆ ତଳ ଗୁପ୍ତ ସୁଇଚଟି ଟିପିବା ମାତ୍ରେ ସାମାନ୍ୟ ଶବ୍ଦ ସୃଷ୍ଟି କରି ସିମେଟେଡ୍ କାନ୍ଥଟି ଯେତେବେଳେ ମଞ୍ଚ ପରଦା ପରି ବିଭାଗ ହେଇଗଲା, ପ୍ରାଣ ଆବେଗରେ ତା ଭିତରଟାକୁ ଦରାଣ୍ଡି ପାଗଳ ହେଇଗଲେ ରଜନୀବାବୁ । ତାଙ୍କର ଶ୍ୱାସ ପ୍ରଶ୍ୱାସ ଖରକରି ବହିବାକୁ ଲାଗିଲା । ଲାଲ ଟଭା ପରି ଆଖି ଦିଟାରୁ ଯେପରି ରକ୍ତ ଉଜୁଡ଼ି ପଡ଼ୁଚି । ସେ କ୍ଷିପ୍ତ ପ୍ରାୟ ରୁମ୍ ଭିତରେ ନାଚି ଉଠି ଚିତ୍କାର କଲେ, ଅବିନାଶ...ମୋ ହାର....ମୋ ହୀରାର ହାର.... ଦେଖ ଦେଖ କୁଆଡ଼େ ଗଲା ସେ ବଦମାସ୍ ! ପୋଲିସ ! ପୋଲିସ !

 

ରଜନୀବାବୁ ! ରଜନୀବାବୁ ! ଧୈର୍ଯ୍ୟ ଧରନ୍ତୁ । ଅବିନାଶ ତାଙ୍କୁ ଧରିବାକୁ ଚେଷ୍ଟା କଲାବେଳେ ତାକୁ ଜୋରରେ ଠେଲି ଦେଇ ପାହାଚ ଦେଇ ତଳକୁ ପଳେଇଗଲେ ସେ ।

 

ଅବିନାଶ ତାଙ୍କ ପଛେ ପଛେ ଆସୁ ଆସୁ ପାହାଚ ପାଖରେ ହଠାତ୍ ଥମ୍‍କି ଗଲେ । ବାରଣ୍ଡା ଶେଷରେ କିଏ ଜଣେ କୁନ୍ଥାଇଲା ପରି ତାକୁ ଜଣାଗଲା । ହଠାତ୍ ତାର ମଣିବାଲା କଥା ମନେପଡ଼ିଲା । ସେ ଉପରକୁ ପାଟି କରି ରଜନୀବାବୁଙ୍କୁ ସମ୍ଭାଳିବା ପାଇଁ ଦରୁଆନକୁ କହି ମଣିବାଲା ରୁମ୍ ଆଡ଼େ ଛୁଟି ଚାଲିଲା । ବାରଣ୍ଡା ବତୀ ଜଳେଇ ଦେଖିଲେ ମଣିବାଲା ଅଚେତ ହେଇ ତଳେ ପଡ଼ିଚି । ପରୀକ୍ଷା କରି ଦେଖିଲେ ଏକ ପ୍ରକାର ବିଷାକ୍ତ ଗ୍ୟାସ ପ୍ରୟୋଗରେ ତାକୁ ଅଚେତ କରାଯାଇଚି ।

 

ମଣି ! ମଣି ! ମଣିବାଲା ଦେହକୁ ଖୁବ୍ ଜୋରରେ ହଲଚଲ କରି ମଧ୍ୟ କୌଣସି ପ୍ରକାର ଚେତନାର ଲକ୍ଷଣ ନ ଦେଖି ଅବିନାଶ କ’ଣ କରିବ ଭାବି ପାରିଲାନି । ମନ ଭିତରେ ତାର ସନ୍ଦେହର ଯେଉଁ ଅଙ୍କୁରୋଦ୍‍ଗମ ହେଉଥିଲା ତା ସମୂଳେ ନିଶ୍ଚିହ୍ନ ହେଇଗଲା ।

 

ମଣିବାଲା କୋଠରୀରୁ ପାଣି ଆଣି ମୁହଁରେ ଛିଞ୍ଚିବା ମାତ୍ରେ କେତେବେଳକେ ସେ ଟିକେ କଡ଼ ଲେଉଟାଇଲା ।

 

ମଣି ! ମଣି ! ମଣିବାଲା ଉତ୍ତର ଦେବା ଦୂରେ ଥାଉ, ପୁର୍ନବାର ପୂର୍ବ ଅବସ୍ଥାକୁ ଫେରିଗଲା ସେ ।

 

ତଳ ମହଲାରେ ରଜନୀବାବୁଙ୍କ ଚିତ୍କାର ଅବିନାଶକୁ ବିବ୍ରତ କରି ପକେଇଲା । ସେ କ୍ଷଣ ବିଳମ୍ବ ନକରି ମଣିବାଲାକୁ ଶୂନ୍ୟେ ଶୂନ୍ୟେ ଟେକି ନେଇ ତା ବିଛଣା ଉପରେ ଶୁଆଇ ଦେଲା-। ପୁଣିଥରେ ପାଣି ଛିଟା ମାରି ମୁହଁ ଆଖି ଉପରେ ବିକ୍ଷିପ୍ତ ହୋଇ ପଡ଼ିଥିବା ଚୂର୍ଣ୍ଣକୁନ୍ତଳଗୁଡ଼ିକୁ ତରବରରେ ସଜାଡ଼ି ଦେଇ ପଳେଇ ଆସିବ କ’ଣ ତା ପାଦ ଅଟକି ଗଲା । ଅଟକି ଗଲା ମଣିବାଲାର କରସ୍ପର୍ଶରେ ନୁହେଁ–ମଣିବାଲାର ଯୌବନମଦିର ମୁଖଶ୍ରୀ ତାକୁ ଟାଣି ରଖିଲା ତା ପାଖରେ, ପଲକ ମାତ୍ରେ ସୃଷ୍ଟି ବିକାଶର ସେଇ ଅନୁପମ ସୌନ୍ଦର୍ଯ୍ୟକୁ ମନଭରା ଉପଭୋଗ କରିନେବାକୁ । ଝଞ୍ଜା ବିକ୍ଷୁବ୍ଧ ମନୋଭାବ ଭିତରେ ପ୍ରଣୟ ପରିକଳ୍ପନା...ପ୍ରଳୟର ବିଭୀଷିକା ଭିତରେ ସୌନ୍ଦର୍ଯ୍ୟ ସୁଧାପାନର ଦୁର୍ବାର ମୋହ ! ଚମତ୍କାର ତରୁଣ ଗୁଇନ୍ଦା ଅବିନାଶ !

 

ବାବୁ ! ବାବୁ ! ଟେଲିଫୋନ ଲାଇନ୍ କିଏ କାଟି ଦେଇଚି ! ଦରୁଆନ୍ ଡାକରେ ଆତ୍ମସ୍ଥ ହେଇ ଅବିନାଶ ବାହାରି ଆସିଲା ମଣିବାଲାର କୋଠରୀରୁ । ରଜନୀବାବୁଙ୍କ ଚେମ୍ବରକୁ ଆସି ଦେଖିଲା ରଜନୀବାବୁ ମୁଣ୍ଡରେ ହାତ ଦେଲା ନିର୍ଜୀବ ପ୍ରାୟ ବସି ରହିଛନ୍ତି । ଅବିନାଶ ଫୋନ ଉଠାଇ ଏକ୍ସଚେଞ୍ଜକୁ ଡାକି ଡାକି ଶେଷରେ ବିରକ୍ତ ହେଇ ରିସିଭରକୁ ରଖି ଦେଇ କହିଲା, ପୋଲିସକୁ ଖବର ଦିଏ..... ।

 

ସେ ପାଦେ ଆଗେଇଛି କି ନାହିଁ ରଜନୀବାବୁ କହିବାର ଶୁଣାଗଲା, ନା, ପୋଲିସକୁ ଡାକି ଲାଭ ନାହିଁ ଅବିନାଶ ! ଚୋରକୁ ମୁଁ ଭଲ ଭାବରେ ଚିହ୍ନେ ।

 

ଅବିନାଶ ତଟସ୍ଥ ହେଇ ରଜନୀବାବୁଙ୍କୁ ଅନେଇ ରହିଲା ।

 

ମଣିବାଲା ସଚେତ ହେଇ ଦେଖିଲା ତା ଆଗରେ ବସିଚି ଅବିନାଶ । ଅବିନାଶ କୌଣସି ପ୍ରକାର ଡାକ୍ତରୀ ଔଷଧର ସାହାଯ୍ୟ ନ ନେଇ ଅବସ୍ଥାକୁ ଲକ୍ଷ୍ୟ କରୁଥିଲା । ମଣିବାଲାର ଡୋଳା ଦୁଇଟି ଘୂରିବା ଦେଖି ଅବିନାଶ ପଚାରିଲା, କିପରି ଲାଗୁଛି ମଣି ?

 

ମଣିବାଲା ଘରର ଚତୁର୍ଦ୍ଦିଗକୁ ଭୟାତୁର ଦୃଷ୍ଟିରେ ଥରେ ଦେଖି ନେଇ କହିଲା, ଗଲା କୁଆଡ଼େ ?

କିଏ ?

 

କଳା କଳା ଲୋକଗୁଡ଼ାଏ କୋଠା ଚାରିପାଖେ ପହରା ଦେଉଥିଲେ । କିନ୍ତୁ ସେ ଜଣକ ସର୍ଦ୍ଦାର ନିଶ୍ଚୟ……

 

ଆଚ୍ଛା ଆଚ୍ଛା ତମେ ବିଶ୍ରାମ ନିଅ । ପୋଲିସ ତାକୁ ଜବ୍‍ଦ କରିବ ।

 

ମଣିବାଲାର ଭୀତତ୍ରସ୍ତ ମୁଖଭଙ୍ଗୀରୁ ଘଟଣାର ଗୁରୁତ୍ୱ ଅନୁମାନ କରି ତାକୁ ଚୁପ୍ ରହିବାକୁ ଇଙ୍ଗିତ ଦେଇ ସେ ଶୋଇବା ପର୍ଯ୍ୟନ୍ତ ତା ଶଯ୍ୟା ପାଖରେ ବସି ରହିଲା ଅବିନାଶ । କିଛି ସମୟ ପରେ ହଲ୍ ଘଣ୍ଟାରେ ଦିଟା ବାଜିଲା ।

 

ଗତରାତିର ଦୁର୍ଘଟଣା ନେଇ ରଜନୀବାବୁ କହନ୍ତି ସେ କିଛି ଜାଣିବା ପୂର୍ବରୁ ଶୋଇଥିବାବେଳେ ତାଙ୍କୁ କିଏ ମାଡ଼ି ବସିଲା ଏବଂ ମୁହୂର୍ତ୍ତକ ଭିତରେ ସେ ଜାଣିବାକୁ ପାଇଲେ ତାଙ୍କ ଚେତା ଯେପରି ହଜିଯାଉଚି । ଯେତେବେଳେ ଚେତା ଫେରି ପାଇଲେ ଦେଖିଲେ ପଲଙ୍କ ଦେହରେ ସେ ବନ୍ଧା ହେଇଛନ୍ତି ଏବଂ ତାଙ୍କ ପାଟିରେ ବହେ ଲୁଗା ବିଣ୍ଡା ମଡ଼ା ହେଇଚି ।

 

ମଣିବାଲାର ବକ୍ତବ୍ୟ ଯେ ଠକ୍ ଠକ୍ ଓ ଗଁ ଗଁ ଶବ୍ଦରେ ସେ ଉଠିପଡ଼ି ସଂଶୟ ମନରେ ବାରଣ୍ଡାକୁ ଆସିଲା । ବାରଣ୍ଡାର ସବୁ ବତୀଗୁଡ଼ା ଲିଭି ଥିବାରୁ ଅନ୍ଧାର ହୋଇଥାଏ । ସେ ନିଃଶବ୍ଦରେ ଆସି ରଜନୀବାବୁଙ୍କ ରୁମ୍ ବାହାରେ ଛିଡ଼ା ହେଇ ଅପେକ୍ଷା କଲା । କିଛିକ୍ଷଣ ପରେ ଦେଖୁ ଦେଖୁ ଘର ଭିତର ବତୀଟା ଅଫ୍ ହେଇଗଲା ଏବଂ ଏକ ଲମ୍ବା ଛାୟାମୂର୍ତ୍ତି ତରବରରେ ଘର ଭିତରୁ ବାହାରି ଆସୁ ଆସୁ ହଠାତ୍ ମଣିବାଲାକୁ ଦେଖି ତା ଉପରକୁ ଲମ୍ଫ ପ୍ରଦାନ କଲା । କିଛିକ୍ଷଣ ପରେ ମଣିବାଲା ଅଚେତ ହେଇଗଲା । ତାପରେ ଛାୟା ମୂର୍ତ୍ତିଟିକୁ ଆଉ କେହି ଲକ୍ଷ୍ୟ କରିପାରି ନାହାନ୍ତି । ଦୃଶ୍ୟପରେ ଦୃଶ୍ୟ ସଜ୍ଜା ହେଲା ପରି ଏ ରହସ୍ୟମୟ ଘଟଣାଟି ଅଭିନୀତ ହେଇଗଲା ଯେପରି ।

 

ଦରୱାନ କୁହେ– ପ୍ରଥମେ ଜଣେ ପୋଲିସ କନେଷ୍ଟବଳ ଆସି କହିଲା ରଜନୀବାବୁଙ୍କୁ ଦେଖା କରିବା ପାଇଁ ଥାନାରୁ ଆସିଛି । ସେ ରାଜି ହେଇ ତାକୁ ଭିତରକୁ ଆଣିଲା । ହଲ୍ ଭିତରେ ଆସୁଥିବାବେଳେ ଆକସ୍ମିକଭାବେ ତାକୁ ଧକା ଦେଇ ତଳେ ପକେଇ ଦେଲା ଏବଂ ଗୋଟାଏ ଟାଣ ଜିନିଷରେ ତା ମୁଣ୍ଡକୁ ଜୋର୍‍ରେ ଆଘାତ କରିବା କ୍ଷଣି ସେ ଅଚେତ ହେଇଗଲା । କେବଳ ମଣିବାଲା ଛଡ଼ା ରଜନୀବାବୁ ଓ ଦରୁଆନ୍ ଦୁହିଁଙ୍କୁ ବାନ୍ଧି ପକେଇ ପାଟିରେ ଲୁଗା ବିଣ୍ଡା ମାଡ଼ି ଦେଇଥିଲେ ଦୁର୍ବୃତ୍ତମାନେ ।

 

ପୋଲିସ ସାହେବ ସବୁ ଶୁଣି ନୋଟ ବୁକରେ ଲେଖିବା ପରେ କହିଲେ, ଆପଣଙ୍କ ମତାମତ କ’ଣ ଅବିନାଶ ବାବୁ ।

 

ଦସ୍ୟୁ ଦଳର ଏ ଚକ୍ରାନ୍ତ କଥା ଭାବି ମୁଁ ଆଶ୍ଚର୍ଯ୍ୟ ହେଉଚି । କିନ୍ତୁ ସେମାନଙ୍କର ଉଦ୍ଦେଶ୍ୟ ଯେ ଖୁନ୍ କରିବା ନୁହେଁ, ଦୁଇଟି ଘଟଣାରୁ ମୁଁ ସ୍ପଷ୍ଟ ଜାଣିପାରୁଚି ।

 

ଆଚ୍ଛା, ରଜନୀବାବୁ ସେ ଲୋକ ସମ୍ବନ୍ଧରେ କିଛି ଧାରଣା କରି ପାରୁଛନ୍ତି ?

ନାଁ, କିନ୍ତୁ ସେ ଏତକ କୁହନ୍ତି ଯେ ସେ ଲୋକକୁ ସେ ଚିହ୍ନନ୍ତି ।

ଏଁ !

 

କିନ୍ତୁ ଏସବୁ ଅର୍ଥହୀନ ଆଜ୍ଞା । ସେ ଏକବାରକେ ପାଗଳ ହେଇ ଯାଇଛନ୍ତି କହିଲେ ଚଳେ । ଅଥଚ ଠିକ୍ ପରମୁହୂର୍ତ୍ତରେ ସେ ସ୍ପଷ୍ଟ ମନାକଲେ ଯେ ତାକୁ ମୋଟେ ଚିହ୍ନନ୍ତି ନାହିଁ । ଆକୁ ପାଗଳାମି ଛଡ଼ା କ’ଣ କୁହାଯାଇପାରେ ?

 

ପାଗଳ ନୁହନ୍ତି ଅବିନାଶ ବାବୁ ! ସେ ତାଙ୍କ ଅଜ୍ଞାତରେ ସତ କହି ଯୋଉ ବଡ଼ ଭୁଲ କରି ବସୁଥିଲେ, ତାକୁ ବୋଧେ ସେ ସଂଶୋଧନ କରି ନେଲେ !

 

ହେଇପାରେ–

 

କିନ୍ତୁ ଅବିନାଶ ବାବୁ, ଆପଣ ଆଇନକୁ ନିଜ ହାତକୁ ନିଅନ୍ତୁ ନାହିଁ । ଆପଣଙ୍କର ଏ ଭୁଲ ଯେପରି ପୁନର୍ବାର ନ ହୁଏ । ଆପଣ ଏସବୁ ଜାଣି ଆଗରୁ ଆମକୁ ଜଣେଇବା ଉଚିତ ଥିଲା । ଏସବୁ ଅଦ୍ଭୁତ ଘଟଣା ଶୁଣି ଯେକୌଣସି ପୋଲିସ ଅଫିସର ଆଶ୍ଚର୍ଯ୍ୟ ହେବ । ପୋଲିସକୁ ଖବର ନ ଦେଇ ଆପଣ ନିଜ ଜୀବନକୁ ବିପଦପନ୍ନ କରିବା ସଙ୍ଗେ ସଙ୍ଗେ ଆଉ କେତୋଟି ଜୀବନକୁ ମରଣ ମୁହଁକୁ ଠେଲି ଦେଉଛନ୍ତି ।

 

ବାସ୍ତବିକ୍ ସେଥିପାଇଁ ମୁଁ ଦୁଃଖିତ ।

 

ଯୁବକଟିର ସାରଲ୍ୟରେ ପୋଲିସ ସାହେବ ସନ୍ତୁଷ୍ଟ ହେଇ କହିଲେ, ଆଚ୍ଛା, ! ହଁ, ଆପଣଙ୍କ ଲେଡ଼ି ଟାଇପିଷ୍ଟର ଅବସ୍ଥା କିପରି ?

 

ଆପଣଙ୍କ ଇଙ୍ଗିତ ମୁଁ ବୁଝିପାରୁଚି । କିନ୍ତୁ କୌଣସି ଗୋଟିଏ ହେଲେ ପ୍ରମାଣ ମୁଁ ପାଇ ପାରିନି । ହଠାତ୍ ତାଙ୍କର ମୁହଁର ଅଭିବ୍ୟକ୍ତିରେ ପରିବର୍ତ୍ତନ ଦେଖାଗଲା । ସେ ଚେୟାର ଛାଡ଼ି ଉଠି ଆସୁ ଆସୁ କହିଲେ, ମୁଁ ଆସୁଛି । ନମସ୍କାର !

 

ପୋଲିସ ସାହେବଙ୍କ ଅଫିସରୁ ବାହାରି ଆସି ଅବିନାଶ ରାସ୍ତା କଡ଼ରେ ଛିଡ଼ା ହୋଇ ମୁହୂର୍ତ୍ତେ ଭାବିଲା । ସବୁ କଥା ଭିତରେ ରଜନୀବାବୁ ପ୍ରକାଶ କରିଥିବା ହୀରା ହାର ଚୋର ନାଁଟି କେବଳ ପୋଲିସ ସାହେବଙ୍କ ପାଖରେ ଗୋପନ ରଖିଚି ସେ ।

 

ଦିନ ବାରଟା । ଅବିନାଶ ସିଧା ଘରକୁ ନ ଫେରି ଝଟକାଟାଏ କରି ବିଜିପୁର ଭିତରକୁ ଗଲା । ନିର୍ଦ୍ଦିଷ୍ଟ ଘରଟି ଆଗରେ ପହଞ୍ଚି ଦେଖିଲା କବାଟ ବନ୍ଦ । ପାଖ ପଡ଼ୋଶୀକୁ ପଚାରିବାରୁ ସେ କହିଲା ଚାରି ପାଞ୍ଚଦିନ ହେବ ବାବୁ ନାହାନ୍ତି । ଅବିନାଶ ଚିନ୍ତିତ ମନରେ ଫେରି ଆସୁ ଆସୁ ପଛରୁ ଶୁଣିବାକୁ ପାଇଲା ଉକ୍ତ ପଡ଼ୋଶୀଟି କହୁଚି, ହଁ ଆଜ୍ଞା, ସେ ଥାଇ ପାରନ୍ତି, କାଲି ରାତିରେ ମୁଁ ସିନେମାରୁ ଫେରିଲାବେଳେ ଦେଖିଲି ଘରେ ବତୀ ଜଳୁଥିଲା ।

 

ତାଙ୍କ ସହିତ ଆଉ କେହି ରୁହନ୍ତି ନା କ’ଣ ?

 

ନାଁ, ସେ ଏକେଲା । କିନ୍ତୁ ସେ କେବଳ ନାଁକୁ ଏଠି ରୁହନ୍ତି । ସବୁବେଳେ ବାହାରେ ବୁଲିବା ତାଙ୍କ କାମ ।

 

ଆଚ୍ଛା, ସେ କ’ଣ କରନ୍ତି କହିପାରିବେ କି ?

 

ନା ଆଜ୍ଞା ! ତେବେ ମୋର ଯେତେଦୂର ମନେହୁଏ କୌଣସି ଦଲାଲି-ଫଲାଲି କାମ ସେ କରନ୍ତି ।

 

କେତେବର୍ଷ ହେଲା ସେ ଏଠି ରହିଲେଣି ?

ପ୍ରାୟେ ବର୍ଷେ ହେବ ।

 

ଓଃ ! ଆଚ୍ଛା ନମସ୍କାର । ଭଦ୍ରଲୋକଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ଆପ୍ୟାୟିତ କଣ୍ଠରେ ଏତକ କହି ଅବିନାଶ ଫେରି ଆସିଲା ।

 

ରଜନୀବାବୁ ନିଜ ଚେମ୍ବରରେ କାଗଜପତ୍ର ନେଇ ବ୍ୟସ୍ତ ଥିଲାବେଳେ ଅବିନାଶକୁ ଆସିବା ଦେଖି କହିଲେ, ଅବିନାଶ ! ତମେ ତଦନ୍ତ ଯାହା କରୁଚ କର, ମତେ ବ୍ୟବସାୟ ସଂକ୍ରାନ୍ତରେ ରାତି ମେଲ୍‍ରେ କଲିକତା ଯିବାକୁ ହେବ ।

 

ଆପଣ କଲିକତା ଯିବା ଅବସ୍ଥାରେ ଅଛନ୍ତି ତ ? ସ୍ୱଭାବସିଦ୍ଧ କଣ୍ଠରେ କହିଲା ଅବିନାଶ-

 

ୟାଠୁ ବେଶୀ ସଙ୍କଟ ଉପୁଜିଛି ମୋ ବ୍ୟବସାୟରେ । ସେପରି କିଛି ଜରୁରୀ ପରିସ୍ଥିତି ସୃଷ୍ଟି ହେଇ ନ ଥିଲେ ମ୍ୟାନେଜର ଏକ୍ସପ୍ରେସ ଟେଲିଗ୍ରାମ କରି ନ ଥାନ୍ତେ । କାଗଜପତ୍ର ସଜାଡ଼ିଲା ଭିତରେ ଅବିନାଶ ମୁହଁକୁ ଟିକିଏ ଅନେଇ ଦେଇ ରଜନୀବାବୁ କହିଲେ, ପୁଣି ଯଦି କୌଣସି ବିଭ୍ରାଟ ଘଟେ ମୋ ଟେଲିଗ୍ରାମ କି ଟ୍ରଙ୍କ୍ ଟେଲିଫୋନ ପାଇଲା ମାତ୍ରେ ଯିବ ।

 

ଆପଣଙ୍କ ସହିତ ମୁଁ ଯାଇଥିଲେ ଭଲ ହୋଇଥାନ୍ତା, କିନ୍ତୁ ମୁଁ ଯେଉଁ ସମାଧାନରେ ଆସି ପହଞ୍ଚିଛି, ମୋର ଧାରଣା ସେମାନେ ଆଉ ଆପଣଙ୍କୁ ନେଇ କୌଣସି ପ୍ରକାର ଚାଲ୍ ଖେଳିବାକୁ ଚାହାନ୍ତି ନାହିଁ ।

 

ରଜନୀବାବୁ କେତେକ ଜରୁରୀ ଫାଇଲ ଧରି ପାହାଚ ଉପରେ ଆସୁ ଆସୁ କହିଲେ, ବିପିନର ସନ୍ଧାନ ମିଳିଲା ?

 

ସେ ଏଠି ଚାରି ପାଞ୍ଚ ଦିନ ହେବ ନାହିଁ ।

 

ହୁଁ, ସେ ସଇତାନର ଏ କାମ । ତାର ସବୁ ଚାଲବାଜି ମୁଁ ଭାଙ୍ଗି ଦେଉଛି । ମୋ ଆଲମାରୀରେ ହୀରା ନେକଲେସ ଥିବା ବିଷୟ ତା ଛଡ଼ା ଦ୍ୱିତୀୟ ବ୍ୟକ୍ତି କେହି ଜାଣନ୍ତି ନାହିଁ ଅବିନାଶ । ସେ ଏପରି କୃତଘ୍ନ ହେବ ବୋଲି ମୁଁ ଜାଣିଥିଲେ.....ଟିକିଏ ରହି ଦୀର୍ଘ ନିଶ୍ୱାସ ନେଇ କହିଲେ, ଦିନେ ତାକୁ ବିଶ୍ୱାସ କରୁଥିଲି.....

 

ସେ ବିଶ୍ୱାସର ଆଜି ସେ ଯଥେଷ୍ଟ ସୁବିଧା ନେଲା । ତାରି ପାଇଁ ଆଜି ଆପଣଙ୍କ ଜୀବନ ବିପନ୍ନ । ତାରି ପାଇଁ ସହସ୍ରାଧିକ ଟଙ୍କାର ଦାମୀ ହାର ଚୋରି ହୋଇଗଲା ପରେ ବି ଆପଣ ଚୁପ୍ ରହୁଛନ୍ତି । ଏ ରହସ୍ୟ ଆପଣ ଖୋଲି ନ କହିବା ପର୍ଯ୍ୟନ୍ତ.….

 

ଆସ୍ତେ ଅବିନାଶ ! ତମେ ଡିଟେକ୍ଟ କରିବାକୁ ଆସି ମତେ ଏପରି ଅପଦସ୍ତ କରନି...Walls have ears......

 

ମଣିବାଲା ତା ରୁମ୍‍ରୁ ବାହାରି ଏମାନଙ୍କ ପାଖ ଦେଇ ଅଫିସ ଆଡ଼େ ଚାଲିଗଲା । ରଜନୀବାବୁ ବକ୍ର ଦୃଷ୍ଟିରେ ମଣିବାଲାକୁ ଦେଖି ନେଇ କହିଲେ, କି ଅନୁକୂଳରେ ଏଠାକୁ ଆସିଲି, ସେଇଦିନୁ ଏ ପ୍ରାସାଦ ଚାରିପାଖେ ଯେପରି ଏକ ରହସ୍ୟ ଜାଲ ଘେରା ହେଇଚି । ୟାର କେବେ ସମାଧାନ ହେବ ଭଗବାନ କେବଳ ଜାଣନ୍ତି......

 

କହୁ କହୁ ସେ ନିଜ ରୁମ୍‍ରେ ପହଞ୍ଚି ସାରିଥିଲେ ।

 

ଅବିନାଶ କବାଟ ବନ୍ଦ କରି ଦେଇ ଚେୟାରରେ ବସୁ ବସୁ କହିଲା, ମୋର କେତୋଟି ଜରୁରୀ ବିଷୟ ଆପଣଙ୍କଠୁ ଜାଣିବାକୁ ଅଛି !

 

କ’ଣ ଏଇ ଚୋରି ସଂକ୍ରାନ୍ତରେ ?

 

ଅବିନାଶ ତାଙ୍କ ପ୍ରଶ୍ନର କୌଣସି ଉତ୍ତର ନ ଦେଇ ମିନିଟିଏ ଚୁପ୍ ରହି କହିଲା, ଆପଣଙ୍କ ବ୍ୟବସାୟ କେତେଦିନ ହେଲା ଏଠାକୁ ଆସିଚି ?

 

ତିନିବର୍ଷ ହେବ ।

ବିପିନବାବୁ ସହିତ ଆପଣଙ୍କର ସମ୍ୱନ୍ଧ ?

ବନ୍ଧୁତା ଛଡ଼ା କିଛି ନୁହେଁ । ତେବେ ମୋ ବ୍ୟବସାୟରେ ସେ ଟିକିଏ ଇଣ୍ଟରେଷ୍ଟେଡ଼.....

କିପରି ?

 

ଏଇ ମାନେ କଞ୍ଚା ମାଲର ଯୋଗାଣ । ଓଡ଼ିଶାକୁ କମ୍ପାନୀ ଆସିବା ପୂର୍ବରୁ ମୋ କମ୍ପାନୀକୁ ଓଡ଼ିଶାରେ ରିପ୍ରେଜେଣ୍ଟ କରୁଥିଲା ସେ ।

 

ଆପଣଙ୍କର ଯେଉଁ ଉଇଲ ଚୋରି ଯାଇଚି, ସେଥିରେ ତାର କିଛି ସ୍ୱାର୍ଥ ଥାଇପାରେ କି-?

 

ଉଇଲର ନିରାପତ୍ତା ଦୃଷ୍ଟିରୁ ସେଇଟି ମୋ ପାଖରେ ରଖା ହେଇଥିଲା । ବିପିନ ସେ ଲୋକକୁ ଚିହ୍ନେ–

 

ହୁଁ– ଅବିନାଶ ପ୍ରତ୍ୟେକ ବିଷୟ ମନ ଦେଇ ନୋଟ କରୁଥାଏ ।

 

ହେଲା ? ରଜନୀବାବୁ ଉଦ୍‍ବିଗ୍ନ ହେଇ ପଚାରିଲେ । କିନ୍ତୁ ଏ ସବୁ ତମ ଅନୁସନ୍ଧାନ କାର୍ଯ୍ୟରେ ମୋଟେ ସାହାଯ୍ୟ କରିବନି ଅବିନାଶ !

 

କିନ୍ତୁ ଏ ସବୁ ଆପଣଙ୍କଠୁ ସଂଗ୍ରହ ନ କଲେ ବିପିନକୁ ଆରେଷ୍ଟ କରି ହବନି । ଏସବୁ ବିପିନ ବିରୁଦ୍ଧରେ ଖୁବ୍ ଗୁରୁତର ଅଭିଯୋଗ–

 

ଅଭିଯୋଗ ? ରଜନୀବାବୁ ଆଶ୍ଚର୍ଯ୍ୟରେ ଅବିନାଶକୁ ପ୍ରଶ୍ନ କଲେ, କିନ୍ତୁ ଅବିନାଶ ସ୍ପଷ୍ଟ ଦେଖିପାରିଲା ତାଙ୍କ ଦୃଷ୍ଟି ଅନ୍ତରାଳରେ ଯେପରି ହତାଶାର ଏକ ଚିହ୍ନ ସ୍ପଷ୍ଟ ହେଇ ଉଠିଛି ।

 

ଅବିନାଶ ତାଙ୍କୁ ଆଶ୍ୱସ୍ତ କରିବା ଉଦ୍ଦେଶ୍ୟରେ କହିଲା, ହଁ, ବିପିନ ଆରେଷ୍ଟ ହବା ମାତ୍ରେ ତାର ପାଖରୁ ଡକାୟତ ଦଳର ସମସ୍ତ ତଥ୍ୟ ଜଣାପଡ଼ିବ, କି-ଏ ?

 

ବାହାରେ କା’ର ପାଦ ଶବ୍ଦ ଅନୁମାନ କରି କ୍ଷିପ୍ରଗତିରେ କବାଟ ଖୋଲି ଦେଇ ବାହାରକୁ ଦେଖିଲା ଆସି ଅବିନାଶ, କେହି ନାହିଁ । ତାପରେ ସେ ବିଜୁଳି ବେଗରେ ପାହାଚ ପାଖକୁ ଚମକି ଆସି କାହାରିକୁ ନ ଦେଖି ଫେରିଗଲା । ପୁଣି ମଣିବାଲା ରୁମ୍ ପର୍ଯ୍ୟନ୍ତ ଆସି ତା କବାଟରେ ହାତ ମାରି ଦେଖିଲା କବାଟ ଭିତରୁ ବନ୍ଦ ହେଇଚି ।

 

କିଏ ଅବିନାଶ ? ଅବିନାଶକୁ ରୁମ୍ ଭିତରକୁ ଫେରି ଆସିବା ଦେଖି ରଜନୀ ବାବୁ କହିଲେ, ଦିନ ଦି ପହରେ ଆମକୁ ଆକ୍ରମଣ କରିବା ପାଇଁ କେହି ସାହାସ କରିବନି । ପୁଣି ତମେ ଯେ କହୁଚ ଆଉ ମୋ ଉପରେ ସେମାନଙ୍କର ଦୃଷ୍ଟି ନାହିଁ ।

 

କିନ୍ତୁ ମୋର ସମସ୍ତ ପ୍ଲାନକୁ ବିଫଳ କରିବା ଉଦ୍ଦେଶ୍ୟରେ ସତର୍କ ପ୍ରହରୀ ପରି ସେମାନେ ସବୁବେଳେ ଜାଗ୍ରତ ଅଛନ୍ତି ସାର !

 

ରଜନୀବାବୁଙ୍କୁ ଏକେଲା ଛାଡ଼ିଦେଇ ତାପରେ ଏକ ଭାବପୂର୍ଣ୍ଣ ଭଙ୍ଗୀରେ ତାଙ୍କ କୋଠରୀରୁ ବାହାରି ଆସିଲା ଅବିନାଶ ।

 

ଅବିନାଶ ତା ରୁମ୍‍କୁ ଫେରି ଆସିବା ପନ୍ଦର କୋଡ଼ିଏ ମିନିଟ ପରେ କବାଟରେ କାର କରାଘାତ ଶୁଣି ପଚାରିଲା, କିଏ ?

 

ମୁଁ ମଣିବାଲା......

 

ଓ ମିସ୍ ମଣି ! ଆଚ୍ଛା । କହି ଅବିନାଶ କବାଟ ଖୋଲିଦେଇ ଦେଖିଲା ମଣିବାଲାର ମୁଖାକାଶରେ ଅଦିନର ବୃଷ୍ଟିଆସନ୍ନ ମେଘ ଜମାଟ ବାନ୍ଧିଚି । ଦୃଷ୍ଟିର ସେ ନୀଳ ସୁଷମା କୁଆଡ଼େ ଉଭେଇ ଯାଇଚି । ଅବିନାଶ ତା ମନର ରଙ୍ଗୀନ ଭାବନାକୁ ମନେ ମନେ ଦମନ କରି ନୀରବରେ ଆସି ବିଛଣାରେ ବସିଲା । ମଣିବାଲା ଚେୟାରରେ ବସିବା ପରେ ଅବିନାଶ ପଚାରିଲା, ତମର କ’ଣ ହେଇଚି ମଣି ! କୌଣସି ଦୁଃସମ୍ୱାଦ ପାଇଚ ନା କ’ଣ ?

 

ନିରାଶ୍ରୟା ପ୍ରେମିକାମାନଙ୍କ ପାଇଁ ପ୍ରେମିକର ପତ୍ର କେବେ ଦୁଃସମ୍ୱାଦ ଆଣେ ନା ଅବିନାଶବାବୁ । ଖୁବ୍ ସୁସମ୍ୱାଦ ।

 

ଏ ଅଶ୍ରୁଳ ବ୍ୟଙ୍ଗର ଇଙ୍ଗିତ ଅବିନାଶ ବୁଝି ନ ପାରି ଉଦ୍ଦେଶ୍ୟହୀନ ଦୃଷ୍ଟିରେ ମଣିବାଲାକୁ ଖାଲି ଅନେଇ ରହିଲା ।

 

କ’ଣ ଖୋଲି କୁହ, ଯଦି ମୋଦ୍ୱାରା କୌଣସି ପ୍ରକାର ସାହାଯ୍ୟ–

ସାହାଯ୍ୟ ନିଶ୍ଚୟ ! ପ୍ରେମପତ୍ର ଦେବା ପରେ ଆଉ ବାକି କ’ଣ ରହିଲା ?

ପ୍ରେମପତ୍ର ? କି ପ୍ରେମପତ୍ର ? ମାନେ–କ୍ଷମା କରିବ, ତମେ କୌଣସି ବେନାମୀ ଚିଠି ପାଇ–

 

ପ୍ରେମିକ କେବେ ବେନାମୀ ଚିଠି ଦିଏନା ଆଜ୍ଞା ! ଖୁବ୍ ସୁନ୍ଦର ଭାବରେ ଦସ୍ତଖତ କରି ପଠେଇଛନ୍ତି । ବ୍ୟଥିତ କଣ୍ଠରେ କହୁ କହୁ ଡାକରେ ଆସିଥିବା ଲଫାପାଟିକୁ ଅବିନାଶ ହାତକୁ ବଢ଼େଇ ଦେଇ ମଣିବାଲା କହିଲା, ଦେଖନ୍ତୁ ଏ ଦେଶର ଦାୟିତ୍ୱସମ୍ପନ୍ନ ଯୁବକମାନେ ଆଶ୍ରୟହୀନ ଯୁବତୀମାନଙ୍କୁ କିପରି ନିର୍ଲ୍ଲଜ ଭାବରେ ପ୍ରେମ ସମ୍ଭାଷଣ ଜଣେଇ ପାରନ୍ତି–

 

ଅବିନାଶ ରଙ୍ଗୀନ ଲଫାପାଟି ଦେଖି ଆଶ୍ଚର୍ଯ୍ୟ ହେଇଗଲା । ତା ଭିତରୁ ଚିଠିଟି ଦେଖିବାମାତ୍ରେ ତା’ ମୁହଁ କାଗଜ ପରି ଧଳା ହୋଇଗଲା । ପଢ଼ିସାରି ସେ ମଣିବାଲା ମୁହଁକୁ ନିର୍ବୋଧ ପରି ଅନେଇ କହିଲା, ମୁଁ ନୁହେଁ ମିସ୍ ମଣି ! ମତେ ଭୁଲ ବୁଝନା, ନିଶ୍ଚୟ କେହି ଜାଲ୍ କରିଚି ।

 

 

ହୁଁ, ପ୍ରେମଫାନ୍ଦ ଧରାପଡ଼ିଲେ ଅବିବେକୀ ଯୁବକମାନେ ଯାହା କହନ୍ତି, ଆପଣ ସେଥିରୁ ଟିକିଏ ହେଲେ ବ୍ୟତିକ୍ରମ କରୁ ନାହାନ୍ତି । ବନ୍ଧୁତ୍ୱର ଆଢ଼ୁଆଳରେ ଆପଣ ବେଶ୍‍ ପ୍ରେମର ସ୍ୱାଦୁ ଚାଖୁଛନ୍ତି । ଆପଣଙ୍କ ଦୃଷ୍ଟିରେ ଆମେ ଗୋଟାଏ ଗୋଟାଏ ଖେଳନା...... ନୁହେଁ ?

 

ବ୍ୟଙ୍ଗ ବିଦ୍ରୁପରେ ଜର୍ଜରିତ ହେଇ ଅବିନାଶ ମୁଣ୍ଡରେ ହାତ ଦେଇ ବସି ପଡ଼ିଲା । ସେ ଅଭିଯୋଗର କିପରି ଖଣ୍ଡନ କରିବ କିଛି ଭାବି ପାରିଲାନି ।

 

କି ଦୁଃସମୟରେ ତୁମ ସହିତ ଦେଖା ହେଲା ମିସ୍ ମଣି, ତମ ଦୁଃଖ ମୁଁ ବୁଝିପାରୁଚି । କିନ୍ତୁ ମୁଁ innocent ଏ ଚିଠି ମୁଁ ଲେଖିନି.....ମତେ ଅନ୍ତତଃ ବିଶ୍ୱାସ କର......

 

ଲେଖିନ–ଲେଖିନ, ଆଉ କିଏ ଲେଖିଲା କୁହନ୍ତୁ ! ଏତକ ପ୍ରମାଣ ନ ଥିଲେ ଆପଣ ଯେପରି ମିଥ୍ୟାର ଆଶ୍ରୟ ନେଉଛନ୍ତି ଆମ ଆଶ୍ରୟହୀନାମାନଙ୍କର ଯେ କି ଦୁର୍ଦ୍ଦଶା ହୁଅନ୍ତା–

 

ବେଶ୍, ତମେ ଚାହଁ କ’ଣ ?

ମୋର ସର୍ବନାଶ କରିବା ପରେ ଆପଣ ପଚାରୁଛନ୍ତି କ’ଣ ଚାହଁ !

ସର୍ବନାଶ ?

 

ସର୍ବନାଶ ନୁହେଁ ଆଉ କ’ଣ ? ଏ ଅଫିସରେ ଆଉ ମୁଁ ମୁହଁ ଦେଖେଇ ପାରିବି ? ଏ ଚିଠିର ବିଷୟବସ୍ତୁ ରଜନୀବାବୁଙ୍କ କାନକୁ ଗଲେ ସେ ଆପଣଙ୍କୁ ବାହାବ ଦେଇପାରନ୍ତି, କିନ୍ତୁ–

 

ମିସ୍ ମଣିବାଲା ! ଅବିନାଶ ଆର୍ଦ୍ର କଣ୍ଠରେ ଅନୁରୋଧର ସ୍ୱର ତୋଳି ମଣିବାଲା ପାଖରେ ଆସି ଅପରାଧୀଟି ପରି ଛିଡ଼ା ହେଲା । ତାପରେ ଖୁବ୍ ଧୀର କଣ୍ଠରେ କହିଲା, ଯେଉଁ ବିପଦରେ ପଡ଼ି ମୁଁ ଏ ଚିଠି ଲେଖିଚି ତମେ ତା କଳ୍ପନା କରିପାରିବ ନାହିଁ । ସରକାରୀ ଦାୟିତ୍ୱ ଦୃଷ୍ଟିରୁ ମୁଁ ଏ କଥା ପ୍ରକାଶ କରିପାରୁନି । ବାଧ୍ୟହେଇ ମୁଁ ଯେଉଁ ଭୁଲ କରିଚି, ସହକର୍ମୀ ହିସାବରେ ଆଶା କରେ କ୍ଷମା କରିବ.....

 

ଏଇମିତି ସାମୟିକ ଅନୁକମ୍ପାରେ ତରଳି ଯାଇ ସରଳା ବାଳିକାମାନେ ନିଜର ସର୍ବନାଶ କରିଥାନ୍ତି । ଏଥିରୁ ଆପଣ ବାଦ୍ ଯିବେ କିପରି ? ହଉ ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ । କହି କ୍ଷିପ୍ର ଗତିରେ କବାଟ ଖୋଲି ବାହାରି ଆସିଲା ମଣିବାଲା । କିନ୍ତୁ ବାହାରକୁ ଆସି ତରବରରେ ମୁହଁ ଉପରେ ରୁମାଲଟା ବୁଲାଇ ନେଇ ବେଶ୍‍ ପ୍ରଫୁଲ୍ଲ ମନରେ ପାହାଚ ଉପରେ ଡେଇଁ ଡେଇଁ ଉପରକୁ ଚାଲିଗଲା ।

 

ସେଇ ରାତି ମେଲରେ ରଜନୀବାବୁ କଲିକତା ଚାଲିଗଲେ । ତା ପରଦିନ ସକାଳୁ ଆସି ଅବିନାଶ ଦେଖିଲା ମଣିବାଲା ଦରଜା ତାଲା ବନ୍ଦ ।

 

ଦୋମହଲାର ଏକ ପ୍ରଶସ୍ତ ଅପରିଷ୍କାର ଘରେ ମହମବତୀଟିଏ ଜଳୁଚି ବାହାରେ ନିବିଡ଼ ଅନ୍ଧକାର । ରାତ୍ରିର ସ୍ତବ୍ଧତା ଭୀଷଣ ରୂପ ଧାରଣ କରିଚି ।

 

ଘରର ଗୋଟିଏ ପାଖ କାନ୍ଥରେ ଝୁଲୁଥିବା ଶିକୁଳିରେ ହାତ ଗୋଡ଼ ବନ୍ଧା ହୋଇ ଦୀର୍ଘ ଶରୀର ବିଶିଷ୍ଟ ଗୋଟିଏ ଲୋକ ଛିଡ଼ା ହୋଇଚି । ତା ସାମନା ଚେୟାରରେ ବସିଚି ଏକ ପୁରୁଷବେଶୀ ନାରୀ । ପୂର୍ବକାର ସେଇ ଦସ୍ୟୁରମଣୀ । ଫୁଲପ୍ୟାଣ୍ଟ ଉପରେ ବୁସ୍ ସାର୍ଟ । ଚମଡ଼ା ବେଲ୍ଟ ପରିବେଷ୍ଟିତ ଅଭିନବ ପରିପାଟୀ ତରୁଣୀଟିର ସୌନ୍ଦର୍ଯ୍ୟକୁ ଆଉରି ବର୍ଦ୍ଧନ କରୁଥାନ୍ତା ଯଦି ନୀଳ ଚଷମାରେ ତା ଚକ୍ଷୁ ଯୁଗଳ ଆଚ୍ଛନ୍ନ ହେଇ ନ ଥାନ୍ତା, କଳା କନାରେ ଆବୃତ୍ତ ହେଇ ନ ଥାନ୍ତା ମୁଖର ସମସ୍ତ ଅଂଶ ।

 

ଗ୍ଲୋଭ ପିନ୍ଧା ହାତରେ ଖଣ୍ଡିଏ ମୋଡ଼ା କାଗଜ ଧରି ଶୃଙ୍ଖଳିତ ଲୋକଟି ଆଗକୁ ଆସି ତାକୁ ଭଲ ଭାବରେ ଦେଖିବା ପରେ ଅଦ୍ଭୁତ ତରୁଣୀଟି କହିଲା, ତମେ ତେବେ ବିପିନ ପଟ୍ଟନାୟକ-? ରଜନୀ ମହାନ୍ତିଙ୍କ ଅତୀତର ଅନ୍ତରଙ୍ଗ ବନ୍ଧୁ ଓ ବର୍ତ୍ତମାନର ବ୍ଲାକମେଲର !

 

ଦେଖନ୍ତୁ ବିପିନ ବାବୁ ! ନିଖୁଣ ଅବସ୍ଥାରେ ଯଦି ଫେରିଯିବାକୁ ଚାହାନ୍ତି ମୋ ପ୍ରଶ୍ନର ଗୋଟିଏ କରି ଉତ୍ତର ଦେଇଯାନ୍ତୁ, ନଚେତ ପରିଣତି କ’ଣ ହେବ କଳ୍ପନା କରିପାରୁଥିବେ । ଏ ରଜନୀ ମହାନ୍ତି ସହିତ ତମର କି ସମ୍ପର୍କ ?

 

ବନ୍ଧୁତା–

କିପରି ବନ୍ଧୁତା ?

ବ୍ୟବସାୟ ସମ୍ୱନ୍ଧୀୟ–

 

ଦେଖ ! ସମୟ ନଷ୍ଟ ନ କରି ସତ ସତ କହି ଦେଲେ ପ୍ରତ୍ୟୁଷ ପୂର୍ବରୁ ଭଲ ପିଲା ପରି ଘରେ ପହଞ୍ଚାଇ ଦିଆଯିବ । ହଁ.....ରଜନୀ ବାବୁଙ୍କ କଲିକତାରେ ଥିବା ବ୍ୟବସାୟ ସମ୍ୱନ୍ଧରେ କିଛି ଜାଣ ? ଦେଖ, ସତ କହିଲେ ତମେ ପୁରସ୍କୃତ ହେବ ।

 

ସେ ମିଲ୍‍ଟି ତାଙ୍କର ନୁହେଁ । ସେ ଜଣେ ଛୋଟ ଅଂଶୀଦାର ।

ତେବେ ବଡ଼ ଅଂଶୀଦାର କିଏ ?

ନରେନ୍ଦ୍ର କୁମାର ରାୟ । ସେ ମରି ଗଲେଣି ।

କେବେ ?

କଲିକତାରେ ହଣାକଟା ଲାଗିଥିବାବେଳେ–

ତାଙ୍କ ମରିବା ବିଷୟରେ କିଛି ଜାଣ ?

 

ସେ ସମୟରେ ମୁଁ କଲିକତାରେ ରହୁ ନ ଥିଲି । ତେବେ ପରେ ଶୁଣିଲି ମୁସଲମାନମାନେ ତାଙ୍କୁ ନିର୍ମମଭାବେ ହତ୍ୟା କଲେ ।

 

ଓଃ ! ତେବେ ନରେନ୍ଦ୍ର ବାବୁଙ୍କର ହେଉଛି ସେ ମିଲ । ତାଙ୍କର ଆଉ କେହି ଉତ୍ତରାଧିକାରୀ ନାହାନ୍ତି ?

ନାଁ–

 

ରାସ୍କେଲ ! ଚାବୁକଟାକୁ ଖୁବ୍ ଜୋରରେ ପବନରେ ପିଟି ଦେଇ ଦସ୍ୟୁନାୟିକା ଗର୍ଜନ କରି ଉଠିଲା, ଥରେ କହୁଚି ମିଛ କହି ଠକିବାକୁ ଚେଷ୍ଟା କଲେ.....ପର ମୁହୂର୍ତ୍ତରେ ବିଜୁଳି ବେଗରେ କମର ପଟିରୁ ତୀକ୍ଷ୍ଣ ଛୁରୀଟାକୁ ବାହାର କରି ବନ୍ଦୀ ଉଦ୍ଦେଶ୍ୟରେ ଫିଙ୍ଗିଲା । ବନ୍ଦୀଟି ଆର୍ତ୍ତନାଦ କରି ଭୟରେ ଆଖି ବୁଜି ଦେଲା । ଛୁରୀକାଟି କିନ୍ତୁ ବନ୍ଦୀର କାନ୍ଧ ଉପରେ ଛିଟକି ଯାଇଁ କାନ୍ଥରେ ବିଦ୍ଧ ହେଇଗଲା ।

 

ତମକୁ ଏତେଶୀଘ୍ର ମାରୁନି ବିପିନବାବୁ ! ତମଠାରେ ଅନେକ କାମ ବାକି ଅଛି.....ହଁ, କ’ଣ କହୁଥିଲି ନରେନ୍ଦ୍ର ବାବୁଙ୍କ ଉତ୍ତରାଧିକାରୀକୁ ତମେ ନିଶ୍ଚୟ ଜାଣ ।

 

ହଁ ପ୍ରକୃତ ଉତ୍ତରାଧିକାରୀ ଥିଲା ତାଙ୍କ ଝିଅଟି । ତାକୁ ମଧ୍ୟ କଲିକତାରେ ଧ୍ୱଂସଲୀଳା ସୃଷ୍ଟି କରିଥିବା ଗୁଣ୍ଡାମାନେ ଧରିନେଇ ଗଲେ ଆଉ...

 

କୁହ !

ନରେନ୍ଦ୍ର ବାବୁଙ୍କ ସ୍ତ୍ରୀ ବଞ୍ଚିଚି–

 

ବେଶ୍‍ ! ତା ଠିକଣା ତମେ ନିଶ୍ଚୟ ଜାଣିଥିବ ଆଉ ରଜନୀବାବୁ ତାକୁ ଯେଉଁଠି ରଖିଥିଲେ ସେଠୁ ତମେ ନିଶ୍ଚୟ ତାଙ୍କୁ ସ୍ଥାନାନ୍ତରିତ କରି ସାରିବଣି । ତମଠୁ ଠିକଣାଟା ମିଳିଯିବ ଅବଶ୍ୟ– କହି ହାତରେ ଧରିଥିବା ଉଇଲଟା ଉପରେ ଦୃଷ୍ଟି ବୁଲେଇ ଆଣି ପୁଣି କହିଲା, ରଜନୀବାବୁ ତେବେ ଏଇପରି ଭାବରେ ନରେନ୍ଦ୍ର ବାବୁଙ୍କର ସମସ୍ତ ସମ୍ପତ୍ତି ଓ ବ୍ୟବସାୟକୁ କରାୟତ୍ତ କରିବା ପାଇଁ ତାକୁ ଦେଉଳିଆ ଘୋଷଣା କରୁଥିଲେ ଆଉ ସେ ଘୋଷଣାର ମୁଖପାତ୍ର ହେଇଥିଲ ତମେ......

 

କିଛିକ୍ଷଣ ବନ୍ଦୀ ମୁହଁକୁ ଚାହିଁ ପୁଣି ଦସ୍ୟୁନାୟିକାଟି କହିଲା, ନରେନ୍ଦ୍ର ବାବୁ ମଲାବେଳେ ବ୍ୟାଙ୍କରେ ତାଙ୍କର କେତେ ହଜାର ଟଙ୍କା ଜମା ଥିଲା ?

 

ପଚାଶ ହଜାର ।

ତମ ଭାଗ କେତେ ପଡ଼ିଲା ?

ସବୁ କାଗଜପତ୍ର ନିଜ ନାଁରେ କରି ରଜନୀବାବୁ ସବୁ ଟଙ୍କା ଆତ୍ମସାତ କରିଛନ୍ତି ।

ଆଚ୍ଛା, ସେ ରାତିରେ ହୀରା ହାର ସଙ୍ଗେ ଉଇଲ କାହିଁକି ଚୋରି କରୁଥିଲ ?

 

ତାର ଏ ସବୁ ଚକ୍ରାନ୍ତକୁ ଗୁପ୍ତ ରଖିଲେ ମତେ ଯେଉଁ କୋଡ଼ିଏ ହଜାର ଟଙ୍କା ଦବବୋଲି ପ୍ରତିଶ୍ରୁତି ଦେଇଥିଲା ସେଥିରୁ ମୋଟେ ପାଞ୍ଚ ହଜାର ଦେଇ ବର୍ଷ ବର୍ଷ କାଳ ଅପେକ୍ଷା କରି ଗୋଟିଏ ପଇସା ଦେଲା ନାହିଁ–

 

ଓ, ସେଇଥି ପାଇଁ ମୂଲ୍ୟବାନ ହୀରା ହାର ଥିବା ସ୍ଥାନ ଜାଣିଥିବାରୁ ତମକୁ ସୁବିଧା ହେଲା । କିନ୍ତୁ ଉଇଲ ନେବା ଉଦ୍ଦେଶ୍ୟ ?

 

ଉଇଲ ଜରିଆରେ ମୁଁ ନରେନ୍ଦ୍ର ବାବୁଙ୍କ ସ୍ତ୍ରୀକୁ ବାହାରକୁ ଆଣି ରଜନୀ ମହାନ୍ତିକୁ ପୋଲିସ ଜିମା କରିଥାନ୍ତି–

 

ବାଃ, ତମ ବୁଦ୍ଧିକୁ ତାରିଫ୍ କରୁଚି । ଆମ ନାଁରେ ବ୍ଲାକ୍‍ମେଲିଂ ଆରମ୍ଭ କରିବା ସାଙ୍ଗେ ସାଙ୍ଗେ ଅବିନାଶକୁ ବୋକା ବନେଇ ଗୁପ୍ତ ଆଲମୀରାରୁ ହାର ସମେତ ଉଇଲକୁ ବି ହାତ ସଫେଇ କଲ । ମୋ ଲୋକ ଠିକଣା ଜାଗାରେ ନ ଥିଲେ ତମେ ମତେ ବେଶ୍‍ ପାଠ ପଢ଼େଇଥିଲ । ହୀରା ହାରର ଲୋଭ ! ଖୁନ୍‍ଠାରୁ ବଳି କି ସୟତାନ ତମେମାନେ ? ନିରୀହା ବିଧବାଠାରୁ କୌଶଳରେ ହୀରା ହାର ହାତପୈଠ କରି ତା ମୃତ ସ୍ୱାମୀକୁ ଦେବାଳିଆ ଘୋଷଣା କରି ତମେ ଦିହେଁ ଯେଉଁ ଚକ୍ରାନ୍ତ କରିଛ ତାର ଉଚିତ ଶାସ୍ତି ତମମାନଙ୍କୁ ମିଳିବ.....କହି ରିଭଲଭର କାଢ଼ି ଲୋକଟି ଉଦ୍ଦେଶ୍ୟରେ ଲକ୍ଷ୍ୟ କରିବା ମାତ୍ରେ ସେ ଆର୍ତ୍ତ ଚିତ୍କାରରେ ଘର ଫଟେଇ ଦେଲା ।

 

ନରହତ୍ୟା ମୁଁ କରେନା । କିନ୍ତୁ ତମପରି ଜାଲିଆ ଆଉ ଧପ୍ପାବାଜି ରହିଲେ ସମାଜ ଉଚ୍ଛନ୍ନ ହୋଇଯିବ । ଗୋଟିଏ ସର୍ତ୍ତରେ ତମକୁ ମୁଁ ଛାଡ଼ି ଦେଇପାରେ-

 

ଶଙ୍କିତ ଲୋକଟି ଉତ୍କଣ୍ଠିତ ପ୍ରାଣରେ ଦସ୍ୟୁରମଣୀକୁ ଚାହିଁଲା ମୁକ୍ତ ଆଶାରେ ।

 

ରଜନୀବାବୁ ଯେଉଁ ଗୁଇନ୍ଦାଟିକୁ ନିଯୁକ୍ତି କରିଛନ୍ତି ତାର ଗତିବିଧି ଲକ୍ଷ୍ୟ କରି ରିପୋର୍ଟ ଦେବ ଆଉ ନରେନ୍ଦ୍ରବାବୁଙ୍କ ବିଧବା ପତ୍ନୀକୁ ଖୋଜାଖୋଜି କରି ତା ଝିଅକୁ ଉଦ୍ଧାର କରିବାରେ ଆମକୁ ସାହାଯ୍ୟ କରିବ ।

 

ପୁରସ୍କାର ?

 

ରଜନୀବାବୁଙ୍କ ପ୍ରତିଶ୍ରୁତି ମୁଦ୍ରା । କିନ୍ତୁ ଦୁଇଦିନ ରହିଲା ପରେ ତମକୁ ଏଠି ମୁକ୍ତି କରାଯିବ । ରଜନୀ କଲିକତା ଯାଇଚି । ସେ ନିଶ୍ଚୟ ଜାଣି ସାରିବଣି ନରେନ୍ଦ୍ରବାବୁଙ୍କ ବିଧବା ପତ୍ନୀ ଆଉ ସେ ପୂର୍ବ ସ୍ଥାନରେ ନାହିଁ । ଏଣେ ନରେନ୍ଦ୍ରବାବୁଙ୍କ ଉଇଲ ମଧ୍ୟ ଗାୟେବ.....ବୁଝିଲ ? ହଁ ସୁରଜିତ ! ବନ୍ଧୁବରଙ୍କୁ ମୁକ୍ତିକରି ଭଲ ଭାବରେ ତର୍କକର...... କହି ଦସ୍ୟୁରମଣୀଟି କକ୍ଷାନ୍ତରିତ ହେଲା ।

 

ଦୁଇଦିନ ଅତୀତ ହୋଇଗଲାଣି । ରଜନୀବାବୁ କଲିକତା ଯିବା ରାତିରେ ମଣିବାଲା ମଧ୍ୟ ଯାଇଥିଲା, ଏପର୍ଯ୍ୟନ୍ତ ଫେରିନି । ମଣିବାଲାର ଆଚାର ବ୍ୟବହାର, ହସ କାନ୍ଦ ଯେମିତି ସବୁ ଅଦ୍ଭୁତ ଧରଣର । ରହସ୍ୟାଚ୍ଛନ୍ନ ତା ମନର ଭାବ । ତାକୁ ଯେପରି ବୁଝି ବୁଝି ହୁଏନା । ସେଦିନ ଦସ୍ୟୁରମଣୀ ଯେଉଁ ଚିଠିଟି ଲେଖେଇ ନେଇଥିଲା, ସେଇଟି ମଣିବାଲା ପାଖକୁ କିପରି ଆସିଲା ? ସେ ଟି ଦୈବାତ ପୋଲିସ କିମ୍ୱା ରଜନୀବାବୁଙ୍କ ହାତରେ ପଡ଼ିଥିଲେ କି ବିଭ୍ରାଟ ସୃଷ୍ଟି ହୋଇ ନ ଥାନ୍ତା ସତେ ! ମଣିବାଲା ସେଦିନ ମିଷ୍ଟର ପାତ୍ର ଓ ଏମ୍, ଏଲ, ଏଙ୍କ ସହିତ ଶରଣାର୍ଥୀ କ୍ୟାମ୍ପ ବୁଲି ଯାଇଥିଲା । ସଂଧ୍ୟାପରେ ଆଉ ଦୁଇଟି ତରୁଣୀ ସହିତ ରେଷ୍ଟୁରାଣ୍ଟରେ ପ୍ରବେଶ କରିବା ସେ ବେଶ୍‍ ଲକ୍ଷ୍ୟ କରିଛି । ତାହାପରେ ଯାହାସବୁ ଘଟିଚି ଅବିନାଶ ପାଖରେ ସେ ସବୁ ଅଦୃଶ୍ୟ ରହିଯାଇଚି । ଦସ୍ୟୁରମଣୀର ଚରମାନେ ସବୁବେଳେ ତା ଉପରେ ଯେପରି ସତର୍କ ଦୃଷ୍ଟି ରଖିଛନ୍ତି । ରାତିର ଶେଷ ପ୍ରହରରେ ଏସବୁ ଘଟିଥିଲେ ହେଁ ରେଷ୍ଟୁରାଣ୍ଟ ଘଣ୍ଟାର ସମୟ ନିର୍ଦ୍ଦେଶ ତାକୁ ଆଶ୍ଚର୍ଯ୍ୟ କରିଥିଲା । ସେତେବେଳେ ତାର ରିଷ୍ଟୱାଚ ବନ୍ଦ ହୋଇ ଯାଇଥିଲା ‘କିନ୍ତୁ ସେଠୁ ମଣିବାଲା କେତେବେଳେ ଆସିଲା’ ସେ ଜାଣିପାରିନି । ରଜନୀବାବୁ କଥା ପ୍ରସଙ୍ଗରେ କହିଥିଲେ ସିନେମା ଦେଖି ସେ ଗୋଟାକବେଳେ ଆସିଲା । ଦରୁଆନ ମଧ୍ୟ ସେଇଆ କହିଥିଲା । ହଲ୍ ଘଣ୍ଟା ସହିତ ତା ରିଷ୍ଟୱାଚରେ ଟାଇମ୍ ମିଳେଇ ନେଇ ନ ଥିଲେ ହଲ୍ କ୍ଲକକୁ ଯେ ଦୁଇଘଣ୍ଟା ଅଗ୍ରୀମ କରି ଦିଆଯାଇଥିଲା, ଏ ରହସ୍ୟ ତା ପାଖରେ ଅଜ୍ଞାତ ରହିଯାଇଥାନ୍ତା ।

 

ଦସ୍ୟୁ ରମଣୀର କୌଶଳକୁ ଅବିନାଶ ସେଦିନ ମନେ ମନେ ପ୍ରଶଂସା କରିଥିଲା । ଏହି ପ୍ରାସାଦ ସହିତ ତାର ଯେ ଘନିଷ୍ଠ ଯୋଗାଯୋଗ ରହିଚି ଏ ବିଷୟ ଅବିନାଶ ଭଲ ଭାବରେ ବୁଝିଥିଲେହେଁ ଠିକ୍ ଖାପଚାରେ ନ ପଡ଼ିଲେ ଲୀଳାମୟୀର ଲୀଳା ଧରିବା ଏକବାରେ ଅସମ୍ଭବ ।

 

ବିଭ୍ରାନ୍ତ ମନ ଦେଇ ଏସବୁ ଭାବୁଥିବାବେଳେ ତାର ଦୃଷ୍ଟି ପଡ଼ିଲା ତଳେ ପଡ଼ିଥିବା ଏକ ଲଫାପା ଉପରେ । ଆଜି ଡାକରେ ସେଇଟି ଆସିଚି । ଖୋଲି ଦେଖିଲା ଭିତରେ ଏକ ରଙ୍ଗୀନ ଚିଠି–

 

ବନ୍ଧୁବରେଷୁ,

 

ମୋର ବ୍ୟବହାରରେ ଆପଣ ନିଶ୍ଚୟ ସେଦିନ କ୍ଷୁଣ୍ଣ ହୋଇଚନ୍ତି । କିନ୍ତୁ ଆପଣଙ୍କର ପ୍ରେମାଭିନୟ ଦେଖିବା ପାଇଁ ସେଦିନ ମତେ ରିହର୍‍ସାଲ କରିବାକୁ ହୋଇଥିଲା । ଆପଣ ଏତେଶୀଘ୍ର ଅପରାଧ ସ୍ୱୀକାର କରି କ୍ଷମା ଚାହିଁବେ ବୋଲି ମୁଁ ଆଶା କରିନଥିଲି । ଦୁର୍ଦ୍ଦଣ୍ଡ ଦସ୍ୟୁଦଳ ଦମନଭିଳାଷୀ ସାହସୀ ଗୁଇନ୍ଦା ତା ପ୍ରେମିକାର ଛଳନା ପାଖରେ ହାରିଯିବା ଲଜ୍ଜାର କଥା । କିନ୍ତୁ ତୁମର ପରାଜୟ ଯେ ମୋର ପ୍ରିୟ ! ମୋର ସ୍ନେହ ଚୁମ୍ବନ ନେବ ।

 

ସ୍ନେହାସ୍ପଦା

ମଣି

 

ଚୁମ୍ବନ ! ପ୍ରିୟାର ଚୁମ୍ବନ ! କି ମଦିର । ମଣି, ମଣି..... ତମକୁ ସତରେ ମୁଁ ଭଲ ପାଏ । ଭଲ ପାଏ ତମ ଅନ୍ତର ତଳେ ଯେଉଁ ଅତୃପ୍ତ ବହ୍ନିଶିଖା ପ୍ରଜ୍ଜ୍ୱଳିତ, ତାକୁଇ । ଶୋଭନ ମୁଖଶ୍ରୀର ବିଜେଳ କଟାକ୍ଷ କେବଳ ଅବିନାଶର କାମ ନୁହେଁ । ତମେ ଲେଡ଼ି ଟାଇପିଷ୍ଟ୍ ନୁହଁ କି ଆଶ୍ରୟପ୍ରାର୍ଥିନୀ ନିରୀହା ଅବଳା ନୁହଁ, କି ଧନୀପୁତ୍ର ଲବ୍ଧଦୃଷ୍ଟିର ଶସ୍ତା ଶିକାର ନୁହଁ, ତମେ ବାସ୍ତବରେ ଯାହା ସେଇ ବିଶ୍ୱବିକାଶର ପ୍ରେମ-କମଳ ହିଁ ଅବିନାଶର କାମ୍ୟ...... ।

 

ହଠାତ୍ ଉଠିପଡ଼ି ସୁଇଚଟା ଅନ୍ କରିଦେଲା ଅବିନାଶ । ଏତକ୍ଷଣ ଧରି ଅନ୍ଧାରରେ ବସି ପ୍ରିୟା ଭାବନାରେ ବିଭୋଳ ଥିଲା ସେ । ବିଦ୍ୟୁତ ଆଲୋକରେ କୋଠରୀଟି ଉଜ୍ଜ୍ୱଳ ହୋଇଉଠିଲା । ତାପରେ କବାଟ ଆଉଜେଇ ଆଣି ଉପର ମହଲାକୁ ଆସିଲା । ରଜନୀବାବୁଙ୍କ ଅନୁପସ୍ଥିତିରେ ଉପର ମହଲାଟା ନିସ୍ତବ୍ଧ ଜଣାପଡ଼ୁଛି । ଏତିକିବେଳେ ମଣିବାଲା ନ ଥିବାରୁ ଅବିନାଶ ଏକପ୍ରକାର ନିଃସଙ୍ଗ । ସେ ଉପର ମହଲାର ଚାରିଆଡ଼େ ବୁଲି ଆସି ଯେତେବେଳେ ହଲକୁ ଫେରିଲା, ଦେଖିଲା ତା ରୁମ୍‍ରେ କିଏ ବତୀ ଜଳେଇଚି । ସେ ଦ୍ରୁତ ପଦକ୍ଷେପରେ ନିଜ ରୁମ୍‍ ଆଡ଼େ ଅଗ୍ରସର ହେଲା ।

 

ଅବିନାଶ ନିଜ ରୁମ୍‍କୁ ଆସି ଦେଖିଲା ଚେୟାରରେ ଜଣେ ଦୀର୍ଘ କୃତି ଅପରିଚିତ ଲୋକ ବସିଚି । ମୁହଁରେ କଅଁଳ ଦାଢ଼ୀ । ଆଖିରେ ସନ୍ଧାନୀ ଦୃଷ୍ଟି । ହାତରେ ଖଣ୍ଡିଏ ସୌଖୀନ ଯଷ୍ଟି ଧରି ଖେଳଉଚି । ତାର ମନେହେଲା ଏପରି ଲୋକର ବର୍ଣ୍ଣନା ସେ କାହାଠାରୁ ଶୁଣିଛି ବା କୌଣସି ପୋଲିସ ଡାଏରୀରେ କେବେ ପଢ଼ିଛି ।

 

ଅବିନାଶ ପାଖକୁ ଆସିବା ମାତ୍ରେ ଆଗନ୍ତୁକଟି ପଚାରିଲେ, ଆପଣ ଶ୍ରୀ ଅବିନାଶ ମାନସିଂ, ରଜନୀବାବୁଙ୍କର ନିଯୁକ୍ତି ପ୍ରାଇଭେଟ୍ ଡିଟେକ୍ଟିଭ ?

 

ଆପଣ କିଏ ମୁଁ ଜାଣିପାରେ କି ? ଅବିନାଶ ପ୍ରତିକୂଳ ପ୍ରଶ୍ନ କଲା ।

 

ଜଣେଇବା ପାଇଁ ଯେତେବେଳେ ଆସିଚି, ଆପଣ ନିଶ୍ଚୟ ଜାଣିବେ । ସବୁ ବିଷୟ ଜଣେଇବା ପୂର୍ବରୁ ମୋ ସହିତ ଚୁକ୍ତିବଦ୍ଧ ହବାକୁ ହବ ।

 

ଏଇଟା ସେୟାର ମାର୍କେଟ ନୁହେଁ ମହାଶୟ ! ବକ୍ତବ୍ୟ ଶୀଘ୍ର ଶେଷ କରି ରାସ୍ତା ଦେଖନ୍ତୁ–

 

ଆପଣ ଜାଣିବା ଉଚିତ ଯେ ବ୍ୟବସାୟ ଛଡ଼ା ମୁଁ ମୂଲ୍ୟହୀନ କଥା କୁହେଁନା । ଆପଣ ଯଦି ମୋର ସାହାଯ୍ୟ ଚାହାଁନ୍ତି, ତେବେ କୁହନ୍ତୁ । ମୁଁ ଅବଶ୍ୟ ବଳେ ବଳେ ଆସିନି । ଶୁଣିଲି ଆପଣ ଦି’ଦିନ ତଳେ ମୋ ଘର ଆଗରେ ମୋ ଖୋଜରେ ପଏଁତରା ମାରୁଥିଲେ ?

 

ଅବିନାଶ ମନେ ମନେ ଆଶ୍ଚର୍ଯ୍ୟ ହେଲା । ତାପରେ ତୀକ୍ଷ୍‍ଣ ଦୃଷ୍ଟିରେ ଲୋକଟିକୁ ଥରେ ଦେଖି ନେଇ କହିଲା, ଓହୋ…. ତମକୁ ମୋର ଖୁବ୍ ଦରକାର ଥିଲା ବିପିନ ବାବୁ ! ତମର ଏ ବେଶ୍‍ କେବେଠୁ ? ବାସ୍ତବିକ ତମରି ଅପେକ୍ଷାରେ ହିଁ ମୁଁ ଥିଲି । କଲିକତାରୁ କେବେ ଆସିଲେ-?

 

Unknown

କଲିକତା ମୁଁ କାହିଁକି ଯିବି ଅବିନାଶ ବାବୁ ! ଦସ୍ୟୁରମଣୀର କାରାଗାରରେ ମୁଁ ବନ୍ଦୀ ଥିଲି । ସେ କିନ୍ତୁ ଆପଣଙ୍କର ଖୁବ୍ ତାରିଫ୍ କରୁଥିଲା ।

 

ମୁଁ ଜାଣେ । କିନ୍ତୁ ବିପିନ୍ ବାବୁ, ଦସ୍ୟୁରମଣୀ ଏତେଶୀଘ୍ର ତମକୁ କିପରି ନିମନ୍ତ୍ରଣ କଲା-?

 

ନିମନ୍ତ୍ରଣ ନ କଲେ ମଧ୍ୟ ବେଳେ ବେଳେ ଅଯାଚିତ ଭାବରେ ଅତିଥି ସାଜିବାକୁ ହୁଏ ଗୁଇନ୍ଦା ମହାଶୟ ! ବିଶେଷତଃ ମୋ ବ୍ୟବସାୟ ଦୃଷ୍ଟିରୁ.....

 

ବ୍ଲାକମେଲିଂ ବ୍ୟବସାୟ କେବେଠୁଁ ଆରମ୍ଭ କଲେ ବିପିନ ବାବୁ ?

 

ମୁଁ କାହାରିକୁ ବ୍ଲାକମେଲ କରେନା । ଏ ଘୃଣ୍ୟ ପନ୍ଥାଠୁ ମୁଁ ସବୁବେଳେ ଦୂରେଇ ଥାଏ । ସତ ଘଟଣା ଯୋଗାଇ ମୋର ପ୍ରାପ୍ୟ ଅସୁଲ କରି ନେବାର special technic ମତେ ବେଶ୍ ଜଣା–

 

ଗତ ଦୁଇଦିନ ତଳେ ରଜନୀବାବୁଙ୍କ ହୀରା ହାର ଆଉ ଉଇଲଟି ଚୋରି ଯାଇଛି, ଶୁଣିଥିବେ !

 

ଖାଲି ଶୁଣିନି, ଯେଉଁଠି ଅଛି ମଧ୍ୟ ଜାଣେ । କହି ଅବିନାଶ ଆଡ଼କୁ ବାଁ ହାତଟି ବଢ଼େଇ ପ୍ରାପ୍ୟ ଚାହିଁଲେ ।

 

ରଜନୀ ବାବୁ କୁହନ୍ତି ତାଙ୍କର ଜଣେ ବିଶିଷ୍ଟ ବନ୍ଧୁ ସେଇଟିକୁ ହରଣଚାଳ କରିଛନ୍ତି । ରଜନୀବାବୁ ଆଉ ତାଙ୍କ ଛଡ଼ା ତୃତୀୟ ବ୍ୟକ୍ତି କେହି ସେ ଗୁପ୍ତ ଆଲମୀରା କଥା କୁଆଡ଼େ ଜାଣି ନ ଥିଲେ । ସେ ମଧ୍ୟ ଜଣେ….

 

ମୁଁ ଜାଣେ ମି. ମାନସିଂ । ସେଇଥିପାଇଁ ଆପଣ ପୋଲିସକୁ ଖବର ନ ଦେଇ ମନେ ମନେ ମତେ ହିଁ ଖୋଜୁଥିଲେ ।

 

ଜାଣନ୍ତି, ଏକ୍ଷଣି ଚାହିଁଲେ ମୁଁ ଆପଣଙ୍କୁ ପୋଲିସରେ ଦେଇପାରେ–

 

ଯେଉଁଥିପାଇଁ ପୋଲିସକୁ ତମେ ମୋ ନାଁ କହିନାହଁ, ଜାଣେ । ଆଉ ସେଇ ଦୃଷ୍ଟିରୁ ମୋର ପୂରା ବିଶ୍ୱାସ–ତମେ ମୋଠୁ ପୂରା ଫାଇଦା ନ ଉଠେଇ ପୋଲିସକୁ କହୁନାହଁ ।

 

ତମେ ଜାଣ, ତମେ ଏକ୍ଷଣି ମୋ ଅକ୍ତିଆରରେ– ?

 

ଭଲ ଭାବରେ ଜାଣେ, ଆଉ ମୋ ସ୍ୱାର୍ଥ ଦୃଷ୍ଟିରୁ ମଧ୍ୟ ମୁଁ ଏଠାକୁ ଆସିଚି । ଦି ପଇସାର ଯେଉଁଠି ଯୋଗାଡ଼ ନ ଥାଏ, ମୁଁ ସେ ସ୍ଥାନ ଭୁଲରେ ବି ମାଡ଼େ ନା– ଦସ୍ୟୁ ରମଣୀର ଗୋଟାଏ ଜରୁରୀ ଅନୁସନ୍ଧାନରେ ମୁଁ ଆସିଚି ।

 

ବିପିନ ବାବୁ ! ସେ ସବୁ ଚାଲ ମୋ ପାଖରେ ଚଳିବ ନାହିଁ । ସେ ଉଇଲ ସହିତ ତମର କି ସ୍ୱାର୍ଥ ?

 

ଯେଉଁ ସ୍ୱାର୍ଥ ରଜନୀ ବାବୁଙ୍କର ଅଛି, ଠିକ୍ ସେଇଆ । ଯେଉଁଥିପାଇଁ ସେ କଲିକତା ଯାଇଛନ୍ତି, ଠିକ୍ ସେଇଥିପାଇଁ ମୁଁ ଏଠିକି ଆସିଚି–

 

ମାନେ ?

 

ତମକୁ ଜାଣି ରଖିବା ଉଚିତ ଅବିନାଶ ବାବୁ ! ମୋର ଗୋଟାଏ କ୍ଲୁର ମୂଲ୍ୟ ଏକ ସହସ୍ର ମୁଦ୍ରାରୁ କମ୍ ନୁହେଁ–

 

ରାଜି ।

କେତେ ?

ମୋ ପୁରସ୍କାରର ଏକ ତୃତୀୟାଂଶ ତମର ପ୍ରାପ୍ୟ–

ନା, ନା.. ହାଫ୍ ହାଫ୍ କର–

ବେଶ୍ !

ବିପିନ ଟିକିଏ ରହି ଆରମ୍ଭ କଲା, ମୋର ଏ ବ୍ୟବସାୟର ଗୁରୁ କିଏ ଜାଣନ୍ତି ଅବିନାଶ ବାବୁ ?

କିଏ ?

ଶିଳ୍ପଶ୍ରୀର ନକଲି ପ୍ରୋପ୍ରାଇଟର ରଜନୀକାନ୍ତ ମହାନ୍ତି ।

ଏଁ.... ?

 

ହଁ– ସେ ଗୋଟାଏ ଲମ୍ବା ଇତିହାସ । ବିପିନ ପଟ୍ଟନାୟକ ଘଟଣାର ସଂକ୍ଷିପ୍ତ ସାର ଶୁଣେଇ ଶେଷରେ କହିଲେ, ଯାହାହେଉ ମୁଁ ଚାହିଁଲେ ଯେକୌଣସି ମୁହୂର୍ତ୍ତରେ ତାଙ୍କୁ ପୋଲିସରେ ଧରେଇ ଦେଇପାରେ । ନରେନ୍ଦ୍ର ବାବୁଙ୍କ ଝିଅ ଚିତ୍ରାର ଫଟୋ ମଧ୍ୟ ମୁଁ ଖୁବ୍ ହୁସିଆରରେ ଯୋଗାଡ଼ କରିଛି । ଆଉ ୟା ମଧ୍ୟ ଜାଣିବାକୁ ପାଇଚି ଯେ ଏ ଝିଅଟି ଏବେ ବି ବଞ୍ଚିଚି । ଆଉ ଯଦି ବଞ୍ଚିଥାଏ ତା ବୟସ ହେଇଥିବ ୨୨ ବର୍ଷ । ପୂର୍ଣ୍ଣ ଯୌବନା । ଏଇଟି ତାର ପନ୍ଦର ବର୍ଷର ଫଟୋ.... କହି ପକେଟରୁ ଗୋଟିଏ ପଟ ବାହାର କରି ଅବିନାଶ ଆଖି ଆଗରେ ଟେକି ଧଇଲେ ।

 

ଅବିନାଶ ଦେଖୁ ଦେଖୁ ତା ଭ୍ରୁ ଦୁଇଟି ଉପରକୁ ଟେକି ହୋଇଗଲା । ତା ଦୃଷ୍ଟିରେ ବିସ୍ମୟର ସହସ୍ର ପ୍ରଶ୍ନବାଚକ ଭିଡ଼ ସୃଷ୍ଟି କରିଛନ୍ତି ଯେପରି ।

 

ହା-ହା-ହା... କି ତୋଫା ଅବିନାଶ ବାବୁ !

 

ବିପିନର ହସରେ ଅବିନାଶ ଚମକି ପଡ଼ି ଯେତେବେଳେ ତାକୁ ଅନେଇଲା, ସେ ଶୁଣିଲା ବିପିନ କହୁଚି- ଦେଖିଲେ ? ଏଥର କୁହନ୍ତୁ ଯଦି ସହଯୋଗ କରିବେ, We will be man of fortune ! I am not a liar friend । ମୁଁ କେବେ ମିଛ କୁହେନା । ରଜନୀ ମହାନ୍ତିର ଚାଲବାଜି ଶୁଣିଲେ ତ କିନ୍ତୁ- ହଉ ବନ୍ଧୁ ବିଦାୟ ! ହା-ହା-ହା ।

 

ବିପିନର ଅଟ୍ଟହାସ୍ୟ ତା ପଛେ ପଛେ ମିଳେଇ ଗଲା । କିନ୍ତୁ ଫଟଟି ଉପରୁ ଅବିନାଶର ଦର୍ଶନାକାଂକ୍ଷା ଏପର୍ଯ୍ୟନ୍ତ ନିବୃତ୍ତ ହେଇନି । ଫଟଟିକୁ ଦେଖୁ ଦେଖୁ ଏକ ବର୍ଦ୍ଧିଷ୍ଣ ବାଳିକାର ଅଙ୍ଗସୌଷ୍ଠବ ତାର ଆଖି ଆଗରେ ଚଳଚ୍ଚିତ୍ର ପରି ଭାସି ଉଠିଲା- ସେ କେହି ନୁହେଁ, ସେ ହେଉଚି ତାର ଅତି ପରିଚିତ ସୁନ୍ଦରୀ ମଣିବାଲା ।

 

ସେଇ ରାତି । କଳା ବାଦଲର ଭାସମାନ ଛାଇରେ ପୃଥିବୀର ଦୃଶ୍ୟମାନ ପ୍ରକୃତି ବେଳେବେଳେ ଅସ୍ପଷ୍ଟ ହେଇ ଉଠିଛି । ଗୋପାଳପୁର ‘ସିଭିଉ ରେଷ୍ଟୁରାଣ୍ଟ’ର ଦ୍ୱିତଳ ପ୍ରାସାଦ ଚାରିପାଖେ ସଶସ୍ତ୍ର ଛାୟାମୂର୍ତ୍ତି ପହରୀ ଦେଉଛନ୍ତି । ରାତ୍ରୀ ପ୍ରହରୀ ଶଶଧର ଛଡ଼ା ଆଉ କାହାରି ସତର୍କ ଦୃଷ୍ଟି ସେମାନଙ୍କୁ ଭୟଭୀତ କରୁନଥିଲା । ଅଦୂରରେ ସମୁଦ୍ରର ଗର୍ଜନ । ତାରି ଭିତରେ କାହାର କ୍ଷୀଣ ଚିତ୍କାର ଛାୟାମୂର୍ତ୍ତିଙ୍କ ପ୍ରାଣରେ ଆତଙ୍କ ସୃଷ୍ଟି କରୁଚି । ସଶଙ୍କ ପ୍ରାଣରେ କା’ର ଇଙ୍ଗିତକୁ ସେମାନେ ଅପେକ୍ଷା କରୁଛନ୍ତି ଯେପରି ।

 

ସ୍ତବ୍ଧତା ଭଙ୍ଗ କରି ଏତିକିବେଳେ ଏକ ହୁଇସିଲ ବାଜି ଉଠିଲା । ସମସ୍ତ ଛାୟାମୂର୍ତ୍ତିଗୁଡ଼ିକ ଚଞ୍ଚଳ ହୋଇ ଉଠି ପ୍ରାସାଦ ଭିତରେ ପଶିବାକୁ ଲାଗିଲେ ।

 

ହଠାତ୍ ଉପର ମହଲାର ଗୋଟିଏ ରୁମ୍‍ର ବତୀ ନିଭିଗଲା । ସେତିକିରେ ଲୋକଟିର ଚିତ୍କାର ବନ୍ଦ ହୋଇଗଲା । ଏଣେ ତଳମହଲାର ପ୍ରତି ରୁମ୍‍ରେ ପୋଲିସ ଦଳ ଦମନଲୀଳା ଆରମ୍ଭ କରିଛନ୍ତି । ରେଷ୍ଟୁରାଣ୍ଟ୍‍ର ଚାକରମାନେ ଦୁର୍ଘଟଣାର କାରଣ ବୁଝିନପାରି ଏପାଖ ସେପାଖ ହେଉଚନ୍ତି । ପୋଲିସ ସାହେବ ଓ ପୋଲିସ ଇନ୍‍ସପେକ୍ଟର ଅପ୍‍ଷ୍ଟେୟାରରେ ଯାଉଁ ଯାଉଁ ଅନ୍ଧାରରେ କାହା ସହିତ ଧକ୍କା ଖାଇଲେ । ପୋଲିସ ସାହେବ ଟର୍ଚ୍ଚ ଲାଇଟ୍ ମାରି କହିଲେ, କିଏ ? ଓଃ ମି. ମାନସିଂ । ଉପରେ କିଏ ? ମ୍ୟାନେଜର କାହିଁ ?

 

ମ୍ୟାନେଜରର କୌଣସି ପତ୍ତାନାହିଁ । ଉପରେ ଗୋଟିଏ ଲୋକ ବନ୍ଧା ହେଇ ପଡ଼ିଚି । ଆପଣ ତାକୁ ମୁକ୍ତ କରନ୍ତୁ । ମୁଁ ଦେଖେ ଦସ୍ୟୁଦଳର କେହି ଯେପରି ନ ପଳାନ୍ତି... ! କହି ଦ୍ରୁତ ଗତିରେ ପାହାଚରେ ଓହ୍ଲେଇବାକୁ ଲାଗିଲା ଅବିନାଶ । କିନ୍ତୁ ତଳ ମହଲାର ପ୍ରତ୍ୟେକ ସ୍ଥାନ ଖୋଜି କାହାରିକୁ ନ ପାଇ ବିବ୍ରତ ହେଇପଡ଼ିଲା ସେ । ମେନ୍‍ଲାଇନ୍ କିଏ କାଟି ଦେଇଥିବାରୁ ସାରା କୋଠାଟା ଅନ୍ଧକାରରେ ବୁଡ଼ି ରହିଚି । ଅବିନାଶ ହଲ୍ ଦେଇ ସଂଲଗ୍ନ କୋଠରୀଟିକୁ ଯିବା ମାତ୍ରେ ତା ପଛପଟ ଦରଜା ଖୁବ୍ ଧିରେ ବନ୍ଦ ହେଇଗଲା । ସେ ଅନ୍ଧାରରେ କିଛି ଠଉରେଇ ନ ପାରି ପାଦେ ଆଗକୁ ଯେମିତି ଯାଇଚି ତା ଉପରେ କିଏ ଲମ୍ଫ ପ୍ରଦାନ କଲା । ଅବିନାଶ ପାଟି କରିବାକୁ ଚେଷ୍ଟା କରୁ କରୁ ଏକ ତୀବ୍ରଗନ୍ଧର ଆଘ୍ରାଣରେ ତାର ଚେତା ବୁଡ଼ିଗଲା ।

 

ଉପରେ ଶୃଙ୍ଖଳିତ ଲୋକଟିକୁ ବନ୍ଧନ ମୁକ୍ତ କରି ପୋଲିସ ସାହେବ ସେ ଲୋକଟିକୁ ପଚାରି ବୁଝିବା ଫଳରେ ଜଣାଗଲା ଯେ ସେ ଗୋଟାଏ ବଡ଼ ବ୍ୟବସାୟୀ । ବ୍ୟବସାୟ ସଂକ୍ରାନ୍ତରେ ଜଣେ ସାହେବ ପୋଷାକ ପିନ୍ଧି ତାକୁ ଦେଖା କରି ଏଠାକୁ ନେଇ ଆସିଲା କଥାବାର୍ତ୍ତା କରିବା ପାଇଁ-। ସରବତ ପିଉ ପିଉ ସେ ବେହୋସ୍ ହେଇଗଲା । ଯେତେବେଳେ ଚେତା ହେଲା ସେ ଦେଖିଲା ଗୋଟିଏ ଘରେ ସେ ବନ୍ଧା ହୋଇପଡ଼ିଛି । ପୋଲିସ ସାହେବ ସବୁ ବିଷୟ ମନେ ମନେ ଭାବି ଲୋକଟିକୁ ଚିହ୍ନଟ କଲେ । ଲୋକଟି ବ୍ଳାକମାର୍କେଟିଂ କରି କିଛିଦିନ ତଳେ ଧରା ହେଇଥିଲା କିନ୍ତୁ ପ୍ରମାଣ ଅଭାବରୁ ଛାଡ଼ ପାଇଥିଲା । ଏ ଦଳ ତାକୁ କୌଶଳରେ ଧରି ଚାବୁକରେ ପ୍ରହାର କରିଛନ୍ତି । ରୀତିମତ କ୍ରିମିନାଲ ଅଫେନ୍ସ । ଏ ଦଳ ପଛରେ ନିଶ୍ଚୟ କୌଣସି ରାଜନୈତିକ ଦଳର ସମୂହ ସ୍ୱାର୍ଥ ରହିଛି ନଚେତ୍...

 

ହଠାତ୍ ଦୂରରେ ଘୋଡ଼ା ଟାପୁର ଶବ୍ଦ ଶୁଣି ପୋଲିସ ସାହେବ ସଜାଗ ହେଇଉଠିଲେ । ସେ ବାହାରକୁ ଆସି ଦେଖିଲେ ତାଲିମପ୍ରାପ୍ତ ଘୋଡ଼ାଟା ପ୍ରଧାନ ରାସ୍ତା ଛାଡ଼ି ଅବାଟରେ ଦୂରନ୍ତ ଗଳିରେ ଛୁଟି ଚାଲିଛି । କାଳବିଳମ୍ବ ନ କରି ପୋଲିସ୍ ଇନ୍‍ସପେକ୍ଟର ଶ୍ରୀକାନ୍ତ ବାବୁ ତା ପଛରେ ମଟର ବାଇକ୍ ଛୁଟାଇ ଦେଲେ ।

 

ପୋଲିସ ସାହେବ ହଲ୍‍କୁ ଆସି ସମବେତ ସିପାହୀମାନଙ୍କୁ ଭର୍ତ୍ସନା କରି କହିଲେ, ତମରି ଆଖି ଆଗରୁ ଖସି ଚାଲିଗଲା, କେହି ଜାଣିପାରିଲ ନାହିଁ । ଯାଅ, ପ୍ରତ୍ୟେକଟି ରୁମ୍ ତନ୍ନ ତନ୍ନ କରି ଦେଖ ।

 

କିନ୍ତୁ ଅଧଘଣ୍ଟା ପରେ ସିପାହୀ ଦଳ ନିରାଶରେ ବାହାରି ଆସି କହିଲେ କେହି ନାହିଁ ହଜୁର !

 

ଠିକ୍ ସେତିକିବେଳେ ଗୋପାଳପୁର ଲେଭଲ କ୍ରସିଂ ପାଖରେ ଶ୍ରୀକାନ୍ତବାବୁ ଖୁବ୍ ଜୋରରେ ବ୍ରେକ୍ ଚାପି ତାଙ୍କ ମଟର ବାଇକଟିକୁ ଛିଡ଼ା କରାଇ ନ ଥିଲେ ଉଲ୍‍କା ଗତିରେ ଧାଇଁଥିବା ଡାକଗାଡ଼ି ତଳେ ମଟର ବାଇକ୍ ସୁଦ୍ଧା ଚାପି ହେଇ ଚୂର୍ଣ୍ଣିଭୂତ ହେଇ ଯାଇଥାନ୍ତେ । ତାଙ୍କ ଅଭିଯାନ ବ୍ୟର୍ଥ ହେଇ ଯିବାରେ ଯେତେ ହତାଶ ହେଲେନି, ତାଠୁ ବେଶି ଆଶ୍ଚର୍ଯ୍ୟ ହେଲେ ଦସ୍ୟୁ ଦଳର ଜୀବନ ମୂର୍ଚ୍ଛା ସାହସ ଦେଖି । ଦସ୍ୟୁଦଳର ଘୋଡ଼ାଟି ସହିତ ତାଙ୍କ ବାଇକର ଯେତେ ବ୍ୟବଧାନ ଥାଉନା କାହିଁକି, ସେ ଠିକ୍ ଅନୁମାନ କରି ନେଇଥିଲେ ସେ ଲେଭଲ କ୍ରସିଂ ପାଖରେ ଘୋଡ଼ାଟିକୁ ସେ ନିଶ୍ଚୟ ଧରି ପାରିବେ । କିନ୍ତୁ ଡାକ ଗାଡ଼ିଟି କ୍ରସିଂ ପାର ହେବାରୁ ମୁହୂର୍ତ୍ତକ ପୂର୍ବରୁ ଆଖି ପିଛୁଳାକେ ଦସ୍ୟୁଦଳର ଏକ ସାହସୀ ଯୁବକ ରହସ୍ୟମୟୀ ଦସ୍ୟୁରମଣୀଟିକୁ ଘୋଡ଼ାରେ ବସେଇ ଏକ ଲମ୍ଫରେ କ୍ରସିଂ ଡେଇଁ ପଳାୟନ କଲା । ଶ୍ରୀକାନ୍ତ ବାବୁ ହତାଶ ହୋଇ ଡାକ ଗାଡ଼ି ଯିବା ପରେ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ଯିବାର ରାସ୍ତା ଠିକ୍ କରି ପାରିଲେ ନାହିଁ । ଆଖ ପାଖ ସ୍ଥାନରେ ଅନେକ ଖୋଜି ଗୋପାଳପୁରରେ ଅପେକ୍ଷା କରିଥିବା ପୋଲିସ ସାହେବଙ୍କ ପାଖକୁ ରାତି ପାହିବା ପୂର୍ବରୁ ଫେରି ଆସିଲେ ।

 

ଗତ ରାତିରେ ଆକସ୍ମିକ ଘଟଣା ନେଇ ପୋଲିସ ସାହେବ ବିବ୍ରତ । ବ୍ରହ୍ମପୁର ଟାଉନ ଇନ୍‍ସପେକ୍ଟର ଶ୍ରୀକାନ୍ତବାବୁ ମଧ୍ୟ ଦସ୍ୟୁଦଳର ଅଦ୍ଭୁତ ଦୁଃସାହସିକ କୀର୍ତ୍ତି ବିଷୟରେ ଭାବିଚିନ୍ତି କୌଣସି ପ୍ରକାର କୂଳ କିନାରା ପାଉନାହାନ୍ତି । କାଲି ରାତିର ଦୁର୍ଘଟଣା ସମୟରୁ ଏପର୍ଯ୍ୟନ୍ତ ଘରୋଇ ଗୁଇନ୍ଦା ଅବିନାଶ ମାନସିଂଙ୍କର ମଧ୍ୟ ପତ୍ତା ମିଳୁନି । ଦସ୍ୟୁଦଳର କୌଣସି ଲୋକକୁ ଅନୁସରଣ କରି ସେ ଆଉ ଫେରିନାହାନ୍ତି । କେତେବେଳେକେ ଭାବିଚିନ୍ତି ଶ୍ରୀକାନ୍ତ ବାବୁ କହିଲେ, ସାର୍ ! ମୁଁ ଭାବୁଛି ଅବିନାଶ ବାବୁ ସେମାନଙ୍କୁ ଫଲୋ କରିଛନ୍ତି । ତା ନ ହେଇ ବି ପାରେ । ମୋର ଅନୁମାନ ସୁଯୋଗ ଦେଖି କୌଣସି ଅଣ୍ଡର ଗ୍ରାଉଣ୍ଡ ରୁମ୍‍ରେ ଅବିନାଶବାବାଙ୍କୁ ବନ୍ଦୀ କରିଛନ୍ତି । ଆଉ ଆମର ଅନୁସନ୍ଧାନକୁ ଭିନ୍ନମୁଖୀ କରି ଦେବା ପାଇଁ ଦସ୍ୟୁଦଳର କେହି ଜଣେ ଦସ୍ୟୁ ରମଣୀକୁ ସଙ୍ଗରେ ନେଇ ପଳେଇଚି–

 

କିନ୍ତୁ ଯେଉଁ ବ୍ୟବସାୟୀଟିକୁ ସେମାନେ ପ୍ରହାର କରୁଥିଲେ ସେ କୁହେ ତା ସାମନାରେ ଗୋଟିଏ ପୁରୁଷ ବେଶୀ ସ୍ତ୍ରୀ ଆଖିରେ ନେଳି ଚଷମା ପିନ୍ଧି, ମୁହଁରେ କଳାପଟି ବାନ୍ଧି ଛିଡ଼ା ହେଇଥିଲା । ସେ କୁଆଡ଼େ ଗଲା ?

 

ମୋର ସ୍ପଷ୍ଟ ଧାରଣା ହେଉଛି ଗୁପ୍ତ ରାସ୍ତା ଥିବା କୌଣସି ଅଣ୍ଡର ଗ୍ରାଉଣ୍ଡ ରୁମରେ ସେମାନେ ଲୁଚି ରହିଛନ୍ତି । କିଛିକ୍ଷଣ ନୀରବତା ପରେ ପୋଲିସ୍ ସାହେବ କହିଲେ, ଏଇ କେଇମାସ ହେଲା ଦସ୍ୟୁ ଦଳର କାରସାଦି ଆମ ଦୃଷ୍ଟିକୁ ଆସିଚି । ପୁଣି ତାଙ୍କର ସବୁ ଷଡ଼ଯନ୍ତ୍ର ରଜନୀବାବୁଙ୍କୁ କେନ୍ଦ୍ର କରି । ଏସବୁ ବିଷୟରେ କିଛି ଅବଧାରଣା କରିପାରୁଛନ୍ତି ଶ୍ରୀକାନ୍ତବାବୁ ! କୌଣସି ବିଶେଷ କାରଣ ନ ଥିଲେ–

 

ଆପଣ ଠିକ୍ ଅନୁମାନ କରିଛନ୍ତି । ୟା ଭିତରେ କୌଣସି ଗୂଢ଼ ରହସ୍ୟ ଅଛି–

 

ପୁଣି ଦେଖନ୍ତୁ, ସେ ଲେଡ଼ି ଟାଇପିଷ୍ଟ୍ ମଣିବାଲା...ସେ ହଠାତ୍ କୁଆଡ଼ୁ ଆସି ନିଯୁକ୍ତି ପାଇଲା । ତା ଗତିବିଧି ମଧ୍ୟ ସସ୍‍ପେକ୍‌ଟେଡ୍ । ଅବିନାଶବାବୁ ମଧ୍ୟ ତା ବିଷୟରେ କିଛି କହିପାରୁ ନାହାନ୍ତି । ଏ କେଇଦିନ ହେଲା ସେ ମଧ୍ୟ ନାହିଁ ।

 

ନାଁ, ରଜନୀବାବୁ କଲିକତା ଯିବା ପଛେପଛେ ସେ ଅନ୍ତର୍ଦ୍ଧାନ, ଅନେକ ସମୟ ସେ ଗୋପାଳପୁର ରିଫ୍ୟୁଜି କ୍ୟାମ୍ପରେ କଟାଏ । ରିଫ୍ୟୁଜି ଆସୋସିଏସନ ପାଇଁ ଅଜସ୍ର ଚାନ୍ଦା ମଧ୍ୟ ସଂଗ୍ରହ କରେ ।

 

କିନ୍ତୁ...କିନ୍ତୁ ଶ୍ରୀକାନ୍ତବାବୁ, ଏସବୁ ଦେଶକାମ ଓ ସେବା ମନୋବୃତ୍ତି ତଳେ ନିଶ୍ଚୟ କୌଣସି ବୃହତ୍ତର ଅଭିସନ୍ଧିକୁ ପ୍ରଶ୍ରୟ ଦିଆ ହେଉଚି । ଏସବୁ ଉପରେ ଭଲ ଭାବରେ ଦୃଷ୍ଟି ରଖିବାକୁ ହେବ….. ।

 

ମଣିବାଲା ଘୋଷ ! ଆଶ୍ରୟ ପ୍ରାର୍ଥିନୀ ! ଏ ସବୁ ବାସ୍ତବିକ୍ ଛଳନା….କହୁ କହୁ ଅଧର୍ଯ୍ୟ ହୋଇଉଠି ଶ୍ରୀକାନ୍ତ ବାବୁ କହିଲେ, ବୁଝିଲେ ସାର୍ ! ମଣିବାଲା ହିଁ ଏ ସବୁର କେନ୍ଦ୍ର । ରଜନୀବାବୁଙ୍କ ପଛ ଜୀବନର କୌଣସି ଭୁଲର ସୁଯୋଗ ନେଇ ଏ ଦଳଟି ତାଙ୍କ ପଛେ ଲାଗି ରହିଚି । ଦସ୍ୟୁଦଳ ସହିତ ତାର କେତେଦୂର ସମ୍ବନ୍ଧ ନ ଜାଣିଲେ ମଧ୍ୟ ମୋର ସନ୍ଦେହ ହୁଏ ସେଦିନର ହୀରା ହାରଟି ମଣିବାଲା ହିଁ ଚୋରି କରିଚି ।

 

ହେଇପାରେ, କିନ୍ତୁ ବିନା ପ୍ରମାଣରେ ମଣିବାଲାକୁ ଗିରଫ କରିବା ଅସମ୍ଭବ । ଆଚ୍ଛା, ରଜନୀବାବୁ କେବେ କଲିକତାରୁ ଆସୁଛନ୍ତି ?

 

ଆଜି ରାତିରେ ଆସିବାର କଥା –

 

ଆପଣ ତାଙ୍କ ଜୀବନର ପଛ ଇତିହାସ ସଂଗ୍ରହ କରି ମତେ ଜଣାନ୍ତୁ । ତାପରେ ଆମେ ଆଗେଇବା ।

 

ଭଗବାନ ନ କରନ୍ତୁ ରଜନୀବାବୁ ଦସ୍ୟୁଦଳ କବଳରେ ନ ପଡ଼ନ୍ତୁ । କହି ପୋଲିସ ସାହେବଙ୍କୁ ନମସ୍କାର କରି ଶ୍ରୀକାନ୍ତ ବାବୁ ବାହାରି ଆସିଲେ ।

 

ସାହେବମାନେ ଏ ଦେଶ ଛାଡ଼ିଲା ପରେ ଭାରତରେ ଅନେକ ଗ୍ରୀଷ୍ମାବକାଶ ସ୍ଥାନ ପରି ଗୋପାଳପୁରରେ ମଧ୍ୟ ଅନେକଗୁଡ଼ିଏ ପ୍ରାସାଦ ଖାଲିପଡ଼ିଚି । କେତେକର ଭଗ୍ନାବଶେଷ ମାତ୍ର ରହିଚି । ତଳମହଲାର ସମସ୍ତ ରୁମ୍‍ଗୁଡ଼ିକ ବାଲୁକାମୟ । ହଠାତ୍ ଦେଖିଲେ ଜଣାପଡ଼େ ତାର ଯେପରି କେହି ଉତ୍ତରାଧିକାରୀ ନାହାନ୍ତି । ସଙ୍ଗୀତମୁଖର ବିଳାସ ଭୂମି ନିର୍ଜନ ମରୁରେ ପରିଣତ ହୋଇଛି । ସମୁଦ୍ର କୂଳର ଅନତିଦୂରରେ ଥିବା ଏଇପରି ଏକ ପ୍ରାସାଦର ଉପର ମହଲାରେ କ୍ଷୀଣ ମହମବତୀଟିଏ ଜଳୁଚି । ଅସ୍ଥାୟୀ ପାନ୍ଥନିବାସ ପରି ଘରଟି ସାମାନ୍ୟ ପରିଷ୍କାର ହେଇଚି । ଏକ ତକ୍ତପୋଷ ଉପରେ ଯୁବକଟିଏ ଉଦାସ ଚାହାଣୀରେ ବସିଚି, ତା ଦୃଷ୍ଟି ଯାହା ଉପରେ ନିବଦ୍ଧ ସେ ତା ପାଖରେ ଏକ ରହସ୍ୟମୟୀ । ତା ରହସ୍ୟର ମାୟା ସୃଷ୍ଟି କରି ଯୁବକକୁ ମୋହବିଷ୍ଟ କରିବା ସଙ୍ଗେ ସଙ୍ଗେ ତାର ସମସ୍ତ ଶକ୍ତିକୁ ସେ ଯେପରି ନିଃଶେଷ କରିଦେଇଛି । ସେଇ ପୋଷାକ, ଅବିନାଶ ପ୍ରଥମ ରାତିରେ ଯାହା ଦେଖିଥିଲା, ସେଥିରେ ଟିକିଏ ହେଲେ ଅଦଳ ବଦଳ ନାହିଁ । ଗୋଟିଏ ରାତି ଅତିବାହିତ ହେବା ପରେ ତା ଆଖି ବନ୍ଦ କରି ଏଠାକୁ ସ୍ଥାନାନ୍ତରିତ କରାହେଇଚି । ଅଧରାତିରେ ଯାହାର ଆଗମନ କଳ୍ପନା କରି ସେ ଉଠି ବସିଲା, ସେ ସେଇ ଦସ୍ୟୁରମଣୀ । ଅବିନାଶର ସନ୍ଧାନୀ ଦୃଷ୍ଟି ରହସ୍ୟମୟୀର ନେଳୀ ଚଷମା ଉପରେ ପ୍ରତିହତ ହେଇ ଫେରି ଆସିଲା-

 

ଓହୋ ! ଦିଇଟା ଦିନରେ ବନ୍ଧୁଙ୍କର ଚେହେରା ନାରଖାର ହେଇ ଗଲାଣି....ଚୁ....ଚୁ.. ! ମଣିବାଲା ନିଶ୍ଚୟ ମତେ ଅଭିସମ୍ପାତ କରିବ । ଏ ଉଦାସ ଦୃଷ୍ଟିରେ ନୂତନ ଶିକାରର ଆଶା ଛାଡ଼ ବନ୍ଧୁ । ପ୍ରେମର ଆଦାନ ପ୍ରଦାନ କ୍ଷେତ୍ରରେ ଏ ଚାହାଣୀର ମୂଲ୍ୟଥାଏ, ମହତ୍ତ୍ୱ ବି ବଢ଼େ; ଏଠି ସେ ସବୁ ନିରର୍ଥକ….ମୂଲ୍ୟହୀନ !

 

ଗୋଟାଏ ଶୁଖିଲା ହସ ହସିଲା ଅବିନାଶ ।

 

ତମକୁ କ’ଣ ବୋଲି ସମ୍ବୋଧନ କରିବି ଭାବି ପାରୁନି । ହର ହାଇନେସ ମାନନୀୟା କି ଦେବୀଜି ? ଯାହାହେଉ ମଣିବାଲା ପ୍ରତି ତମର ସହଜାତ ହିଂସା ଥିଲା ପରି ମନେହୁଏ । ଜାଣେ ନା କେତେଦୂର ତା ସହିତ ତମର ବନ୍ଧୁତା ଅଛି ?

 

ପ୍ରେମିକ ଛଡ଼ା ଏ ଦୃଷ୍ଟିକୋଣ ସମସ୍ତଙ୍କର ନ ଥାଏ ଅବିନାଶ ବାବୁ ! ଏଁ, ଏପରି ଚମକି ଉଠୁଚ କାହିଁକି ? ତମ ନାଁଟା ସମ୍ବୋଧନ କଲି ବୋଲି ! ବାସ୍ତବିକ୍ ମଣିବାଲା ତମକୁ ଉଦଭ୍ରାନ୍ତ କରିଛି, ତାର ମୋହିନୀ ଶକ୍ତିକୁ ମୁଁ ତାରିଫ୍ କରୁଚି । ତମେ ଯେପରି ମୋ ଉପରେ ଦୃଷ୍ଟି ଦେଇଛ ଯେକୌଣସି ନାରୀ ପ୍ରେମରେ ପଡ଼ିବା କଥା ! କିନ୍ତୁ ଏ ନେଳୀ ଚଷମା ତଳେ ମଣିବାଲାର ଭ୍ରୁ ବିଳାସ ନାହିଁ କି ଏ କଳାପଟି ତଳେ ଓଠର ସେ ମୃଦୁ ସ୍ପନ୍ଦନ ନାହିଁ । ସେ କୁତ୍ସିତ ଚାହାଣୀ ଆଉ ଦନ୍ତୁରିତ ଓଷ୍ଠ ତମକୁ ହତାଶ କରିବ ବନ୍ଧୁ ! କିନ୍ତୁ ତମପରି ପ୍ରିୟତମ ସବୁ ନାରୀର ଯେ ଏକାନ୍ତ କାମ୍ୟ ମୁଁ ମାନୁଚି–

 

ଏ ଗହୀରରେ ଖୁବ୍ ଚାଷ ଥିଲା ପରି ମନେହୁଏ–

 

ନ ଥିଲେ ତମପରି ରସଜ୍ଞକୁ ଫାନ୍ଦରେ ପକେଇବା ଆମ ପକ୍ଷେ ସହଜ ହେଇନଥାନ୍ତା । ହୁଁ…. ରସଚର୍ଚ୍ଚା ଖୁବ୍ ହେଇଗଲା । ଏଥର ଉଦୀୟମାନ ଗୁଇନ୍ଦା ମି. ମାନସିଂ କୁହନ୍ତୁ ! ବିପିନଠାରୁ ସବୁ ଶୁଣିଲା ପରେ ତମର ଏ ନୂତନ ଅଭିଯାଗ ଆରମ୍ଭ ହେଲା, ନୁହେଁ ? କିନ୍ତୁ ରଜନୀ ମହାନ୍ତିର ପ୍ରକୃତ ରୂପ ଜାଣିଲା ପରେ ବି ଷ୍ଟେପ୍ ନେବାକୁ ବସିବ ?

 

ବିପିନ ଗୋଟାଏ ଚାଲବାଜ୍‍, ଜୁଆଡ଼ୀ । ତା କଥାକୁ ମୋର ବିଶ୍ୱାସ ନାହିଁ ।

 

କିନ୍ତୁ ତା ସାଥୀରେ ଥରେ ଯିଏ ଖେଳେ ସେ ଫଶେ । ତମେ ବି ସେଥିରୁ ବାଦ ଯାଇନଥିବ ବୋଲି ବିଶ୍ୱାସ । ଆମକୁ ଧରେଇ ଯେଉଁ ପୁରସ୍କାରଟି ପାଇବ, ସେଥିରୁ ଗୋଟାଏ ଅଂଶ ସେ ନିଶ୍ଚୟ ଦାବି କରିଥିବ । ଯାହାହେଉ ରଜନୀ ଦିନେ ତାଠାରୁ ଯେଉଁ ଫାଇଦା ଉଠେଇ ଥିଲା ତାର ପ୍ରତିଦାନ ସେ ନିଶ୍ଚୟ ଦେବ ।

 

ରଜନୀବାବୁ ବିଷୟରେ ତୁମେ ଯେପରି ଅନେକ କିଛି ଜାଣିଚ ମନେହୁଏ–

 

ତମ ପରି ଗୁଇନ୍ଦା ଶ୍ରେଷ୍ଠଙ୍କ ଅପେକ୍ଷା ନିଶ୍ଚୟ ବେଶୀ । ସେମାନଙ୍କ ଅର୍ଥଲବ୍ଧ ଦୃଷ୍ଟି କେତେବେଳେ ହେଲେ ନିରୀହ ନିର୍ଦ୍ଦୋଷମାନଙ୍କୁ ଶାପମୁକ୍ତ କରେନା । ଅସ୍ୱାଭାବିକ ଭାବରେ ଅପ୍ରାକୃତିକ ଉପାୟରେ ଯେଉଁମାନେ ପର ଧନ ଅପହରଣ କରି, ପରର ତଣ୍ଟି ଚିପି ରାତାରାତି ବଡ଼ ଲୋକ ହେଇ ବସନ୍ତି ସେଇମାନଙ୍କ ଅନୁଗ୍ରହ ପ୍ରାର୍ଥୀ ହେବା ପାଇଁ ତମେମାନେ ସବୁବେଳେ ବ୍ୟାକୁଳ । ଚୋରା ବଜାରରେ ଚାବୁକ ଯେଉଁମାନଙ୍କର ପ୍ରାପ୍ୟ ସେମାନଙ୍କ ସହିତ ତମେମାନେ କରମର୍ଦ୍ଦନ କର, ଦଲାଲିବୃତ୍ତି ଯେଉଁମାନଙ୍କ ଆଜୀବନ ପେଶା, ସେମାନଙ୍କ ସହିତ ହସି କଥା କୁହ-। ପୋଲିସ ରାଜ୍‍ର ତମେମାନେ ଦ୍ୱାରପାଳ । ମିଛ ପ୍ରମାଣ ଥୋଇ, ସରକାରଠାରୁ ବାହାବା ନେବାରେ ତମେ ସବୁ ଧୁରନ୍ଧର । ଯେଉଁମାନେ ଏସବୁ ପାଇଁ ବିପ୍ଲବ କରିବେ, ତମମାନଙ୍କ ଦୃଷ୍ଟିରେ ସେମାନେ କ୍ରିମିନାଲ ! I hate your scandal society ! ଆଜି ଦେଶର ଅବସ୍ଥା ପାଇଁ ତମ ପରି ତୋଷାମଦକାରୀମାନେ ହିଁ ଦାୟୀ । ଯାହାଙ୍କୁ ଦସ୍ୟୁ ଆଖ୍ୟା ଦେଇ ଆଖିର ଇଙ୍ଗିତରେ ଶାସନ କରିବାକୁ ବସିଚ, ସେମାନଙ୍କଠାରୁ ଯଥେଷ୍ଟ ନୀଚ୍ଚ ତମେମାନେ । ଭବିଷ୍ୟତ ଏ ସବୁର ନିଶ୍ଚୟ ବିଚାର କରିବ…..

 

Too socialistic!

 

ଫଣିନୀର ଶତସହସ୍ର ବିଷାକ୍ତ ଫଣାଘାତରେ ଅବିନାଶର ମନ କ୍ଷତବିକ୍ଷତ ହୋଇଥିଲେ ହେଁ ଏତକ ଟିପ୍ପଣୀ ଦେବାକୁ ସେ ଛାଡ଼ିଲା ନାହିଁ । ଏତିକିବେଳେ ବାହାରେ କାହାର ପଦଶବ୍ଦ ଶୁଣି ଦସ୍ୟୁନାୟିକାଟି ଭିତରକୁ ଆସିବା ପାଇଁ ଇଙ୍ଗିତ ଦେବା ମାତ୍ରେ ଅବିନାଶ ତା ଆଡ଼କୁ ଅନେଇଲା । ପାର୍ଶ୍ୱଚରଟି ନୀରବରେ କ’ଣ କହି ନିଷ୍କ୍ରାନ୍ତ ହେବାରୁ ଯୁବତୀଟି ସାମାନ୍ୟ ହସି କହିଲା, ଗୋଟାଏ ସୁସମ୍ବାଦ ଅବିନାଶ ବାବୁ ! ତମର ପୂଜ୍ୟ, ଦେବୋପମ ସମ୍ଭ୍ରାନ୍ତ ରଜନୀକାନ୍ତ ମହାନ୍ତି ଆମ ନିମନ୍ତ୍ରଣ ରକ୍ଷା କରିଛନ୍ତି ।

 

ଅବିନାଶ ଆଶ୍ଚର୍ଯ୍ୟରେ ଯୁବତୀଟିକୁ ଅନେଇ ରହିଲା ।

 

ଅଧଘଣ୍ଟା ଭିତରେ ରଜନୀବାବୁଙ୍କ ମୁଖ ନିସୃତ ବୟାନ ତମେ ଶୁଣିପାରିବ ମି. ମାନସିଂ-। କିନ୍ତୁ ଦେଖ ବନ୍ଧୁ, ଆମ ଶୃଙ୍ଖଳାରେ ଟିକିଏ ହେଲେ ବ୍ୟତିକ୍ରମ ଘଟିଲେ ଶାସ୍ତି ପାଇଁ ପ୍ରସ୍ତୁତ ଥିବ ବୋଲି ଆଶାକରେ….

 

ଏଥରକ ବିଦାୟ ବନ୍ଧୁ ! ଏ ବୋଧେ ଶେଷ ଦେଖା ! ତମ ସଭ୍ୟ ଦୁନିଆର ଆଲୋକିତ ରାଜପଥ ଉପରେ ଯଦି ପୁଣି କେବେ ଦେଖାହୁଏ, ଭୁଲିଯିବ ନାହିଁ । ମଣିବାଲାକୁ ମୋର ଆନ୍ତରିକ ଶୁଭେଚ୍ଛା- ଗୁଡ୍ ବାଇ ! !

 

ଅବିନାଶ ଚାହୁଁ ଚାହୁଁ ରହସ୍ୟମୟୀଟି ତା ଦୃଷ୍ଟି ପଥରୁ ଅନ୍ତର୍ହିତ ହେଇଗଲା । ସାଙ୍ଗେ ସାଙ୍ଗେ ଘରର ସୁଦୃଢ଼ କବାଟଟି ବନ୍ଦ ହେଇଗଲା । ମହମବତୀଟି ଜଳି ଜଳି ଶେଷ ହେଉଥାଏ ।

 

ରଜନୀବାବୁ ଆଖିରୁ କଳା କନାର ପଟିଟି ଖୋଲି ନିଆ ହେବା ପରେ ସେ ଦେଖିବାକୁ ପାଇଲେ ଏକ ବିଶିଷ୍ଟ ନାରୀ ମୂର୍ତ୍ତି ସୁଟ୍ ପିନ୍ଧି ଛିଡ଼ା ହେଇଚି । ଏ ମୂର୍ତ୍ତି ସହିତ ସେ ଖୁବ୍ ପରିଚିତ । ମହମବତୀର କ୍ଷୀଣ ଆଲୋକ ଶିଖା ପ୍ରଶସ୍ତ କକ୍ଷଟିକୁ କିଞ୍ଚିତ ପରିମାଣରେ ଆଲୋକିତ କରିଚି । କକ୍ଷଟିର ଦୁଇ ପାର୍ଶ୍ୱରେ ଦୁଇଟି ଅନୁଚର ଦଳକର୍ତ୍ତୀଙ୍କ ହୁକୁମ୍ ଅପେକ୍ଷାରେ ସବୁବେଳେ ସଜାଗ । ରଜନୀବାବୁ ଏକ ଚେୟାର ଉପରେ ବସି ନିଷ୍ପନ୍ଦ ଭାବରେ ପରିସ୍ଥିତିକୁ ଲକ୍ଷ୍ୟ କରୁଥାନ୍ତି ।

 

ଅଭିବାଦନ ଜଣଉଚୁ ରଜନୀବାବୁ ! ସ୍ୱଦେଶ ଓ ବିଦେଶର ବିଶିଷ୍ଟ ବ୍ୟବସାୟୀ ଭାବରେ ଖ୍ୟାତି ଅର୍ଜନ କରିଥିବା ରଜନୀକାନ୍ତ ମହାନ୍ତିଙ୍କୁ ଏ ସର୍ବହରା ଦଳର ନେତ୍ରୀ ଭାବରେ ପ୍ରଥମେ ଅଭିବାଦନ ଜଣଉଛି ।

 

ହଁ, ଆଗେ କେଇଟି ଜରୁରୀ ପ୍ରଶ୍ନର ସମାଧାନ ହେଲା ପରେ ଅନ୍ୟ ବିଷୟ ଆଲୋଚନା କରାଯିବ । ଆମ ପଛରେ ଗୁଇନ୍ଦା ଲଗେଇବା ମୂଳରେ ଆପଣଙ୍କର କି ଉଦ୍ଦେଶ୍ୟ ରହିଚି ?

 

ରଜନୀବାବୁଙ୍କୁ ନୀରବ ରହିବା ଦେଖି ନେତ୍ରୀଟି ଏକ ବିଦ୍ରୁପ ହସ ହସି ପୁଣି କହିଲା, ତୁନି ରହିଲେ ଚଳିବନି ମି. ମହାନ୍ତି । ଭଦ୍ରଭାବରେ କଥାର ଉତ୍ତର ନ ମିଳିଲେ ଅଭଦ୍ର ପନ୍ଥାର ଆଶ୍ରୟ ନେବାକୁ ବାଧ୍ୟ ହେବୁ... ଆଚ୍ଛା ନିକଟରେ ଆପଣଙ୍କର ଯେଉଁ ହୀରା ହାର ଓ ତାଠୁ ବଳି ମୂଲ୍ୟବାନ ଉଇଲ ଚୋରି ଗଲା ତାକୁ କିଏ ନେଇଚି ?

 

ମତେ ଏପରି ଜେରା କରିବା ମାନେ ? ରଜନୀବାବୁ ବେଶ୍ ନିର୍ଭୀକ ଭାବରେ ପ୍ରଶ୍ନକର୍ତ୍ତାଙ୍କ ମୁହଁକୁ ଅନେଇ କହିଲେ ।

 

ଖାଲି ଜେରା ନୁହେଁ ମି. ମହାନ୍ତି । ଆମର ଯେତିକି ତଥ୍ୟ ଆବଶ୍ୟକ ସେତକ ଆପଣଙ୍କଠୁ ଯେକୌଣସି ମତେ ଆଦାୟ କରିବାକୁ ଆମେ ଦୃଢ଼ ପ୍ରତିଜ୍ଞ । ଆମେ ଜାଣୁ ଆମର ସନ୍ଦିଗ୍ଧ ବିଷୟଗୁଡ଼ିକର ଯଥାର୍ଥ ଉତ୍ତର ଅନ୍ୟ କାହାରିଠୁ ମିଳିପାରିବନି । ଏଣୁ ସଶରୀରେ ଆପଣଙ୍କୁ ନିମନ୍ତ୍ରଣ କରିଚୁ । ହଁ କୁହନ୍ତୁ, ମୋ ହାତରେ ସମୟ ଖୁବ୍ ଅଳ୍ପ ।

ଚୋର କିଏ ମୁଁ ଜାଣିଥିଲେ ପୋଲିସକୁ ଖବର ଦେବା ଦରକାର ପଡ଼ି ନ ଥାନ୍ତା–

 

ଦେଖନ୍ତୁ ପ୍ରଥମ ୱାରନିଂ ଆପଣଙ୍କୁ ଦେଉଚି । ମୋ ପ୍ରଶ୍ନର ସିଧା ଉତ୍ତର ନ ଦେଇ ଟିକିଏ ଏ ପାଖ ସେ ପାଖ କଲେ ଏ ଚାବୁକର ସଦ୍‍ବ୍ୟବହାର କରିବାକୁ ମୁଁ କୁଣ୍ଠିତ ହେବିନି । କୁହନ୍ତୁ କିଏ ସେ ଚୋର ?

 

ମୁଁ କହୁଚି.... ମୁଁ.....

 

Shut up you liar...ରଜନୀବାବୁଙ୍କ ଦେହ ସ୍ପର୍ଶ କରି ବିଜୁଳି ବେଗରେ ଚାବୁକଟି ନର୍ତ୍ତନ କରି ଉଠିଲା । ରଜନୀବାବୁ ବାକ୍ୟଟି ପୂରଣ କରି ନ ପାରି ଭୟରେ ଶିହରୀ ଉଠିଲେ ।

 

ଏ ଏଜଲାସରେ ଶାସ୍ତି ସାଙ୍ଗେ ସାଙ୍ଗେ ଭୋଗିବାକୁ ହୁଏ, ଏକଥା ଯେପରି ଶିଳ୍ପଶ୍ରୀ ଏଣ୍ଡ କୋ: ପ୍ରୋପ୍ରାଇଟରଙ୍କର ମନେ ରୁହେ.. …ବିପିନ କିଏ ?

 

ମୋର ପରିଚିତ ବନ୍ଧୁମାନଙ୍କ ଭିତରୁ ଜଣେ…..

ମୁଁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଚି ଯେ ଆପଣ ତାକୁଇ ଚୋରି ଅପରାଧରେ ଅଭିଯୁକ୍ତ କରିବାକୁ ଚାହାନ୍ତି–

ନା, ମୁଁ କେବଳ ତାକୁ ସନ୍ଦେହ କରିଥିଲି–

ପୋଲିସ ଆଗରେ ତା ନାଁ ପ୍ରକାଶ ନ କରିବା ମାନେ ?

ରଜନୀବାବୁ ନୀରବ ।

 

ଦେଖନ୍ତୁ, ଆପଣଙ୍କ ନୀରବତା ମାନେ ଆପଣଙ୍କ ଅଜ୍ଞତା ନୁହେଁ । ବାଧ୍ୟ ହେଇ ଆମେ ଭାବି ନେବୁ ଯେ ସେଗୁଡ଼ିକୁ ଆପଣ ସମର୍ଥନ କରୁଛନ୍ତି ।

 

ରଜନୀବାବୁ ପ୍ରାଶ୍ନିକ ଦୃଷ୍ଟିରେ ଅନେଇଲେ ।

 

ବେଶ୍, ବିପିନକୁ ଆପଣ ସନ୍ଦେହ କରନ୍ତି । ୟାର ନିଶ୍ଚୟ ଗୋଟାଏ ମଜବୁତ କାରଣ ଥିବ, ଯାହାକୁ strong back ground ଆଖ୍ୟା ଦିଆଯାଇପାରେ । ଚୋରି ଯାଇଥିବା ଉଇଲ ସହିତ ବିପିନର କୌଣସି ସ୍ୱାର୍ଥ ଅଛି କି ?

 

ସେ ଉଇଲ ମୋର ନୁହେଁ–

କାହାର ?

ମୋର ଜଣେ ଆତ୍ମୀୟର-

ବିପିନ ସେ ଆତ୍ମୀୟ ନୁହନ୍ତି ତ ?

ରଜନୀବାବୁ ମଥା ଟେକି ଅନେଇ କହିଲେ ନା–

ତେବେ ବିପିନ ସେ ଆତ୍ମୀୟକୁ ନିଶ୍ଚୟ ଚିହ୍ନନ୍ତି ?

ହଁ ।

 

ଓହୋ ! ସେଇଥିପାଇଁ ଆପଣଙ୍କର ସନ୍ଦେହ ଯେ ବିପିନ ସେ ଉଇଲ ହରଣଚାଳ କରି ପାରିଥାଏ । କିନ୍ତୁ ହୀରା ହାର ନେଲା କିପରି ? ଆପଣ କୁହନ୍ତି ବିପିନ ଛଡ଼ା ସେ ଗୁପ୍ତ ଆଲମୀରା କଥା କେହି ଜାଣିନଥିଲେ ?

 

ରଜନୀବାବୁ ଆଶ୍ଚର୍ଯ୍ୟରେ ଅନେଇଲେ ତରୁଣୀଟି ମୁହଁକୁ ।

 

ଆଶ୍ଚର୍ଯ୍ୟ ହେବାର ଯଥେଷ୍ଟ କାରଣ ଅଛି ମି. ମହାନ୍ତି । ଏଇଟା ତ ପ୍ରଥମ ପର୍ବ । ବିପିନର ବୟାନ ମଧ୍ୟ ଆମ ପାଖରେ ରହିଚି । ସେଗୁଡ଼ିକ ଯଦି ଆପଣଙ୍କ ବୟାନ ସହିତ ନ ମିଳେ ତେବେ ସବୁଦିନ ପାଇଁ ହୁଏତ ଏଇଠି ଏମିତି ଆପଣଙ୍କୁ ବସି ରହିବାକୁ ହେଇପାରେ.....

 

ଯାହାହେଉ, ଆମେ ଯେତେଦୂର ଜାଣୁ, ବିପିନ ଆପଣଙ୍କର ବିଶିଷ୍ଟ ବନ୍ଧୁ, ଉପଦେଷ୍ଟା ଆଉ ପରଧନ ଆତ୍ମସ୍ଥ କରିବା ଷଡ଼ଯନ୍ତ୍ରର ସହକାରୀ । ଏଇ ବିପିନ ହିଁ ଆଜି ଆମର ଆଲୋଚ୍ୟ ବିଷୟ । ବିପିନବାବୁଙ୍କର ବୟାନରୁ ଆମେ ଜାଣିବାକୁ ପାଇଚୁ ନରେନ୍ଦ୍ର ରାୟ ନାମକ ଏକ ଶିଳ୍ପପତି ତା ଝିଅ ନାଁରେ ସେ ଉଇଲ କରି ଦେଇଥିଲା, ସତ କି ?
 

ରଜନୀବାବୁ ନୀରବ ।

ନରେନ୍ଦ୍ର ରାୟକୁ ଆପଣ ନିଶ୍ଚୟ ଜାଣନ୍ତି ?

ହଁ ।

ସେ ନିଜେ ଆପଣଙ୍କ ପାଖେ ସେ ଉଇଲ ରଖିଥିଲା ?

ହଁ ।

 

ମିଥ୍ୟା କହି ଏଠୁ କେହି ତ୍ରାହି ପାଇନି । ଆଖିରେ ନେଳୀ ଚଷମା ନ ଥିଲେ ସ୍ପଷ୍ଟ ଜଣାପଡ଼ିଥାନ୍ତା ଦସ୍ୟୁରମଣୀଟିର ହିଂସ୍ର ଦୃଷ୍ଟି ରାଗରେ କିପରି ଜଳି ଉଠିଛି ।

 

ନରେନ୍ଦ୍ର ଏବେ ବଞ୍ଚିଛି କି ନାହିଁ ?

ସେ ମଲାଣି ।

ସେ ଉଇଲର ଉତ୍ତରାଧିକରୀ ତା ଝିଅ ଅଛି କି ନାହିଁ ?

ନାଁ ।

 

ଚମତ୍କାର ! ନରେନ୍ଦ୍ର ଆଉ ତା ଝିଅକୁ ଜୀବନରେ ଶେଷ କରି ଉଇଲସ୍ଥ ସବୁ ସମ୍ପତ୍ତିକୁ ମାରି ନେବାର ବେଶ୍ କୌଶଳ ଖଞ୍ଜିଚ ! ଆଉ ଏ ସବୁର ମଧ୍ୟସ୍ଥି ହେଇଚି ବିପିନ ।

 

ଆଚ୍ଛା...ବିପିନ ଆପଣଙ୍କୁ ଉଚ୍ଛନ୍ନ କରିବାକୁ କାହିଁକି ବସିଚି ?

 

ମୋ ବ୍ୟବସାୟ ସହିତ ସେ ସଂଶ୍ଲିଷ୍ଟ । ଗୋଟାଏ ଟର୍ମସରେ ସେ ରାଜି ନ ହେବାରୁ ମୋ ବିରୁଦ୍ଧରେ ସେ କାରସାଦି କରୁଚି ।

 

ସେ ଟର୍ମସ ଆମକୁ ଜଣା । ନରେନ୍ଦ୍ରକୁ ସର୍ବସ୍ୱାନ୍ତ କରିବାରେ ସାହାଯ୍ୟ କରିଥିବାରୁ ତାର ଯାହା ପ୍ରାପ୍ୟ, ତାକୁ ନ ଦେଇ ସବୁ ପେଟରେ ପକେଇଚ । ସେଇଥିପାଇଁ-ଆଚ୍ଛା, ସେ ଉଇଲର ଆଉ କେହି ଉତ୍ତରାଧିକାରୀ ଅଛନ୍ତି କି ?

ନା-

ବିପିନ କାହିଁକି ସେ ଉଇଲ ନେବାକୁ ବସିଥିଲା ?

ମୁଁ ଜାଣେନା–

ସୁରଜିତ !

ପଲକ ମାତ୍ରେ ଏକ ବଳିଷ୍ଠ ଯୁବକ ଆସି ହାତରେ ଚାବୁକ୍‍ଟାଏ ଧରି ଛିଡ଼ା ହେଲା ।

 

ଏଥରକ କହନ୍ତୁ ମି. ମହାନ୍ତି ! ୧୨୧ । ୧-ଏ, ମ୍ୟାଙ୍ଗୋଲେନ୍, କଲିକତାରେ ଆପଣଙ୍କ କେହି ରୁହନ୍ତି କି ?

 

ହଁ, ମୋର ଜଣେ ଆତ୍ମୀୟା ।

କଲିକତାସ୍ଥ ଆପଣଙ୍କ ବାସଭବନରେ ତାକୁ ନ ରଖି ଦୂରରେ ରଖିବା ମାନେ ?

ତାକୁ ସାମାନ୍ୟ କିଛି ଖର୍ଚ୍ଚ ଯୋଗାଇବା ଛଡ଼ା ତା ସହିତ ମୋର କୌଣସି ସମ୍ବନ୍ଧ ନ ଥାଏ ।

ତା ନାଁ ?

ସରଳା ।

ସେ ନରେନ୍ଦ୍ର ବାବୁଙ୍କ ସ୍ତ୍ରୀ ହେଇପାରନ୍ତି କି ?

ନା–

 

ପଲକମାତ୍ରେ ସୁରଜିତ ଚମକି ଯାଇ ଚାବୁକ ପ୍ରହାର କଲା । ରଜନୀ ମହାନ୍ତି ଯନ୍ତ୍ରଣାରେ ଚିତ୍କାର କରି ଉଠିଲା ।

 

ବଦମାସ୍ । ସଭ୍ୟ ସମାଜର ତମେମାନେ ସମ୍ଭ୍ରାନ୍ତ ଭଦ୍ରଲୋକ । ହା-ହା-ହା ନରକର ବାଟ ତମେମାନେ.....ତମକୁ ସବୁ ଜବଦ୍ କରିବା ପାଇଁ ଦେଶର ଚାରିଆଡ଼େ ଏଇପରି ଦଳ ତିଆରି କରିବାକୁ ହେବ । ନରେନ୍ଦ୍ରର ସ୍ତ୍ରୀକୁ କୌଣସି ଏକ ଅପରିଚ୍ଛନ୍ନ ଗଳିରେ ବନ୍ଦୀ କରି, କୌଶଳରେ ହୀରା ହାର ତାଠୁ ମାରି ଆଣି ତା ମିଲ୍‍ର ଏକଛତ୍ର ମାଲିକ ହେବାର ଯେଉଁ ଅଭିଳାଷ, ତା ଆଉ ବେଶୀଦିନ ନୁହେଁ । ସୁରଜିତ୍ ! ସବୁ କାଗଜ ପ୍ରସ୍ତୁତ କରିଚ ?

 

ସୁରଜିତ୍ କକ୍ଷାନ୍ତର ହେଇ ଏକ ଫାଇଲ ସହ ପୁଣି ପ୍ରବେଶ କଲା ।

 

ଆପଣଙ୍କୁ କଷ୍ଟ ଦେଇ ଆପଣଙ୍କ କୋମଳ ଅଙ୍ଗରେ ଚାବୁକର ଚୁମ୍ବନ ଦେବାକୁ ଚାହୁନା-। ଏ ଷ୍ଟେଟମେଣ୍ଟଟି ପଢ଼ି ୟା ତଳେ ସୁନା ପୁଅ ପରି ଦସ୍ତଖତ କରିଦେବା ପରେ ଆପଣଙ୍କୁ ନିର୍ବିଘ୍ନରେ ବ୍ରହ୍ମପୁରରେ ପହୁଞ୍ଚାଇ ଦିଆଯିବ ।

 

ସୁରଜିତ ଫାଇଲଟି ନେଇ ରଜନୀବାବୁଙ୍କ ଆଗରେ ରଖିଲା । ରଜନୀ ବାବୁ ପଢ଼ୁ ପଢ଼ୁ ତାଙ୍କ ମୁହଁରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖାଗଲା । ଭୟରେ ସେ ଚିତ୍କାର କରି କହିଲେ–

 

ନା- ନା- ଏସବୁ ମିଛ- ଏସବୁ ମିଛ–

 

ହା-ହା-ହା- ମିଛ ? ଏକ୍ଷଣି ଯାହା ସବୁ ବୟାନ ଦେଇଚ ଅବିକଳ ତାରି ନକଲ ପ୍ରୋପ୍ରାଇଟର ସାହେବ । ଆପଣଙ୍କ ଆଗରେ ଏକ୍ଷଣି ଦୁଇଟି ପନ୍ଥା । ପ୍ରଥମଟି ହେଉଚି ଏଥିରେ ଦସ୍ତଖତ କରିବା ପରେ ଆପଣଙ୍କୁ ଛାଡ଼ି ଦିଆଯିବ । ଦ୍ୱିତୀୟରେ ଦସ୍ତଖତ ନ କଲେ ଚିରଦିନ ବନ୍ଦୀ ହେଇ ରହିବ–

 

ହଠାତ୍ ଗୋଟିଏ ପ୍ରହରୀ ଆସି କହିଲା, ମା ! ଶତ୍ରୁ ପଳେଇଚି ।

ଏଁ ! ତମେ ସବୁ କ’ଣ କରୁଚ ? ସୁରଜିତ, ଦେଖ ବନ୍ଦୀ ଯେପରି ପଳେଇ ନ ପାରେ–

 

ସୁରଜିତ ତତ୍‍କ୍ଷଣାତ୍ ପାଖ ରୁମ୍‍କୁ ଆସି ଦେଖିଲା, ପ୍ରକୃତରେ ବନ୍ଦୀ ପଳେଇଛି । କାନ୍ଥ ଚାରିପାଖେ କେଉଁଠି ହେଲେ ରାସ୍ତା ନାହିଁ କି ଖିଡ଼ିକି ଭାଙ୍ଗି ପଳେଇବା ମଧ୍ୟ ସହଜ ନୁହେଁ । ସେ ଉପରକୁ ଅନେଇ ଦେଲା ମାତ୍ରେ ଦେଖିଲା ଭେଣ୍ଟିଲେଟର କାଚଟି ଭଙ୍ଗା ହୋଇଛି । ଭେଣ୍ଟିଲେଟର ବାଟେ ବାହାରିଗଲେ ସହଜେ ଛାତ ଉପରକୁ ଯାଇହେବ । ସୁରଜିତ ରୁମ୍‍ ଭିତରୁ ବାହାରି ଆସି ଉପରକୁ ଆସିଲା । ଦୁଇଜଣ ଅନୁଚରକୁ ରଜନୀ ବାବୁ ପାଖେ ରଖିଦେଇ ଦସ୍ୟୁରାଣୀଟି ମଧ୍ୟ ସୁରଜିତ୍ ପଛେ ପଛେ ଆସିଲା ।

 

ପ୍ରକାଣ୍ଡ କୋଠାର ଛାତ ଓ ଭଙ୍ଗା ରୁମ୍‍ଗୁଡ଼ିକ ତନ୍ନ ତନ୍ନ ଖୋଜି କୌଣସିଠାରେ ଅବିନାଶକୁ ନ ପାଇ ଦୁହେଁ ଫେରି ଆସୁ ଆସୁ ହଠାତ୍ ସୁରଜିତର ଦୃଷ୍ଟି ଟାଣି ହେଇଗଲା ଅଦୂରସ୍ଥ ଗଛ ଛାଇ ତଳକୁ । ଗଛ ଛାଇ ତଳେ ସୁରଜିତ ସ୍ପଷ୍ଟ ଦେଖିଲା ଗୋଟିଏ ଛାଇ ଯେପରି କ୍ରମେ କ୍ରମେ ଅପସରି ଯାଉଚି ।

 

ସୁରଜିତ ପିସ୍ତଲ ଉଠେଇ ଲକ୍ଷ୍ୟ ଠିକ୍ କରୁ କରୁ ଦସ୍ୟୁରମଣୀ ପଛ ପଟୁ ଆସି ସୁରଜିତ ହାତକୁ ଧରି ପକେଇ କହିଲା, ନାଁ, ତାକୁ ମାରି ଆମର କୌଣସି ଲାଭ ହେବ ନାହିଁ ।

 

କିନ୍ତୁ ସେ ଯେ ସାଙ୍ଗେ ସାଙ୍ଗେ ପୋଲିସକୁ ଖବର ଦେବ–

 

ତା ଆଗରୁ ଆମକୁ ଏଠୁ ଚାଲିଯିବାକୁ ହେବ । ମୁଁ ଆଜି ବାହାରକୁ ଯାଉଚି । ତମେ ସବୁ ବିକ୍ଷିପ୍ତ ହୋଇଯାଅ....କହି ଛାତରୁ ଆସ୍ତେ ଆସ୍ତେ ଓହ୍ଲେଇ ଆସିଲା ରହସ୍ୟମୟୀ ନାରୀଟି । ସୁରଜିତ କିଛି ବୁଝି ନ ପାରି ଆଶ୍ଚର୍ଯ୍ୟରେ ଅନୁଧାବନ କଲା ।

 

ସୁରଜିତ ଅନୁମାନ ଅନୁଯାୟୀ ସେଇ ରାତିର ଶେଷ ପ୍ରହରରେ ପୋଲିସ ଆସି ଗୋପାଳପୁରର ସେ ଆଡ୍ଡା ସ୍ଥାନଟି ଘେରାଉ କଲେ । ପରିତ୍ୟକ୍ତ, ଜୀର୍ଣ୍ଣ ପ୍ରାସାଦଟିର ଉପର ମହଲାର ଏକ ରୁମ୍‍ରେ ଶୃଙ୍ଖଳିତ ଅବସ୍ଥାରେ ରଜନୀବାବୁଙ୍କ ଛଡ଼ା ଆଉ କାହାରିକୁ ପାଇଲା ନାହିଁ ପୋଲିସ ।

 

ଠିକ୍ ସେଇ ଭୋରରେ ବ୍ରହ୍ମପୁରର ଶିଳ୍ପଶ୍ରୀ ଏଣ୍ଡ କୋ: ଫାଟକ ଭିତରେ ଏକ ହୃଷ୍ଟପୃଷ୍ଟ ଶରୀର ବିଶିଷ୍ଟ ଗୋଟିଏ ସୁଟ୍ ପିନ୍ଧା ଲୋକ ପ୍ରବେଶ କଲା । ବାରଣ୍ଡା ଉପରକୁ ଉଠିବା ପୂର୍ବରୁ ଦରୁଆନଟି ଆସି ପଚାରିବାରୁ ସେ ତାଠୁ କ’ଣ ବୁଝି ଫେରି ଆସିଲା । ତାପରେ ମେନ୍‍ରୋଡ଼ରୁ ଝଟକାଟିଏ କରି ଷ୍ଟେସନ ଅଭିମୁଖେ ଆସିଲା । ଷ୍ଟେସନ ରୋଡ଼ରେ ଥିବା ‘ପାରାଡ଼ାଇଜ୍’ ହୋଟେଲରେ ପ୍ରବେଶ କରିବା ପର୍ଯ୍ୟନ୍ତ ଆଉ ଗୋଟିଏ ଝଟକାରେ ତାକୁ ଯିଏ ଅନୁସରଣ କରୁଥିଲା, ଭଦ୍ରଲୋକଟି ହୋଟେଲ ଭିତରେ ଅଦୃଶ ହେଇଯିବା ପରେ ଅନୁଗାମୀଟି ଫେରି ଆସିଲା । ସେ କେହି ନୁହେଁ– ସେ ଆମ ପରିଚିତ ବିପିନ ପଟ୍ଟନାୟକ ।

 

ଦିବା ଭୋଜନ ପରେ ପୁଣି ଯାଇଁ ବିପିନ ଯେତେବେଳେ ସେହି ହୋଟେଲରେ ଉକ୍ତ ଲୋକଟିର ସନ୍ଧାନ ନେଲା, ସେ ତା ରୁମରେ ହିଁ ଥିଲା । ହୋଟେଲ ରେଜିଷ୍ଟରରେ ସେ ତା ନାଁ ଲେଖେଇଛି ଶ୍ରୀଚରଣ ସିଂ । ତାକୁ କେହି ଖୋଜୁଚି ଶୁଣି ପ୍ରଥମେ ସେ ଆଶ୍ଚର୍ଯ୍ୟ ହେଲା । ତାପରେ ବାହାରକୁ ଆସି ଯେତେବେଳେ ବିପିନକୁ ପ୍ରତ୍ୟକ୍ଷ ଦେଖିଲା ତା ଆଶଙ୍କା କେତେକାଂଶରେ କଟିଗଲା । ପାଖକୁ ଆସି ପଚାରିଲା, ମତେ ଚାହାଁନ୍ତି ?

 

ଆଜ୍ଞା !

ଆପଣଙ୍କ ପରିଚୟ ଜାଣିପାରେ କି ?

 

ମତେ ଜଣେ ଅପରିଚିତ ବନ୍ଧୁ ଭାବରେ ଗ୍ରହଣ କରିପାରନ୍ତି, I may be of some service to you–

 

ତେବେ ଆସନ୍ତୁ ଭିତରକୁ ।

 

ରୁମ୍ ଭିତରେ ବିପିନ ବସିବା ପରେ ଭଦ୍ରଲୋକଟି କବାଟ ବନ୍ଦ କରିଦେଇ ନିକଟସ୍ଥ ଚଉକିରେ ଆସି ବସିଲା ।

 

କହନ୍ତୁ, କି ପ୍ରକାର ସାହାଯ୍ୟ ମତେ କରିପାରନ୍ତି ?

 

ଦେଖନ୍ତୁ, ମୋ ଦୃଷ୍ଟିଶକ୍ତିରେ ଯଦି କୌଣସି ପ୍ରକାର ଗୋଳମାଳ ନ ଥାଏ, ମୋ ଅବଧାରଣା ପ୍ରାୟ ଠିକ୍ । ଆଉ ମୋର ପୂରା ବିଶ୍ୱାସ ମୋ ଦୃଷ୍ଟି cent percent correct !

 

ଓଃ, ବିଷୟଟା କୁହନ୍ତୁ.. ଆଗ୍ରହାତିଶ୍ଚର୍ଯ୍ୟରେ ଭଦ୍ରଲୋକଟି ବିପିନ ମୁହଁକୁ ଅନେଇ ରହିଲେ ।

 

ସତ କହିଲେ ଆପଣ କିଏ ମୁଁ ଏପର୍ଯ୍ୟନ୍ତ ଜାଣିନି । ତେବେ ଆପଣ ଯେ ରଜନୀବାବୁଙ୍କ ବ୍ୟବସାୟ ସମ୍ପର୍କରେ interested–

 

ମାନୁଚି, କିନ୍ତୁ.....

 

ଆପଣ ପଚାରି ପାରନ୍ତି ମୁଁ ଏସବୁ କିମିତି ଜାଣିଲି ? ଟିକେ ରହି ପୁଣି କହିଲା ବିପିନ, ଅତି ବଡ଼ି ଭୋରୁ ଆପଣ ଶିଳ୍ପଶ୍ରୀ ଏଣ୍ଡ କୋ: ଅଫିସ ଭିତରେ ପଶିଥିଲେ । ଆପଣ ନିଶ୍ଚୟ ରଜନୀବାବୁଙ୍କୁ ଦେଖା କରିବାକୁ ଆସିଥିଲେ, କିନ୍ତୁ ନ ପାଇ ହତାଶରେ ଫେରିଗଲେ । ମୁଁ ଆପଣଙ୍କୁ ହୋଟେଲ ପର୍ଯ୍ୟନ୍ତ ଅନୁସରଣ କରିଥିଲି ।

 

ଓହୋ..... ବିଷୟଟି ବେଶ୍ ଇଣ୍ଟରେଷ୍ଟିଂ । କିନ୍ତୁ ଆପଣଙ୍କ ଅନୁମାନରେ ଟିକେ ଭୁଲ ରହିଗଲା । ମୋର ଉଦ୍ଦେଶ୍ୟ.....ହ–ହଠାତ୍ କଥାର ମୋଡ଼ ବଦଳେଇ ଭଦ୍ରଲୋକଟି କହିଲେ, ଯେତେବେଳେ ଆମ ଭିତରେ ଗୋଟାଏ ବନ୍ଧୁତ୍ୱର ସୂତ୍ରପାତ ହେଲାଣି, ସେତେବେଳେ କେହି କାହାକୁ ସନ୍ଦେହରେ ରଖିବା ଅନୁଚିତ । ଯଦି ଆପଣଙ୍କର କୌଣସି ସ୍ୱାର୍ଥ ଥାଏ–

 

ମୋର ମନେହୁଏ ଆମ ବ୍ୟବସାୟରେ ଆମେ ଦୁହେଁ ଧୁରନ୍ଧର । ଆମ ବ୍ୟବସାୟ ଏକେଇ ଧରଣର ହେଇ ପାରିଥାଏ…ତାହା ହେଉ, କିନ୍ତୁ ଆପଣ ଜାଣିବା ଉଚିତ ମୋ ବ୍ୟବସାୟ ହେଉଚି sale of words, ଯାହାର କି ଗୋଟାଏ ନିର୍ଦ୍ଦିଷ୍ଟ ଅର୍ଥନୈତିକ ମୂଲ୍ୟ ଅଛି .....

 

ବାସ୍ତବିକ ଆପଣ ବିଚକ୍ଷଣ ! ଆପଣଙ୍କ ବୁଦ୍ଧିର ବିନିଯୋଗ ହେଇ ପାରିଲେ କୁକୁଡ଼ାଠୁ ସୁନାର ଅଣ୍ଡା ଆମଦାନି ସମ୍ଭବ ହେଇପାରନ୍ତା । ବେଶ୍, ଆପଣଙ୍କ ସର୍ତ୍ତରେ ରାଜି ହେବା ପୂର୍ବରୁ ଆପଣଙ୍କ ମୂଲ୍ୟ ଜାଣିବା ଉଚିତ–

 

ଆଗେ ଦେଖନ୍ତୁ ମୋର ଅନୁମାନ ଠିକ୍ କି ନୁହେଁ । ଯଦିଓ ରଜନୀ ବାବୁ ଆପଣଙ୍କ ପୂରାପୂରି ଲକ୍ଷ୍ୟ ନୁହେଁ, ଅସଲ ଲକ୍ଷ୍ୟ ହେଲା ଲେଡ଼ି ଟାଇପିଷ୍ଟ୍ ମଣିବାଲା, ଯିଏ କି କେତେଦିନ ହେବ ଛୁଟିରେ ଅଛି ।

 

ବର୍ତ୍ତମାନ ଆପଣ ନିର୍ଭୁଲ–

ଏଥରକ କୁହନ୍ତୁ ଆପଣ କ’ଣ ଚାହାଁନ୍ତି ? ବିପିନ ତୀର୍ଯ୍ୟକ ଚାହାଣୀରେ ଭଦ୍ରଲୋକଟିକୁ ଅନେଇ ରହିଲା ।

ମୋର ମନେହୁଏ ମଣିବାଲା ଉପରେ ଆପଣ ଗୋଟାଏ ସତର୍କ ଦୃଷ୍ଟି ରଖିଛନ୍ତି ।

Really, you are an expert seller of other man’s secret–

 

ଯାହା ଭାବି ପାରନ୍ତି ! ପୋଲିସ ଏବଂ ଗୋଇନ୍ଦାଙ୍କ ସିକ୍ରେଟ୍ ଜାଣିବାକୁ ମତେ ମିନିଟିଏ ବି ଲାଗିବନି । ମୋର ତଥ୍ୟ ଆପଣଙ୍କୁ ଖୁବ୍ ସାହାଯ୍ୟ କରିବ । ଆପଣ ଜାଣନ୍ତି ବୋଧେ ଗୋଟାଏ ହୀରାର ହାର ନିକଟରେ ରଜନୀ ବାବୁଙ୍କର ଚୋରି ଯାଇଛି–

 

ଏଁ, ହୀରାର ହାର ?

 

ହଁ, ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ରଜନୀବାବୁ ଜଣେ ପୁରୁଣା କୌଶଳୀ । ଆଜି ସକାଳୁ ଆପଣ ଆସିଲା ପରେ ଘଟଣାର ଖୁବ୍ ଡେଭଲପ୍ ହେଇଚି । ରଜନୀବାବୁ କଲିକତାରୁ ଫେରି ଗୋପାଳପୁର ଗ୍ୟାଙ୍ଗ୍ ଜାଲରେ ପଡ଼ିଲେ । ଏଇ ଦଳଟିଦ୍ୱାରା ପ୍ରାଇଭେଟ୍ ଡିଟେକ୍ଟିଭ ମଧ୍ୟ ହରଣଚାଳ ହେଇଥିଲେ । ଖୁବ୍ ଧୂର୍ତ୍ତ ସେମାନେ । ଗତ ରାତିରେ ପୋଲିସ ତାଙ୍କ ଆଡ୍ଡା ସ୍ଥାନ ଘେରାଉ କରି ଅଚେତ ଅବସ୍ଥାରେ ରଜନୀବାବୁଙ୍କୁ ପାଇଲେ ।

 

ତାପରେ ?

 

ରଜନୀବାବୁ ଅସୁସ୍ଥ । ପୋଲିସ ସେ ଦଳର ଗୋଟିଏ ଲୋକକୁ ଆରେଷ୍ଟ କରି ଦସ୍ୟୁ ଦଳ ବିଷୟରେ ଜାଣିବାକୁ ଚେଷ୍ଟା କରୁଚି ।

 

ଆଚ୍ଛା, ଆପଣ ତେବେ ଅନେକଗୁଡ଼ିଏ ଖବର ରଖିଛନ୍ତି । କିନ୍ତୁ ଏ ସବୁର ଫାଇଦା ଆପଣ ନ ଉଠେଇ କାହିଁକି ଯେ ଅଲଗା ରହିଛନ୍ତି ବୁଝି ହେଉନି । ଆପଣଙ୍କ ଉପକାର ପାଇଁ ଅଶେଷ ଧନ୍ୟବାଦ । ହଁ ଆପଣଙ୍କ ମୂଲ୍ୟଟା ଯେ କହିଲେ ନାହିଁ ?

 

ବିପିନ କିଛି ନ କହି ଟେବୁଲ ଉପରେ ପଡ଼ିଥିବା ପେନ୍‍ସିଲଟି ଉଠେଇ ଖଣ୍ଡେ କାଗଜ ଉପରେ ଚାରି ଅଙ୍କ ବିଶିଷ୍ଟ ଏକ ଅଙ୍କ ଲେଖିଦେଲା ।

 

ମୁଁ ରାଜି । ରାତି ଆଠଟାରେ ଏ ପାର୍କ ପାଖରେ ଅପେକ୍ଷା କରିଥିବି ।

 

ଧନ୍ୟବାଦ କହି ବିପିନ ଉଠିଲା । ଦୁଆର ମୁହଁରୁ ଫେରି ଆସି ପୁଣି କହିଲା, ସବୁ ପେମେଣ୍ଟ ଯେପରି ଇନ୍ କ୍ୟାସ୍ ହୁଏ ମହାଶୟ ! ଏଇଟା ଖୁବ ଜରୁରୀ ।

 

ଆଚ୍ଛା, ଆଚ୍ଛା !

ବିପିନ ବାହାରି ଆସିବା ପରେ ଲୋକଟିର ନିର୍ଲିପ୍ତ ମୁହଁରେ ବିଦ୍ରୁପର ଏକ ତୀକ୍ଷ୍‍ଣ ହସ ଫୁଟି ମଉଳିଗଲା ।

 

ସେଇ ସନ୍ଧ୍ୟା ଆଠଟା । ନିର୍ଦ୍ଦିଷ୍ଟ ସ୍ଥାନରେ ବିପିନ ପହଞ୍ଚି ସେ ଲୋକଟିକୁ ଦେଖାକଲା । ପକେଟରୁ ଗୋଟିଏ କାଗଜ ବାହାର କରି କହିଲା, ଆପଣ ପ୍ରସ୍ତୁତ ବୋଧେ ?

 

ସେ ବିଷୟରେ ମତେ ଆଉ ଶିଖେଇବାକୁ ହବନି ମହାଶୟ ! ନିଅନ୍ତୁ, ଗଣି ନିଅନ୍ତୁ । କହି ବିଡ଼ାଏ ଶହେ ଟଙ୍କିଆ ନୋଟ ବିପିନ ହାତକୁ ବଢ଼େଇ ଦେଲା ।

 

ବିପିନ ଟିକେ ଇତସ୍ତତଃ ହେଇ ଗଣିସାରି ହାତରେ ଧରିଥିବା କାଗଜଟି ବଢ଼େଇ ଦେଇ କହିଲା, ନିଅନ୍ତୁ ମଣିବାଲାର କଲିକତା ଠିକଣା । ଏଠି ତା ମା ମଧ୍ୟ ଅଛି ।

 

ମା ?

 

ହଁ, ସେ ଗୋଟିଏ ଇତିହାସ । ସେସବୁ ଆପଣଙ୍କ କାମରେ ଆସିବନି । କିନ୍ତୁ କ୍ଷମା କରିବେ, ପଚାରି ପାରେ କି ମଣିବାଲା ସହିତ ଆପଣଙ୍କର କି ଧରଣର ସ୍ୱାର୍ଥ ?

 

ଆପଣ ଆସ୍ତେ ଆସ୍ତେ ସେ ସବୁ ଜାଣିଯିବେ । କିନ୍ତୁ ଏ ଠିକଣାରେ ଯଦି ନ ପାଏ–

ନିଶ୍ଚୟ ପାଇବେ, ନଚେତ୍‍ ଫେରି ଆସିଲେ ରଜନୀ ବାବୁଙ୍କ ଅଫିସରେ ପାଇବେ । ଆଚ୍ଛା ନମସ୍କାର !

 

ଦୁହେଁ, ବିଦାୟ ହେଇଯିବା ପରେ ଭଦ୍ରଲୋକଟି ହଠାତ୍ ଅଦୃଶ୍ୟ ହେଇଗଲା । ବିପିନ ଅନ୍ଧାର ଅତିକ୍ରମ କରି ମେନ୍‍ରୋଡ଼ ଆଲୁଅକୁ ବାହାରିଯିବା ପୂର୍ବରୁ ପଛପଟୁ ଶକ୍ତ ଏକ ବଜ୍ରମୁଷ୍ଠି ଆସି ତା ମୁଣ୍ଡରେ ଆଘାତ କଲା । ସେଥିରେ ସେ କଚାଡ଼ି ହେଇ ତଳେ ପଡ଼ିଗଲା । ପରମୁହୂର୍ତ୍ତରେ ପକେଟରେ ହାତମାରି ଦେଖିଲା ନୋଟ ବିଡ଼ାଟି ଅଦୃଶ୍ୟ ହେଇ ଯାଇଚି ।

 

ଧିରେ ଧିରେ ଉଠି ପାଦେ ଆଗେଇଚି ଅଦୂରରେ ସେହି ହୋଟେଲ ଭିତରକୁ ପୋଲିସ ଇନ୍‍ସପେକ୍ଟର ଶ୍ରୀକାନ୍ତବାବୁଙ୍କୁ ପଶିବା ଦେଖି ପାର୍କ ପଛପଟ ରାସ୍ତାରେ ଛପି ଛପି ପଳେଇଲା ବିପିନ ପଟ୍ଟନାୟକ ।

 

କଲିକତାର ଏକ ଅଖ୍ୟାତ ଗଳି । ମେନ୍‍ରୋଡରୁ ସେଇ ଗଳିରେ କିଛିଦୂର ଗଲାପରେ ଗୋଟାଏ ସୁଟ୍ ପିନ୍ଧା ବଳିଷ୍ଠ ଲୋକ ଏକ ସାଧାରଣ ପକାଘର ଆଗରେ ଆସି ଛିଡ଼ା ହେଲା । ରାତିରେ କଲିକତାର ରାସ୍ତାଗୁଡ଼ିକର କୋଳାହଳ କମି ଆସିବା ସଙ୍ଗେ ସଙ୍ଗେ ଗଳି ରାସ୍ତାଗୁଡ଼ିକ ନିସ୍ତବ୍ଧ ହୋଇଯାଇଚି । କିଛିକ୍ଷଣ ପରେ ଲୋକଟି ଘର ପଛପଟ ଅନ୍ଧାର ଭିତରେ ଅଦୃଶ୍ୟ ହେଇଗଲା । କିନ୍ତୁ ପ୍ରାୟ ପନ୍ଦର କୋଡ଼ିଏ ମିନିଟ୍ ପରେ ସେଇ ଘର ଭିତରୁ ଯେପରି ନାରୀ କଣ୍ଠର ଏକ କରୁଣ ଚିତ୍କାର ଶୁଣାଗଲା, ସେଥିରେ ଯେକୌଣସି ଲୋକ ଭୟଭୀତ ହେବା କଥା । ଚିତ୍କାର ପରେ ପରେ କର୍କଶ ଗଳାର ଏକ କ୍ଷୀଣ ଅଟ୍ଟହାସ୍ୟ ଘରର ସ୍ତବ୍ଧ ପରିବେଶକୁ ଆନ୍ଦୋଳିତ କରି ଗୁମୁରି ଉଠିଲା । ରୁମ୍ ଭିତରେ ବତୀ ଜଳିବା ପରେ ଦେଖାଗଲା ରୂପସୀ ଯୁବତୀଟିଏ ଶଯ୍ୟା ଧାରରେ ଉଠି ବସି ସମ୍ମୁଖସ୍ଥ ଦୂର୍ଦ୍ଧର୍ଷ ଲୋକଟିକୁ ଭୀତ-ସନ୍ତ୍ରସ୍ତ ଦୃଷ୍ଟିରେ ଅନେଇ ରହିଚି । ତାର ନିଦ୍ରାଚ୍ଛନ୍ନ ମୁହଁରେ ଆତଙ୍କର ଚିହ୍ନ ଫୁଟି ଉଠିଚି ।

 

ମି୍ସ ! ମତେ ଚିହ୍ନିବାରେ ବୋଧେ ଭୁଲ୍ କରୁନାହଁ ?

ଏଁ ତମେ ? ଖୁବ୍ ପଥଶ୍ରମ କରିଚ ଦେଖୁଚି–ଏ ଠିକଣା କିପରି ପାଇଲ ସର୍ଦ୍ଦାର ?

 

ବାସ୍ତବିକ୍ ତୁ ଗୋଟାଏ ଚାଞ୍ଚଲ୍ୟ ସୃଷ୍ଟି କରିଚୁ, କିନ୍ତୁ ତୁ ମତେ ଧରେଇ ଯେଉଁ ସଂସାରର ଆୟୋଜନ କରି ସାରିଚୁ ତା ତୁ କରିପାରୁ, କିନ୍ତୁ ମୋର ପାଉଣାଟା ଯେପରି ମିଳିଯାଏ–

 

ପାଉଣା–

 

ଓହୋ ! ବୁଝେଇ କହିବାକୁ ହେବ ତା ହେଲେ ! ରଜନୀଠୁ ଯାହା ଲୁଟ୍ କଲୁ, ତାର ଗନ୍ଧ ବି ମୁଁ ପାଇଲି ନାହିଁ । ସୁରଜିତକୁ ହାତ କରି ଖୁବ୍ ଫାଇଦା ଉଠେଇଲୁ । ସେତକ ସ୍ୱାଧୀନତା ତତେ ଦେଇଥିବା ଫଳରେ ମୁଁ ଆଜି ବେଶ୍‍ ଶିକ୍ଷାଟିଏ ପାଇଲି । ତେବେ ତୁ ଯେତିକି ପଳେଇଚୁ ପଳେଇଚୁ, ଆଉ ତତେ ପଳେଇବାକୁ ହବନାହିଁ କି ମୁଁ ବି ଗୋଡ଼େଇବାକୁ ଚାହେଁନା । ଏତେବର୍ଷର ଶିକ୍ଷାଦୀକ୍ଷା ଏପରି ପଣ୍ଡ ହେଇଯିବ ଜାଣିଥିଲେ ଚଢ଼େଇ ଉଡ଼ିବା ପୂର୍ବରୁ ପର ନିଶ୍ଚୟ କତୁରି ଦେଇଥାନ୍ତି । ତେବେ ବି କ’ଣ ବୁଝେଇ କହିବାକୁ ହେବ ମୋ ପାଉଣାଟା କ’ଣ ?

 

ଦେଖ ସର୍ଦ୍ଦାର ! ତମ ସହିତ ମୋର ଯେଉଁ ସମ୍ବନ୍ଧ, ତାହା ଏ ସଭ୍ୟ ଜଗତର ନୁହେଁ । ତମ ଦୟାରୁ ମୁଁ ଯେତେବେଳେ ମୋ ପୂର୍ବ ସ୍ଥାନକୁ ଫେରିଆସିବାକୁ ଚାହେଁ, ତମ ସହିତ ଗୋଟାଏ ଶେଷ ନିଷ୍ପତ୍ତି ମୁଁ କରିପାରେ, କିନ୍ତୁ ତା ଏଠି ନୁହେଁ । ଦୟାକରି ପାଟି କରନା । ଏଥିପାଇଁ ମତେ ଯେଉଁଠିକି ଡାକିବ ମୁଁ ଯାଇପାରେ–

 

ଗୁରୁକୁ ଆଉ ଶିଖେଇବାକୁ ହବନି ଚିତ୍ରା ! ତୋ ବାପ ଉଇଲ ବଳରେ ତୁ ଯେ ରଜନୀ ମହାନ୍ତି ଆତ୍ମସାତ୍ କରିଥିବା ସମସ୍ତ ସମ୍ପତ୍ତି ଫେରି ପାଉଚୁ ତା ଜାଣିବାକୁ ମୋର ଆଉ ବାକି ନାହିଁ । ତୋ ଲିଗାଲ ଆଡ଼ଭାଇଜର ମୁହଁରୁ ସବୁ ଶୁଣିଚି ମୁଁ–କିନ୍ତୁ ତୁ ଆଶ୍ଚର୍ଯ୍ୟ ହେଉଥିବୁ ଏଠାକୁ ମୁଁ କିପରି ଆସିଲି, ନୁହେଁ ?

 

ମୁଁ ସମୟ ନଷ୍ଟ କରିବାକୁ ଚାହେଁନା । ତମେ କ’ଣ ଚାହଁ ?

ରଜନୀ ମହାନ୍ତିର ଗୁପ୍ତ ଆଲମାରୀ ଭିତରେ ଥିବା ହୀରା ହାରଟି ହେଲେ ମୁଁ ଚୁପ୍ ରହିପାରେ–

 

ହୁଁ, ଚତୁର ବୁଦ୍ଧିମାନ ଲୋକମାନେ ବି ବେଳେବେଳେ ପାଗଳଙ୍କ ପରି କଥା କହନ୍ତି । ତରୁଣୀର ଓଠର ବିଦ୍ରୁପର ହସ ।

 

ବନ୍ଦକର ତୋ ଚାଲବାଜି... ମୁଁ ପାଗଳ ? କାହିଁ ସେ ହାର ?

 

ତମେ ନିଶ୍ଚୟ ଖବର ପାଇଥିବ ଆଉ କାଗଜରେ ପଢ଼ିଥିବ ଯେ ସେଇଟି ତାଙ୍କ ପାଖରୁ ଚୋରି ହେଇ ଯାଇଚି । ପୁଣି ସେଇଟିକୁ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ଚୋରି କରିଚି–

 

ସେ ବନ୍ଧୁକୁ ବି ମୁଁ ଚିହ୍ନେ ଆଉ ତାଠୁ ଯିଏ ନେଇଚି ସେ ସ୍ୱୟଂ ମୋ ଆଗରେ ଉଭା ହୋଇଚି.. ହା-ହା..ହା-ମିସ୍ । ହୁସିଆର । ତକିଆ ତଳେ ହାତ ଦେବାକୁ ଚେଷ୍ଟା କଲେ…ପିସ୍ତଲଟିକୁ ହାତରେ ଖେଳଉ ଖେଳଉ ସର୍ଦ୍ଦାର ଗର୍ଜି ଉଠିଲା ।

 

ଦେଖ ସର୍ଦ୍ଦାର, ସେ ହାର ମୋ ପାଖରେ ନାହିଁ । ଆଉ ସତ କହିବାକୁ ଗଲେ ମୋ ପାଖରେ କ୍ୟାସ କିଛି ନାହିଁ । ମୁଁ ଯେବେ ଯାହା ଆଣିଚି, ସେ ସବୁ ରିଫ୍ୟୁଜି, ଡିସପେନ୍‍ସରି ଆଉ କୁଷ୍ଠାଶ୍ରମମାନଙ୍କୁ ଦାନ କରି ଦେଇଚି । ଏ କଥା ତମେ ଭଲ ଭାବରେ ଜାଣ । କିନ୍ତୁ ତମର ଉପକାର ମୁଁ ଜୀବନରେ ଭୁଲି ପାରିବିନି । ହିନ୍ଦୁ-ମୁସଲମାନ ଗୋଳମାଳବେଳେ ମୋ ବାପକୁ କୌଶଳରେ ହତ୍ୟା କରି, ପୁଣି ତମମାନଙ୍କ ହାତରେ ରଜନୀ ମହାନ୍ତି ମତେ ଯେପରି ସମର୍ପଣ କରିଦେଲା, ସେ ଦୃଶ୍ୟ ଏବେ ବି ମୋ ଆଖି ଆଗରେ ସ୍ପଷ୍ଟ ଦେଖାଯାଉଚି । ଏ କେଇଟି ବର୍ଷ ତମେ ମତେ କନ୍ୟା ପରି ପାଳି ଆସିଚ । ଏଥିପାଇଁ ମୁଁ ତମ ପାଖରେ ଋଣୀ ।

 

ଦେଖ ଚିତ୍ରା ! ସଂସାରର ସ୍ୱାଦୁ ଆମେ କେବେ ଚାଖିନୁ । ସେ ସବୁ ଆମ ପାଖରେ ଦିବାସ୍ୱପ୍ନ ପରି…ତା ପରେ ସେ ହଠାତ୍ ଉତ୍ତ୍ୟକ୍ତ ହେଇ କହିଲା, ଏ ଆଲମୀରାର ଚାବି କାହିଁ ?

 

ଚାବି ?

ମୋ ଉଦ୍ଦେଶ୍ୟ ବୋଧେ ବୁଝିପାରୁଚୁ ।

 

ତରୁଣୀଟି ନୀରବରେ ଚାବି ନେଇ ଆଲମୀରା ଖୋଲୁ ଖୋଲୁ ଆଲମୀରା ପାଖ ସୁଇଚଟିକୁ କୌଶଳରେ ଅଫ୍ କରିଦେଲା । ଅନ୍ଧାରରେ କେହି କାହାକୁ ଦେଖିପାରିଲେ ନାହିଁ । ସର୍ଦ୍ଦାର ସେଇ ଅନ୍ଧାରରେ ତରୁଣୀଟିକୁ ଧରିବାକୁ ଚେଷ୍ଟା କରୁ କରୁ ସେ ଅନୁଭବ କଲା ତୀକ୍ଷ୍ଣ ଛୁରୀକାଟିଏ ତା ପିଠିକୁ ସ୍ପର୍ଶ କରିଚି । ତାପରେ କୋମଳ କଣ୍ଠର ସ୍ୱର ଶୁଣାଗଲା, ଏଥରକ ସର୍ଦ୍ଦାର ବୋଧେ ସିଧା ରାସ୍ତା ଦେଖିବେ । March on devil….ଦୁଆର ଖୋଲାଅଛି ସର୍ଦ୍ଦାର, ଟିକିଏ ହଲଚଲ ହେଲେ ତମରି ଶାଳ ତିଆରି ଛୁରୀକା ତମ ବୁକୁର ରକ୍ତ ପିଇବ….

 

କିନ୍ତୁ ମୁହୂର୍ତ୍ତକ ଭିତରେ ସବୁ ବିପର୍ଯ୍ୟୟ ହେଇଗଲା । ସର୍ଦ୍ଦାର ଦୁଆର ମୁହଁ ଆଡ଼କୁ ଆଗଉ ଆଗଉ ହଠାତ୍ ନଇଁପଡ଼ି ପଛଆଡ଼ୁ ନାତ ମାରିବା ମାତ୍ରେ ଯୁବତୀଟି କଚାଡ଼ି ହେଇପଡ଼ିଲା । କିଛିକ୍ଷଣ ପରେ ଯେତେବେଳେ ବତୀ ଜଳି ଉଠିଲା, ଦେଖାଗଲା ଦୁର୍ବୃତ୍ତ ଲୋକଟି ଚିତ୍ରାକୁ ତକ୍ତପୋଷ ସହିତ ଚାଦରରେ ଖୁବ୍ ଜୋରରେ ବାନ୍ଧି ଦେଇଚି । ତାପରେ ସେ କ୍ଷଣ ବିଳମ୍ବ ନ କରି ଆଲମୀରା ଭିତର ତନ୍ନ ତନ୍ନ ଖୋଜି ହତାଶ ହେଲା । ଆଉସବୁ ଟ୍ରଙ୍କ ତରବରରେ ଖୋଲି ଅନୁସନ୍ଧାନ କରି କିଛି ପାଇଲାନି । ସେ ହଠାତ୍ ବୁଲି ପଡ଼ି ଚିତ୍ରାକୁ ଅନେଇବା ମାତ୍ରେ ଦେଖିଲା ଚିତ୍ରା ତଳକୁ ମୁହଁ ପୋତି ମୁକ୍ତି ପାଇବାକୁ ଚେଷ୍ଟା କରୁଚି । ସର୍ଦ୍ଦାର ମୁହଁରେ ହସର ଆଭାସ ଦେଖାଗଲା । ସେ ଚମକି ଆସି ଚିତ୍ରା ମୁହଁକୁ ଟେକି ଦେଇ ତା ଗଳାରୁ ହୀରା ନେକ୍‍ଲେସ୍‍ଟି ଖୋଲି ନେଲା ।

 

ଚିତ୍ରା ଚିତ୍କାର କରିବା ପୂର୍ବରୁ ତା ମୁହଁରେ ରୁମାଲଟାଏ ମାଡ଼ି ଦେଇ କହିଲା, ଏଥରକ ମୁଁ ବିଦାୟ ନେଇପାରେ ମିସ୍ ! ମୋର ପ୍ରାପ୍ୟ ମୁଁ ପୂରା ମାତ୍ରାରେ ପାଇଗଲି । ଆଉ ଆସି ତତେ କଷ୍ଟ ଦେବିନି । କହି ହାରଟିକୁ ଲୁବ୍ଧଦୃଷ୍ଟିରେ ଚାହିଁ ଦୁଆର ମୁହଁକୁ ଆଗଉ ଆଗଉ ହଠାତ୍ ନିର୍ବୋଧ ପରି ଛିଡ଼ା ହେଇଗଲା ସେ । ସେ ପାଦେ ଆଗକୁ ଆସି ପାରିଲା ନାହିଁ କି, ପଛକୁ ବି ଘୁଞ୍ଚି ପାରିଲା ନାହିଁ । ହାତ ତାର ଯେଉଁଠି ଯେପରି ଥିଲା ସେଇପରି ରହିଗଲା । ପକେଟକୁ ହାତ ନେବାକୁ ବି ସେ ସମୟ ପାଇଲାନି ।

 

Good night gentleman ! ମୁଁ ଜାଣେ ତମେ ଠିକ୍ ଜାଗାରେ ପହଞ୍ଚିଥିବ । ଦେଖ ବନ୍ଧୁ, ପକେଟରେ ହାତ ଫାତ ଦେବାକୁ ଚେଷ୍ଟା କରନା । ତମ ବୁଲେଟଠାରୁ ଆଉରି ସ୍ପିଡ଼ରେ ମୁଁ ଛୁରୀ ଫିଙ୍ଗିପାରେ... କହି ବିପିନ ତୀକ୍ଷ୍ଣ ଛୁରୀଟିକୁ ସର୍ଦ୍ଦାର ଉପରକୁ ଫିଙ୍ଗିବା ଭଙ୍ଗୀରେ ଛିଡ଼ା ହେଇ ରହିଲା । ସର୍ଦ୍ଦାର ବାଁ ହାତରେ ହାରଟି ସେଇପରି ଝୁଲୁଚି, ଡାହାଣ ହାତଟି ଅଳ୍ପ ଉପରକୁ ଟେକି ଜ୍ୱଳନ୍ତ ଦୃଷ୍ଟିରେ ବିପିନକୁ ଅନେଇ କହିଲା, Oh you old devil ! ମୋ ରାସ୍ତା ଛାଡ଼ି ଦେ ବିପିନ ।

 

ଦେଖୁଚି ମୋ ପଥଶ୍ରମ ବ୍ୟର୍ଥ ହୋଇନି । କିନ୍ତୁ ତମ ନାଁରେ ଯେ ପୋଲିସ ୱାରଣ୍ଟ ହୋଇବି ବନ୍ଧୁ । ବିପିନ କେବେ ମିଥ୍ୟା ଖବର ଦିଏନା । ମୋର ବ୍ୟବସାୟ ଖୁବ୍ ସଫା, ସେଥିପାଇଁ ମୋ କଥାଗୁଡ଼ିକ ମଧ୍ୟ ଖୁବ୍ ମୂଲ୍ୟବାନ and that is equal to a diamond necklace, hurry up..କହି ହାର ଉଦ୍ଦେଶ୍ୟରେ ବାଁ ହାତଟି ବଢ଼େଇଲା ।

 

ଆଚ୍ଛା ? କହି ସର୍ଦ୍ଦାର ହାରଟିକୁ ହାତରୁ ତଳେ ଖସେଇ ପକେଇଲା । ଖସେଇ ପକେଇଲା ବିପିନକୁ ସମର୍ପଣ କରିଦେବା ଉଦ୍ଦେଶ୍ୟରେ ନୁହେଁ । ଏତିକିବେଳେ ବାହାରେ ବହେ ପାଦଶବ୍ଦ ଶୁଣି ସେ ଯେପରି ପକେଟରେ ହାତ ଦେଇଚି ବିପିନ ବତୀଟିକୁ ଲକ୍ଷ୍ୟ କରି ତା ଛୁରୀଟିକୁ ଖୁବ୍ ଜୋରରେ ଫିଙ୍ଗିଲା ଏବଂ ସର୍ଦ୍ଦାର ଆସି ଥିବା ଘର ପଛପଟ ରାସ୍ତାରେ ଅନ୍ତର୍ଦ୍ଧାନ ହେଇଗଲା-। ଏଣେ ସର୍ଦ୍ଦାର ପକେଟରେ ହାତ ଦେଇ ପିସ୍ତଲଟିକୁ ଛୁଉଁ ଛୁଁଉ ଅନ୍ଧାର ହେଇଯିବା ମାତ୍ରେ ତା ଉପରେ ଆସି ଏକ ଟର୍ଚ୍ଚ ଲାଇଟର ଫୋକସ ପଡ଼ିଲା । ତାପରେ ଶୁଣିବାକୁ ପାଇଲା, put up your hands ! ପୋଲିସ୍ ଇନ୍‍ସପେକ୍ଟରଙ୍କ ପଛେ ପଛେ ଦୁଇଜଣ ସଶସ୍ତ୍ର ସିପାହୀ ପଶି ଆସି ସର୍ଦ୍ଦାର ଆଗରେ ବନ୍ଧୁକ ଟେକି ଧରିଲେ । ଆଉ ଜଣେ ସାଧା ପୋଷାକ ପିନ୍ଧିଥିବା ସହକାରୀ ପୋଲିସ ଅଫିସର ବିପିନ ଉଦ୍ଦେଶ୍ୟରେ ଦେଖୁ ଦେଖୁ ଫେରି ଆସି କହିଲେ, Wonder, that fellow has completely disappeared…. ତାପରେ ସେ ଯୁବତୀଟିକୁ ବନ୍ଧନମୁକ୍ତ କଲେ ।

 

ସେତେବେଳେ ଇନ୍‍ସପେକ୍ଟର ସର୍ଦ୍ଦାର ପକେଟରୁ ଗୋଟିଏ ରିଭଲଭର କାଢ଼ି ତାଙ୍କ ସହକାରୀକୁ ଦେଖାଉ ଦେଖାଉ କହିଲେ, A silencer fitted automatic !

 

ତା ପରେ ସର୍ଦ୍ଦାର ହାତରେ ହାତକଢ଼ି ପିନ୍ଧଉ ପିନ୍ଧଉ କହିଲେ, କଲିକତା ହଣାକଟାରେ ଲିପ୍ତ ଥିବା ଅଭିଯୋଗରେ ତମକୁ ଆରେଷ୍ଟ କରାଗଲା ।

 

ନେଭର ମାଇଣ୍ଡ୍ ଇନ୍‍ସପେକ୍ଟର ! ସର୍ଦ୍ଦାର ମୁହଁରେ ତାତ୍ସଲ୍ୟର ହସ ।

 

ପୋଲିସମାନେ ସର୍ଦ୍ଦାରକୁ ନେଇ ଯିବା ପରେ ପୋଲିସ୍ ଇନ୍‍ସପେକ୍ଟର ତରୁଣୀଟି ଆଡ଼କୁ ଆସି ପଚାରିଲେ, ତମ ନାଁ ।

 

ମିସ୍ ଚିତ୍ରାଙ୍ଗଦା ରାୟ ।

ବାପା ନାଁ ?

ସ୍ୱର୍ଗୀୟ ନରେନ୍ଦ୍ର କୁମାର ରାୟ ।

ସେ କ’ଣ କରୁଥିଲେ ?

ଇଷ୍ଟର୍ଣ୍ଣ ଜୁଟ୍ ମିଲ୍‌ସର ମାଲିକ ।

 

ଓହୋ ! ମି. ସିନ୍‍ହା ! This is a misterious game...ହଁ ମିସ୍ ଚିତ୍ରା ! ତମେ ଏଠି କେଇଦିନ ହବ ଅଛ ?

 

ପ୍ରାୟ ସପ୍ତାଏ ହେବ ।

ମଣିବାଲା ଘୋଷ ନାମ୍ନୀ କେହି ଆତ୍ମୀୟ ତମର ଅଛନ୍ତି କି ?

ନା–

ଏଠି ତମକୁ କେହି ଆଇଡ଼େଣ୍ଟିଫାଇ କରିପାରିବେ ?

ହଁ, ମୋର ଆଇନ ପରାମର୍ଶଦାତା ଶ୍ରୀ ନୃପେନ୍ଦ୍ର ଚଟ୍ଟୋପାଧ୍ୟାୟ ।

 

ସବୁ ନୋଟ କରି ବୃଦ୍ଧ ଇନ୍‍ସପେକ୍ଟର ଥରେ ତାଙ୍କ ସହକାରୀକୁ ଦେଖି ନେଇ କହିଲେ, ମିସ୍ ଚିତ୍ରା ! ତମ ନାଁରେ କେତେକ ଅଭିଯୋଗ ଥିବାରୁ ତମକୁ ନଜରବନ୍ଦୀରେ ରଖାଗଲା ଆଉ ସେଥିପାଇଁ ମୁଁ ମୋର ବନ୍ଧୁ ମି. ସିନ୍‍ହାଙ୍କୁ ଚାର୍ଜ ଦେଇଯାଉଚି । ପୋଲିସ ଶୃଙ୍ଖଳା ଦୃଷ୍ଟିରୁ ଆଶା କରେ ମୋ ବନ୍ଧୁଙ୍କୁ ସାହାଯ୍ୟ କରିବ ! ଆଚ୍ଛା ! ଗୁଡ଼ନାଇଟ୍ ମି.ସିନ୍‍ହା ! କହି ନିଷ୍କ୍ରାନ୍ତ ହେଇଗଲେ ଇନ୍‍ସପେକ୍ଟର ।

 

ମି.ସିନ୍‍ହା ଘର ଚାରିପାଖ ଆଡ଼େ ସତର୍କ ଦୃଷ୍ଟି ବୁଲେଇ ନେଲେ । ତାପରେ ବିକୃତ ଓଡ଼ିଆରେ କହିଲେ, ମିସ୍ ଚିତ୍ରା ! ତମେ ଭିତରେ ବିଶ୍ରାମ ନେଇପାର, ମୁଁ ଏଇଠି ବସିଚି । ତାପରେ କାନ୍ଥରେ ଝୁଲୁଥିବା ଏକ ବୃଦ୍ଧା ଫଟୋକୁ ଦେଖୁ ଦେଖୁ କହିଲେ, ଏଇଟି ବୋଧେ ତମ ମା ଫଟ ?

 

ଆଜ୍ଞା ! କହି ନିଜ ଶଯ୍ୟାରେ ବସିଲା ଯୁବତୀଟି ।

 

ହୁଁ ! ଶୁଶ୍ରୁଳ ଯୁବକ ଅଫିସରଟି ଅନ୍ୟମନସ୍କ ରହିବାକୁ ଚେଷ୍ଟା କରି କହିଲେ, ଓ ତମେ ଏଇଠି ଶୋଇବ ? ମୁଁ ତେବେ ବାହାରେ ଅଛି । କହି ଯିବାକୁ ଉଦ୍ୟତ ହେବା ମାତ୍ରେ ଚିତ୍ରା କହିଲା ନା ଆଜ୍ଞା, ଆପଣଙ୍କ ଡିଉଟିରେ ମୁଁ ବାଧା ଦେବାକୁ ଚାହେଁ ନା । ବରଂ ଆପଣ ସେଇଠି ବସନ୍ତୁ ।

 

ଧନ୍ୟବାଦ । ଚେୟାରଟିକୁ ବୁଲେଇ ନେଇ ବସିଲେ ମି: ସିନ୍‍ହା । କିଛିକ୍ଷଣ ନୀରବରେ କଟିଲା ପରେ ଚିତ୍ରା ପ୍ରଶ୍ନ କଲା, ଅନୁରୋଧ କରିପାରେ କି ମୋ ବିରୁଦ୍ଧରେ କି କି ଅଭିଯୋଗ ରହିଚି ?

 

ଦେଖନ୍ତୁ ଏ ସବୁ ପୋଲିସ ସିକ୍ରେଟ୍ । ପୋଲିସର ସନ୍ଦେହ ଦୂର ନ ହେବା ପର୍ଯ୍ୟନ୍ତ ତମକୁ ନଜରବନ୍ଦୀରେ ରଖାଯିବ ।

 

କିନ୍ତୁ କାରଣ ନ ଦର୍ଶାଇ କୌଣସି ନିରୀହା ସ୍ତ୍ରୀକୁ ହଇରାଣ କରିବା ମାନେ ?

 

ଏସବୁ ଆଇନ୍ ବ୍ୟାପାର ମିସ୍ ଚିତ୍ରା ! ଟିକେ ରହି କହିଲେ, ତମ ବିରୁଦ୍ଧରେ କେତେକ ଗୁରୁତର ଅଭିଯୋଗ ରହିଛି । ସବୁ ବିଷୟ ମୁଁ ଅବଶ୍ୟ ଜାଣେ ନା । ତେବେ ଓଡ଼ିଶା ପୋଲିସ ରିପୋର୍ଟ କରେ ମିସ୍ ମଣିବାଲା ନାମ୍ନୀ ଏକ ବିଚକ୍ଷଣା ତରୁଣୀ ଗୋଟିଏ ଗ୍ୟାଙ୍ଗ୍ ସହିତ ଲିପ୍ତ ରହି ଓଡ଼ିଶାର ଏକ ଶିଳ୍ପପତି ରଜନୀକାନ୍ତ ମହାନ୍ତିଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିଲେ । ମିସ୍ ମଣିବାଲା ତାଙ୍କ ପାଖରେ ଟାଇପିଷ୍ଟ୍ ଥିଲେ । କିନ୍ତୁ ସପ୍ତାଏ ହେବ ମିସ୍ ମଣିବାଲାଙ୍କର ପତ୍ତା ମିଳୁନି । ପୁଣି ରଜନୀବାବୁ ତାଙ୍କ ପଛରେ ଲାଗିଥିବା ଏକ ଗ୍ୟାଙ୍ଗ୍‍କୁ ଧରିବା ପାଇଁ ଏକ ଘରୋଇ ଗୁଇନ୍ଦା ନିଯୁକ୍ତ କରିଥିଲେ । କିନ୍ତୁ ଆମେ ପୋଲିସବାଲା ଏଇ ଘରୋଇ ଗୁଇନ୍ଦାମାନଙ୍କୁ ବେଶୀ ପ୍ରଶୟ ଦେଉନା, କାରଣ ଦାୟିତ୍ୱକୁ ସେମାନେ ଠିକ୍ ତୁଲେଇ ପାରନ୍ତି ନାହିଁ । ହଁ, ଏ ଗୁଇନ୍ଦା ମଧ୍ୟ ମିସ୍ ମଣିବାଲାଙ୍କ ପଛେ ପଛେ ଅନ୍ତର୍ଦ୍ଧାନ । ଏଣୁ ଓଡ଼ିଶା ପୋଲିସ ସନ୍ଦେହ କରେ ଯେ ଗୁଇନ୍ଦା ସହିତ ମିସ୍ ମଣିବାଲାର କୌଣସି ଭିତିରି ସମ୍ବନ୍ଧ ଅଛି । ଆଉ ଏ ସବୁକୁ ସମର୍ଥନ କରି ଗୁଇନ୍ଦାର ରୁମ୍‍ରୁ ମଣିବାଲାର ଏକ ପ୍ରେମ ପତ୍ର ମିଳିଚି । ଏଣୁ ମଣିବାଲା ନାରେ ପୋଲିସ ୱାରଣ୍ଟ ବାହାରିଚି ଏବଂ ଏଇ ଠିକଣାରେ ସେ ଥିବ ବୋଲି ଆମକୁ ନିର୍ଦ୍ଦେଶ ଆସିଚି । କିନ୍ତୁ ଏଠି ଆସି ଆମେ ଦେଖୁଚୁ ମଣିବାଲା ପରିବର୍ତ୍ତେ ମିସ ଚିତ୍ରା ରହୁଛନ୍ତି । Sorry, I mean yourself ମଣିବାଲା ବଙ୍ଗାଳୀ, ପୁଣି ରିଫ୍ୟୁଜି । ତମେ ଖାଣ୍ଟି ଓଡ଼ିଆ । କିନ୍ତୁ ମଣିବାଲା ରୂପ ସହିତ ତମ ରୂପର ଅବିକଳ ସାମଞ୍ଜସ୍ୟ ହିଁ ଏସବୁର ମୂଳ କାରଣ । ମଣିବାଲା ଓଠ ତଳେ ଥିବା ତିଳ ଚିହ୍ନଟି କେବଳ ତମର ନାହିଁ । ଏଣୁ ତମେ ସସ୍‍ପେକ୍ଟଟେଡ୍….. କହି ଗାମ୍ଭୀର୍ଯ୍ୟ ସହ ବସିଲେ ମି: ସିନ୍‍ହା ।

 

ଗଳ୍ପଟି ବେଶ୍ ଚମତ୍କାର ମି: ସିନ୍‍ହା ! ଶେଷରେ ଆପଣଙ୍କ ବିଚକ୍ଷଣା ନାୟିକା ମଣିବାଲା ଆଉ ସେଇ ନିର୍ବୋଧ ଗୁଇନ୍ଦାଟି ଅନ୍ତର୍ଦ୍ଧାନ ହେଇଗଲେ ?

 

ଏସବୁ ଲଭ ଏଫାୟାର୍ସ । ଏଥିରେ କାହାରି କିଛି ଯାଏ ଆସେନା ।

 

ଲଭ ? ଗୋଟିଏ ଗୁଇନ୍ଦାର ପ୍ରେମ ? ଦୂରଦୃଷ୍ଟି ଥିବା ଯେକୌଣସି ଲୋକ କହିବ ଯେ ସେ ଗୁଇନ୍ଦାଟି ଏ ପର୍ଯ୍ୟନ୍ତ ମଣିବାଲାକୁ ଧରିବାପାଇଁ ହିଁ ବୁଲୁଚି ।

 

ଏତିକିବେଳେ ଦୁହିଁଙ୍କ ଦୃଷ୍ଟି ଥରେ ମିଳି ପୁଣି ଅଲଗା ହେଇଗଲା ।

 

ତା ହୋଇପାରେ ମିସ୍ ଚିତ୍ରା । ତେବେ ତମେ ଯେ ମଣିବାଲା ନୁହଁ ଏ ସନ୍ଦେହ ମୋର ନାହିଁ…ଏକ୍ଷଣି ମୁଁ ନିର୍ବିଘ୍ନରେ ତମକୁ ଛାଡ଼ି ଯାଇପାରେ ଆଚ୍ଛା, ପୁଣି ସକାଳେ ଦେଖା ହେବ । ଗୁଡ୍ ନାଇଟ୍ ।

 

ମି. ସିନ୍‍ହା ନିଜ କଅଁଳ ଦାଢ଼ୀ ଉପରେ ଥରେ ହାତ ବୁଲେଇ ଆଣି ଦୁଆର ମୁହଁକୁ ଯେପରି ଆଗେଇଛି ପଛରୁ ଶୁଭିଲା, ହ୍ୟାଣ୍ଡସ ଅପ୍ ।

 

ସେ ଚମକି ପଡ଼ି ଦେଖିଲା ତରୁଣୀଟି ହାତରେ ଛୋଟ ପିସ୍ତଲଟିଏ ଚକ୍ ଚକ୍ କରୁଛି ।

ଏ କ’ଣ, ଏଇଟା ଯେ ମୋ ପିସ୍ତଲ ?

 

ହାଲୋ ମି. ମାନସିନ୍‍ହା in disguise ? ସେ ରିଭଲଭର କୁହେ ତୁମେ ମି: ଅବିନାଶ ମାନସିଂ । ପ୍ରେମ ଅଭିନୟ ଖୁବ୍ କରିପାରନ୍ତି । ମଣିବାଲା ଖୋଜରେ ଏଠାକୁ ଆସିଥିଲ ନିଶ୍ଚୟ । ମୁଁ ଠିକ୍ ମାର୍କ କରିଚି like a lover a detective never talk so much-! ପୋଲିସ ସାହେବଙ୍କୁ ମୁଁ ଏ ବିଷୟରେ ରିପୋର୍ଟ କରିବି ।

 

ଦେଖ ମିସ୍ । ଜଣେ ପୋଲିସ ଅଫିସର ସହିତ ରହସ୍ୟ କରିବା ସାଙ୍ଘାତିକ ଅପରାଧ ।

 

ଜଣେ ତରୁଣୀକୁ ଏକଲା ପାଇ ପ୍ରେମାଳାପ କରିବା ଅବଶ୍ୟ ପୋଲିସ ଅଫିସରର କାମ ନୁହେଁ । ଏ ଅପରାଧର ସେକ୍‍ସନ୍ ନିଶ୍ଚୟ ପୋଲିସ ଅଫିସରଙ୍କୁ ଜଣାଥିବ ।

 

ପ୍ରମାଣ ?

ତମର ଏ ରିଭଲଭର । କିନ୍ତୁ ଗୋଟିଏ ସର୍ତ୍ତରେ ତମକୁ ମୁଁ ଛାଡ଼ି ଦେଇପାରେ ।

ମୁଁ ମୁକ୍ତି ଚାହେଁନା । ଶାସ୍ତି ଚାହେଁନା । ତରୁଣୀ ହାତେ ମରଣ ସେଇ ଭାଲୋ । ଆଃ କି ତୃପ୍ତି !

ହୁସିଆର, ପାଖକୁ ଆସିଲେ

ସୁଟ୍ କରିବେ ? ବେଶ୍ । କିନ୍ତୁ ମୋର ଗୋଟିଏ ଅଭିଳାଷ ଡାରର୍ଲିଂ !

 

ସଟ୍‌ ଅପ୍ । କହି ଯୁବକ ଛାତିରେ ପିସ୍ତଲ ଲଗେଇ ଧରିଲା । ଯୁବକଟି ନିଜ ଫାଉଣ୍ଟେନ କାଢ଼ି ଯୁବତୀର ଓଠ ତଳେ ସ୍ୟାହିରେ ଗୋଟାଏ ବଡ଼ ବିନ୍ଦୁ ଲେଖିଦେଇ କହିଲା, ଏଥରକ ହସି ହସି ମରିବି ମଣିବାଲା ହାତରେ–

 

ଅଭଦ୍ର । କାହିଁ ମଣିବାଲା ? କହୁ କହୁ ମନର ସବୁ ଦମ୍ଭ ତରଳି ଗଲା ଯୁବତୀଟିର ।

 

ହେଇ, ସଶରୀରେ ମୋ ଆଗରେ ଉଭା ହେଇଚି । ଆହା କି ସୁନ୍ଦର ମୁଖଡ଼ା ? କହି ତରୁଣୀଟିକୁ ଆଇନା ସାମନାକୁ ଟାଣି ଆଣିବା ମାତ୍ରେ, ସେ ଦେଖିଲା ତା ଓଠ ତଳେ ଗୋଟିଏ ତିଳ ଚିହ୍ନ ସୃଷ୍ଟି ହେଇଚି । ଯୁବକଟି ତା ପଛପଟେ ଛିଡ଼ା ହେଇ ନିର୍ବିକାର ଚିତ୍ତରେ ହସୁଚି ।

 

ମଣିବାଲା ! ମୋ ଗୁଇନ୍ଦା ଜୀବନର ଚରମ ସାର୍ଥକତା । ଏଥରକ ମଣିବାଲାକୁ ମୁଁ ଆରେଷ୍ଟ କରି ମୋ ଅଭିଳାଷ ପୂର୍ଣ୍ଣ କରିପାରେ…..କହି ଦି ବାହୁରେ ଯୁବତୀଟିର ଗଳା ବେଷ୍ଟନ କରି ଭିଡ଼ି ଧରିଲା । ଯୁବତୀଟି ନିଃସଙ୍କୋଚରେ ଛିଡ଼ା ହେଇ କହିଲା, ଅବିନାଶ ! ଏ ଅଭିନୟ ନୁହଁତ ?

 

ଏ କାଳ ରାତିଟା କଟେଇବା ପାଇଁ ଏ ଅଭିନୟର ପ୍ରୟୋଜନ ଥିଲା ମଣି ! ବିପଦ ଯେ ଏପର୍ଯ୍ୟନ୍ତ କଟିନି । ଓଡ଼ିଶା ପୋଲିସ ତମକୁ ସନ୍ଦେହ କରିବା ମୁହୂର୍ତ୍ତରେ ହିଁ ରଜନୀ ବାବୁ ଅନ୍ତର୍ଦ୍ଧାନ ହୋଇ ଯାଇଛନ୍ତି । ଏଥରକ ବୁଝିଲ ମତେ ଏଠି ରାତି ସାରା କାହିଁକି ରହିବାକୁ ହେଲା ମଣି !

 

‘ମଣି ମଣି’ କହନା ଅବିନାଶ ! ଏ ସାଙ୍ଘାତିକ ଜୀବନକୁ ମୁଁ ସବୁବେଳେ ଭୟ କରି ଆସିଚି । ଏତିକିବେଳେ ଅବିନାଶ ପକେଟରୁ ହୀରା ହାରଟି କାଢ଼ି ତରୁଣୀ ଗଳାରେ ପିନ୍ଧେଇ ଦେଉ ଦେଉ କହିଲା, ସେଇ ଅନ୍ଧାରରେ ଏଇଟିକୁ ମୁଁ ପକେଟସ୍ଥ କରି ନେଇଥିଲି ।

 

ତାପରେ ତରୁଣୀଟି ଅବିନାଶର ଆଲିଙ୍ଗନ ଭିତରେ ହଜିଗଲା । ସକାଳ ହେଇ ଆସୁଥାଏ ।

 

ସେଦିନ ସନ୍ଧ୍ୟାରେ ପୁଣି ଯାଇଁ ଯେତେବେଳେ ଚିତ୍ରାର ଖୋଜ ନେଲା ଅବିନାଶ, ଦେଖିଲା ଚିତ୍ରା ନାହିଁ ! ବାହାରେ ପହରା ହେଉଥିବା ସିପାହୀଟି ଶୁଣି ମଧ୍ୟ ଆଶ୍ଚର୍ଯ୍ୟ ହେଲା । ବାହାର କବାଟ ଭିତରୁ ବନ୍ଦ ହେଇଚି । କିନ୍ତୁ ଭିତର ରାସ୍ତା ଦେଇ ଚିତ୍ରା କେତେବେଳେ ଚାଲିଯାଇଚି । ସିପାହୀଠାରୁ ପ୍ରକାଶ ଯେ ଖରାବେଳେ ଗୋଟିଏ ଲୋକ ତାକୁ ଦେଖା କରିବାକୁ ଆସିଥିଲା ।

 

ଅବିନାଶ ଏସବୁ ଶୁଣି ମୁହୂର୍ତ୍ତେ କାଳ କିଛି ଭାବି ପାରିଲାନି । ସେ ବାହାରି ଆସୁ ଆସୁ ଖଟ ପାଖରେ ଛିଣ୍ଡା କାଗଜ ଗୁଡ଼ାଏ ପଡ଼ିଥିବା ଦେଖି ସେଗୁଡ଼ିକ ଉଠେଇ ଆଣିଲା ଏବଂ ଯୋଡ଼ିଯାଡ଼ି ପଢ଼ିବାକୁ ଚେଷ୍ଟା କଲା ।

 

ଗ୍ରାଣ୍ଡ ହୋଟେଲ ଭିତରକୁ ଜଣେ ପୃଥୁଳକାୟ ସୁଟ୍ ପିନ୍ଧା ଭଦ୍ରଲୋକ ପଶିଗଲେ । ବ୍ୟାକ୍ ବ୍ରସ ହେଇଥିବା ବାଳର କେତେକ ଧଳାଅଂଶ ତାଙ୍କ ବୟସର ସୂଚନା ଦିଏ । ସେ ଭିତରକୁ ଯାଇ ଏକ କ୍ୟାବିନ ଭିତରକୁ ପଶିଗଲେ ।

 

କ୍ୟାବିନ ଭିତରକୁ ଯାଇ ଦେଖିଲେ ଆଉ ଜଣେ ଭଦ୍ରଲୋକ ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ ପଢ଼ିବାରେ ବ୍ୟସ୍ତ । କିନ୍ତୁ ତାଙ୍କ ଆବିର୍ଭାବରେ ସେ ଟିକିଏ ହେଲେ ବିଚଳିତ ନ ହେଇ କାଗଜ ଉପରେ ମନୋନିବେଶ କରିଥାନ୍ତି । କାଉଚ ଉପରେ ଗୋଡ଼ ଲମ୍ବେଇ ଅର୍ଦ୍ଧଶାୟିତ ଅବସ୍ଥାରେ ମୁହଁ ଉପରେ କାଗଜ ରଖି ପଢ଼ୁଥିବାରୁ ଆଗନ୍ତୁକ ତାଙ୍କ ମୁହଁ ଦେଖିପାରି ନାହାନ୍ତି ।

 

ଭଦ୍ରଲୋକଟି ବସିବା ପରେ ବୟ ଆସି ଗୋଟିଏ ବିଦେଶୀ ପାନୀୟର ଅର୍ଡର ନେଇଗଲା । ପଠନରତ ଭଦ୍ରଲୋକଟି ପୂର୍ବରୁ ଦୁଇଥର ପଚାରି କୌଣସି ଅର୍ଡର ମିଳିନଥିବାରୁ ବୟ ଏଥରକ ତାଙ୍କୁ ନ ପଚାରି ଚୁପ୍‍ଚାପ୍ ଫେରି ଯାଉଥିଲା, ପଛରୁ ଶୁଭିଲା, ବୟ ! ଅଉର୍‌ ଏକ ଗ୍ଲାସ ।

 

ଆଚ୍ଛା ସା’ବ…..କହି ବୟ ନିଷ୍କ୍ରାନ୍ତ ହେଲା । ଭଦ୍ରଲୋକଟି ଟିକିଏ ଉଚ୍ଚ ସ୍ୱରରେ ପଢ଼ିବାକୁ ଲାଗିଲେ, sensation after sensation. A young girl named Miss Chitrangada Ray completely disappeared in the board daylight, who was suspected by police for....

 

ଲିଜିଏ- ବୟ ଆସି ଟେବୁଲ ଉପରେ ଗ୍ଲାସ ରଖି ଦେବା ମାତ୍ରେ ଭଦ୍ରଲୋକଟି ମୁହଁରୁ କାଗଜ ଉଠେଇ ଗ୍ଲାସ ଉଦ୍ଦେଶ୍ୟରେ ହାତ ବଢ଼େଇଛନ୍ତି, ତାଙ୍କ ହାତ ଅଟକି ଗଲା । ଦୃଷ୍ଟି ତାଙ୍କର ଅପରପାର୍ଶ୍ୱସ୍ଥ ଚଉକିରେ ବସିଥିବା ବୃଦ୍ଧଙ୍କ ଚିନ୍ତାଗ୍ରସ୍ତ ମୁହଁ ଉପରେ ନିବଦ୍ଧ । ସିଧା ହୋଇ ବସି ଆପ୍ୟାୟିତ କଣ୍ଠରେ ସେ କହିଲେ, ହ୍ୟାଲୋ ! ଗୁଡ୍ ନାଇଟ୍ ସାର୍ ! ଏକ୍ଷଣି ଠିକ୍ ଆଠଟା ।

 

ଟାଇଟାକୁ ଟିକେ ବାଗେଇ ନେଇ ଗ୍ଲାସରୁ ଥରେ ପାନ କରି ବୃଦ୍ଧଟି କହିଲେ, ଓଃ My boosoom friend, the seller of words !

 

ଏ ବ୍ୟବସାୟ କିନ୍ତୁ ଚମତ୍କାର ସାର୍ । ଦେଖନ୍ତୁ ଏ ସୁଟ୍‍ଟିର ଦାମ କେତେ ଠଉରେଇ ପାରୁଛନ୍ତି ? ଆପଣଙ୍କ ବ୍ୟବସାୟର ବ୍ରୋକେରି ଛାଡ଼ିଲା ପରେ ମୁଁ ବେଶ୍ ମଉଜରେ ଅଛି । କହି ଗ୍ଲାସରୁ ଢୋକେ ପିଇଲା ।

 

ଖଣ୍ଡେ ସିଗାରେଟ୍ ନେଇପାରେ କି ସାର୍ ? ବୃଦ୍ଧଙ୍କ ସମ୍ମତି ପରେ ଟେବୁଲ ଉପରେ ପଡ଼ିଥିବା ସିଗାରେଟ୍ ପ୍ୟାକେଟରୁ ଖଣ୍ଡେ ସିଗାରେଟ୍ ନେଇ କହିଲା, ଧନ୍ୟବାଦ । ଅନେକ ଦିନ ପରେ ଦେଖା କିନ୍ତୁ, କିଏ ଜାଣିଥିଲା ଆମର ପୁଣି ଦିନେ ସାକ୍ଷାତ୍‍ ହେଇଯିବ ?

 

ବିପିନ ! ତୁ ମୋ ପଛରେ ଏପରି ଲାଗିବା ମାନେ ?

 

ମୁଁ ସବୁବେଳେ ମୋ ବ୍ୟବସାୟ ନେଇ ବ୍ୟସ୍ତ ଆଜ୍ଞା and find it profitable ! ଖବର ଯୋଗେଇ କିଛି ଯଦି ମିଳିଯାଏ ମନ୍ଦ କ’ଣ ?

 

ଓଃ.... ସେଇଥିପାଇଁ ତୁ ତେବେ ମୋ ପିଛା ଧରିଛୁ ?

 

ହୋଇପାରେ । ତାପରେ ସିଗାରେଟ୍ ଧୂଆଁ ଭସ୍ ଭାସ୍ ଛାଡ଼ି କହିଲା, କିନ୍ତୁ ଆପଣଙ୍କୁ ମୁଁ ଚାନ୍‍ସ ଦେଇପାରେ ଯଦି ଟରମ୍‍ସରେ ଅଛନ୍ତି ।

 

ଯଥା ?

 

ୟା ପାଇଁ ହଜାରେ ହେଲେ ଚଳିବ, କିନ୍ତୁ ମୋ ପୂର୍ବ ବକେୟଟା ଅନେକ ଦିନୁ ପଡ଼ୁଚି । ସେଇଟା ପାଇଗଲେ...ସପ୍ତପୁରୁଷ ରାଣ ଖାଇ କହୁଚି ସବୁଦିନ ପାଇଁ ମୁଁ ଚୁପ୍ ହେଇଯିବି ।

 

ମୁଁ ଲକ୍ଷପତି ନୁହେଁ ବିପିନ ।

 

ସେ ପଚାଶ ହଜାରର ଯେ ବ୍ୟାଙ୍କ ଆକାଉଣ୍ଟ ଆପଣ ରଖି ନାହାନ୍ତି, ତାହା ମତେ ଅଛପା ନାହିଁ । ସେଥିରୁ ପାଞ୍ଚ ହଜାର ମତେ କେବଳ ଦେଇଛନ୍ତି । ବାକି ପନ୍ଦର ହଜାର–

 

ଏସବୁର ଗ୍ୟାରେଣ୍ଟି କ’ଣ ?

ମୁଁ ମିଥ୍ୟାବାଦୀ ନୁହେଁ, ଏତକ ପ୍ରତିଶ୍ରୁତି ଦେଇପାରେ–

ମୋ ଉଦ୍ଦେଶ୍ୟ ଗ୍ୟାରେଣ୍ଟି ?

ବେଶ୍‍ ଲିଖିତ ଭାବରେ ଦେଇପାରେ–

ହୁଁ, ଟିକିଏ ଭାବି କହିଲେ- ଯଦି ସେ ଟରମ୍‌ସରେ ନ ଆସେ ?

ମୋର କିଛି ଯାଏ ଆସେ ନା– i will sell it to police.

ମୋ ଠାରୁ ତୋର କୌଣସି ପ୍ରାପ୍ୟ ନାହିଁ–

ମୁଁ କହୁଚି ଅଛି ।

ଯଦି ନ ଦିଏ ?

କିନ୍ତୁ ଆପଣଙ୍କ ଅନ୍ୟ ଗତି ଯେ ନାହିଁ ସାର୍ । ଆପଣ ଦେବାକୁ ବାଧ୍ୟ–

 

ପୋଲିସ ପାଖରୁ ତୋ ପ୍ରାପ୍ୟ ଅସୁଲ କରିପାରୁ । ଗୋଟାଏ ପଇସା ବି ମୁଁ ଦେବାକୁ ଯାଉନି ।

 

ଏତେଶୀଘ୍ର ଉତ୍ତ୍ୟକ୍ତ ହେବା ଅନୁଚିତ । ମୁଁ ଜାଣେ ଏବେ ବି ଆପଣଙ୍କ ପାଖରେ ଯେଉଁ ଗୁପ୍ତଧନ ଅଛି ତାହା ଲକ୍ଷ ସହିତ ତୁଳନା ହେଇପାରେ–କୁହନ୍ତୁ ସେଥିରୁ ମତେ କେତେ ଦେଇପାରିବେ ?

 

ବୃଦ୍ଧ ଉଠି ଆସୁଥିଲେ । ବିପିନର ଦାବିରେ ବିରକ୍ତ ହେଇ ରାଗି ଉଠି ତା ମୁହଁରେ ଗୋଟାଏ ଶକ୍ତ ଚାପୁଡ଼ା ବସେଇ ଦେଲେ । ତାପରେ ଅସ୍ପଷ୍ଟ ଗଳାରେ କହିଲେ, ବୋଧହୁଏ payment in full.

 

ବିପିନ ଚଉକି ପାଖରେ ପଡ଼ିଗଲା । ତା ଦାନ୍ତମୂଳରୁ ଝରୁଥିବା ରକ୍ତକୁ ରୁମାଲରେ ପୋଛୁ ପୋଛୁ ବୃଦ୍ଧଟି ପରଦା ଆଡ଼େଇ କ୍ଷିପ୍ର ଗତିରେ ବାହାରି ଗଲେ ।

 

କ୍ୟାବିନ ସଂଲଗ୍ନ ଏକ ଆସନରେ ବସି ଯେଉଁ ଯୁବକଟି ଦୁହିଁଙ୍କ କଥୋପକଥନରୁ ମନଯୋଗ ସହକାରେ ଶୁଣୁଥିଲା, ବୃଦ୍ଧ ଭଦ୍ରଲୋକଟି ବାହାରକୁ ବାହାରି ଆସିବା ମାତ୍ରେ ସେ ତାଙ୍କ ପଛେ ପଛେ ଆସିଲା ଏବଂ ରାସ୍ତା ଯାକ ତାଙ୍କୁ ଅନୁସରଣ କରିବାକୁ ଲାଗିଲା ।

 

ଚିତ୍ରାର ଅନ୍ତର୍ଦ୍ଧାନ କଲିକତା ପୋଲିସ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଚି । ଦୁଇଦିନ କାଳ ଅପେକ୍ଷା କରି ଚିତ୍ରାକୁ ଫେରି ଆସିବା ନ ଦେଖି ଅବିନାଶ ମନରେ ଯେଉଁ ସନ୍ଦେହର ଅଙ୍କୁରୋଦ୍‍ଗମ ହେଇଗଲା ତା ଆସ୍ତେ ଆସ୍ତେ ପୁଷ୍ପିତ ହେବା ଦେଖି ସେ ବିବ୍ରତ ହେଇ ପଡ଼ିଲା । ଚିତ୍ରା ଘରୁ ପାଇଥିବା ଛିଣ୍ଡା ଚିଠିଟିର ସାରାଂଶରୁ ଅବିନାଶ ବହୁ କଷ୍ଟରେ ଜାଣିବାକୁ ପାଇଥିଲା ଯେ ତାର ମା ତାକୁ ଡକେଇ ପଠେଇଥିଲା । ପହରା ଦେଉଥିବା ପୋଲିସର ରିପୋର୍ଟ ଅନୁଯାୟୀ ଯେଉଁ ଲୋକଟି ଦିନରେ ଆସିଥିଲା, ତାହାରି ସହିତ ଯେ ଚିତ୍ରା ଯାଇଚି ଏଥିରେ କୌଣସି ସନ୍ଦେହ ନାହିଁ । ଚିତ୍ରା ମା ନିଜେ ନ ଆସି ଚିତ୍ରାକୁ ଡକେଇ ପଠେଇବା ମୂଳରେ ଯେ କୌଣସି ଅଭିସନ୍ଧି ରହିଛି ଆଉ ସେ ଅଭିସନ୍ଧିର ସୃଷ୍ଟିକର୍ତ୍ତା ଯେ କୁଚକ୍ରୀ ରଜନୀ ମହାନ୍ତି, ଅବିନାଶର ଏ ଧାରଣା ପ୍ରଥମରୁ ହିଁ ହୋଇଥିଲା । ରଜନୀ ମହାନ୍ତିର ବାସଭବନ, ମିଲ୍ ଆଖପାଖ ଖୋଜି କୌଣସିଠାରେ ତାକୁ ନ ପାଇ ସହରର କେତେକ ଉଚ୍ଚଧରଣର ହୋଟେଲ ଅନୁସନ୍ଧାନରେ ଆଜି ସକାଳୁ ସେ ବାହାରିଥିଲା-। କିନ୍ତୁ ଗ୍ରାଣ୍ଡ ହୋଟେଲରେ ରଜନୀ ମହାନ୍ତି ସହିତ ବିପିନକୁ ପାଇବ ବୋଲି ସେ କେବେ ଆଶା କରି ନ ଥିଲା । ଶେଷରେ ବିପିନକୁ ଛାଡ଼ି ରଜନୀ ମହାନ୍ତିକୁ ହିଁ ଅନୁସରଣ କରିବାକୁ ଶ୍ରେୟସ୍କର ମଣିଲା ସେ ।

 

ରାତି ସେତେବେଳକୁ ସାଢ଼େ ନଅଟା । ଅନେକଦୂର ଆସିଲା ପରେ ରଜନୀ ମହାନ୍ତି ଏକ ସିନେମା ହଲ୍‍ରେ ପଶିଲା । ଅବିନାଶ ପାଖ ପବ୍ଲିକ ଟେଲିଫୋନରୁ ଥାନାକୁ ଫୋନ କରି ସି.ଆଇ.ଡ଼ି କନେଷ୍ଟବଲଟିଏ ମଗେଇ ନେଇ ରଜନୀ ମହାନ୍ତି ଉପରେ ଦୃଷ୍ଟି ରଖିବାକୁ କହି ଥାନାକୁ ଫେରି ଆସିଲା ।

 

ଓଡ଼ିଶା ପୋଲିସ ରିପୋର୍ଟ ଦିଏ ରଜନୀ ମହାନ୍ତି ସେଇଦିନୁ ବ୍ରହ୍ମପୁରକୁ ଫେରି ନାହାନ୍ତି…… ଅବିନାଶକୁ ଦେଖିବା ମାତ୍ରେ ଥାନା ଇନଚାର୍ଜ ଅଫିସର କହିଲେ ।

 

କିନ୍ତୁ ରଜନୀ ମହାନ୍ତି ସେଇଦିନୁ ଏଇଠି ଅଛି ।

ଇଜ୍ ଇଟ୍ ମି: ମାନସିଂ ?

 

ହଁ, ରାତି ବିଟ୍‍ର କନେଷ୍ଟବଳ ଯେଉଁ ରିପୋର୍ଟ ଦେଇଥିଲା ଯେ ନରେନ୍ଦ୍ର ରାୟଙ୍କ ପୁରୁଣା କୋଠାରେ ରାତି ଶେଷ ପହରରେ ବତୀ ଜଳେ–

 

କିନ୍ତୁ ସେଠି ଯେ କେହି ରୁହନ୍ତି ନି ।

 

ସେଇଥିପାଇଁ ରଜନୀ ମହାନ୍ତି ଉପରେ ମୋର ସନ୍ଦେହ । ସେ ନିଜ ଘରେ ନ ରହି ହୋଟେଲରେ ଖାଉଚି; ପୁଣି ପ୍ରତିଦିନ ଅଲଗା ଅଲଗା ହୋଟେଲରେ । ନେସ୍‍ନାଲ, ପାରାଡ଼ାଇଜ୍, ଗ୍ରାଣ୍ଡ ହୋଟେଲର ମ୍ୟାନେଜରମାନେ ମଧ୍ୟ ରଜନୀ ମହାନ୍ତି ଟାଇପର ଲୋକ ଦେଖିଛନ୍ତି ବୋଲି ମତେ କହିଥିଲେ । କିନ୍ତୁ ଆଶ୍ଚର୍ଯ୍ୟ, ରାତିରେ କୌଣସି ହୋଟେଲରେ ତାକୁ ରହିବାର ଦେଖିଲିନି ।

 

ତାକୁ ଛାଡ଼ିଲେ କେଉଁଠି ?

 

ରକ୍‍ସି ସିନେମା ହାଉସରେ–କନଷ୍ଟେବଳଟିଏ ଜଗିଚି । ରଜନୀ ମହାନ୍ତି ପଛରେ ବିପିନ ଯେ ଲାଗିଚି ଏ ଧାରଣା ମୋର ନ ଥିଲା । ଗ୍ରାଣ୍ଡ ହୋଟେଲ ଭିତରେ ବିପିନ ଆଗରୁ ଅପେକ୍ଷା କରିଥିଲା ।

 

ସେ ପୁଣି କିଏ ?

ଚିତ୍ରା ଘରୁ ଆମ କବଳରୁ ଯେ ଖସି ଯାଇଥିଲା ।

Oh, he is a dangerous type...

 

ନାଁ ସାର ! ସେ ବରଂ ଆମ ଡିଟେକସନରେ ସାହାଯ୍ୟ କରୁଚି । କିନ୍ତୁ ରଜନୀ ମହାନ୍ତି ନିଶ୍ଚୟ ଚିତ୍ରାକୁ କାବୁ କରିଛି-ଆଉ ଯଦି ତା ସତ ହେଇଥାଏ ୟେ କୌଣସି ଶୁଭ ଲକ୍ଷଣ ନୁହେଁ । ରଜନୀ ମହାନ୍ତିକୁ ଦେଖିଲା ପରେ ମୁଁ କିପରି ଖୁନ୍‍ର ଗନ୍ଧ ପାଉଚି ।

 

କିନ୍ତୁ ସେମାନଙ୍କୁ ସେ କେଉଁଠି ରଖିଥାଇପାରେ ତା ବି ତ ଏ ପର୍ଯ୍ୟନ୍ତ ଆମେ ଜାଣିନେ-

 

ଏତିକିବେଳେ ଟେଲିଫୋନ୍ ରିଙ୍ଗ୍‍ ହେଲା । ଇନ୍‍ଚାର୍ଜ ଅଫିସର ରିସିଭର ଉଠେଇ କହିଲେ, ହାଲୋ ? ଓ, ନବୀନ ! ହୁଁ ! ଆଚ୍ଛା ! ଆଚ୍ଛା । ଫୋନ ରଖୁ ରଖୁ କହିଲେ, ମି. ମାନସିଂ ! ରକ୍‍ସି ପାଖରେ ନବୀନ କନଷ୍ଟେବଳ ଆପଣଙ୍କୁ ଚାହୁଁଚି ।

 

ମୁଁ ତେବେ ଯାଏ । ଫୋନ କଲେ ଆପଣ ଫୋର୍ସ ସହ ଯିବେ–କହି ଦ୍ରୁତ ପଦକ୍ଷେପରେ ଥାନାରୁ ବାହାରି ଆସିଲା ଅବିନାଶ ।

 

କୃଷ୍ଣପକ୍ଷର ଅନ୍ଧାର ଝଙ୍କାଳିଆ ଆମ୍ବ ଗଛ ଛାଇରେ ଆଉରି ନିବିଡ଼ ହେଇଚି । ସେଇ ଘନ ତମିସ୍ରା ଭିତରେ ଖୁବ୍ ଧୀରେ ଫାଟକ ଖୋଲି ଗୋଟିଏ ଛାୟାମୂର୍ତ୍ତି ପ୍ରବେଶ କଲା । ତାପରେ ନିଃଶବ୍ଦରେ ବାରଣ୍ଡାକୁ ଉଠି ଦି’ମହଲା ପ୍ରାସାଦର ସଦର ଦରଜା ତାଲା ଖୋଲିବାକୁ ଲାଗିଲା । ଭିତରକୁ ପଶିବା ପୂର୍ବରୁ ବାହାରକୁ ଥରେ ସତର୍କ ଦୃଷ୍ଟି ବୁଲେଇ ନେଇ ଯେମିତି ପାଦେ ଆଗେଇଚି, ସେ ଅନୁଭବ କଲା ତା ପଛ ପଟେ ଯେପରି କେହି ଆସୁଚି । ସେ ହଠାତ୍ ଛିଡ଼ା ହେଇ ମୁହଁ ବୁଲେଇବା ମାତ୍ରେ ଶୁଣିବାକୁ ପାଇଲା, ହ୍ୟାଣ୍ଡସ ଅପ୍ ! ପରମୁହୂର୍ତ୍ତରେ ନିଜ ପିଠିରେ ଏକ ରିଭଲଭରର ସ୍ପର୍ଶ ପାଇ ତା ହାତ ପକେଟକୁ ଯାଉଁ ଯାଉଁ ଅଟକିଗଲା ।

 

Lead on…..ପୁଣି ଶୁଭିଲା । ତାକୁ ଯେ ଏପରି କେହି ଆକ୍ରମଣ କରିପାରେ, ସେ ତା କଳ୍ପନା ବି କରି ନ ଥିଲା । ପୁଣି ଶୁଭିଲା, I say lead on sir । ପିସ୍ତଲଧାରୀ ଛାୟାମୂର୍ତ୍ତିଟି ଗମ୍ଭୀର କଣ୍ଠରେ ଆଦେଶ ଦେଲା । ଦୁଆର ଅତିକ୍ରମ କରି ଗଲା ପରେ ଟର୍ଚ୍ଚ ଲାଇଟ୍ ଆଲୁଅରେ ଦେଖାଗଲା ପ୍ରଶସ୍ତ ରୁମ୍‍ଟି ଖାଲି । ପାଖ ଦୁଇଟି ରୁମ୍ ମଧ୍ୟ ତାଲା ବନ୍ଦ ।

 

ବନ୍ଦୀ ଥିବା ରୁମ୍‍କୁ ଚାଲ ।

ବନ୍ଦୀ ? ମାନେ ?

ଏ ଘରେ ତମେ ଏକଲା ରୁହ ?

କିଏ ତୁ ? ମୁଁ ଜାଣିପାରେ କି ମତେ ଏପରି ଆକ୍ରମଣ କରିବା ମାନେ ?

ଚିତ୍ରା କାହିଁ ?

 

ଓହୋ ! ଗଳାଟିକୁ ବେଶ୍‍ ବାଗେଇଚ ଅବିନାଶ । ମୋରି ଛୁରୀ ମୋରି ବେକ । ନୁହେଁ ? ମୋ ଡିଫେନ୍ସ ପାଇଁ ତମକୁ ନିଯୁକ୍ତ କରିଥିଲି । ବର୍ତ୍ତମାନ ଦେଖୁଚି ସେ ଗ୍ୟାଙ୍ଗ୍‍ର ତମେ ବି ଜଣେ ଭକ୍ତ । ଟ୍ରେଚର୍‌ସ !

 

ଗୁଇନ୍ଦାମାନେ କେଭେ କ୍ରିମିନାଲମାନଙ୍କ ପାଇଁ ଓକିଲାତି କରନ୍ତିନି ମି. ମହାନ୍ତି । ଚିତ୍ରାକୁ କେଉଁଠି ରଖିଚ ?

 

ଚିତ୍ରା ନୁହେଁ ମି. ମାନସିଂ ! ମିସ୍ ମଣିବାଲା କୁହ । ଦସ୍ୟୁଦଳର ସଙ୍ଗିନୀ । ମୋ ଗୁଇନ୍ଦାର ପ୍ରେୟସୀ ।

 

No more talk– ମୁଁ କହୁଚି ଚିତ୍ରା ରୁମ୍‍କୁ ନେଇ ଚାଲ ।

ମୁଁ ସଫା କହୁଚି ଚିତ୍ରା ଏଠି ନାହିଁ ।

ତା ମୁଁ ଦେଖିନେବି ।

ବେଶ୍–

 

ଅବିନାଶ ଆଦେଶ ଅନୁସାରେ ରଜନୀ ମହାନ୍ତି ଗୋଟିକ ପରେ ଗୋଟିଏ ରୁମ୍ ଅତିକ୍ରମ କରି ଚାଲିଛନ୍ତି । ଅବିନାଶ ଗୋଟିଏ ହାତରେ ଟର୍ଚ୍ଚ ଅନ୍ୟ ହାତରେ ପିସ୍ତଲଟି ସେମିତି ଧରି ନିର୍ଦ୍ଦେଶ ଦେଉଥାଏ । ଲାଇଟଟି ବନ୍ଦ ହେବା ମାତ୍ରେ ଅବିନାଶ ଅନୁଭବ କଲା ତା ରିଭଲଭରଟି ଟିକିଏ ହଲିଗଲା, ଟର୍ଚ୍ଚ ଲାଇଟ୍ ମାରୁ ମାରୁ ମୁହଁରେ ଆସି ଶକ୍ତ ବିଧାଟାଏ ବସିଲା । ସେ ଥରେ ଫାୟାର କରି ଲକ୍ଷ୍ୟ ଠିକ୍ କରୁ କରୁ ରଜନୀ ମହାନ୍ତି ଅବିନାଶ ଉପରକୁ ଡେଇଁ ପଡ଼ି ଆକ୍ରମଣ କଲେ । ଅବିନାଶ ଆକ୍ରମଣଟି ସମ୍ଭାଳି ନେଇ ପ୍ରତି ଆକ୍ରମଣ କରୁ କରୁ ପୁଣି ଏକ ମୁଷ୍ଟି ଆସି ମୁହଁରେ ବସିଲା । ସେ ଅବଶ ହୋଇପଡ଼ି ଉଠୁ ଉଠୁ ଦେଖିଲା ରଜନୀ ମହାନ୍ତି ରୁମ୍‍ରୁ ଖସି ଗଲାଣି । ଅବିନାଶ ପଦାକୁ ଆସୁ ଆସୁ କବାଟ ସଙ୍ଗେ ସଙ୍ଗେ ବନ୍ଦ ହେଇଗଲା । ତାପରେ ଏକ ବିଦ୍ରୁପର ଅଟ୍ଟହାସ୍ୟ ଅନ୍ଧାରର ନିସ୍ତବ୍ଧତାକୁ ଆନ୍ଦୋଳିତ କରିଦେଲା । ଅବିନାଶ କବାଟକୁ ଖୁବ୍ ଜୋରରେ ଟାଣି ଟାଣି ଶେଷରେ ହତାଶ ହେଇ ଶିକୁଳି ସିଧା ଦୁଇଥର ଫାୟାର କଲା ।

 

ଅବିନାଶ ବାହାରକୁ ଆସି ଏକ ପ୍ରକାଣ୍ଡ ହଲରେ ଆସି ପହଞ୍ଚିଲା । ଉପର ମହଲାରେ ଏକ ରୁମ୍‍ରୁ ହଠାତ୍ ନାରୀ କଣ୍ଠର ଚିତ୍କାର ଶୁଣି ଅବିନାଶ ଅପଷ୍ଟେୟାର ଖୋଜିବାକୁ ଲାଗିଲା । ଶେଷରେ ସେ ଯେତେବେଳେ ଅପଷ୍ଟେୟାର ପାଖରେ ଆସି ପହଞ୍ଚିଲା, ଅନ୍ଧାରରେ ଦେଖିଲା ଚିତ୍ରାକୁ ରୁମ୍‍ରୁ ଟାଣି ଟାଣି ପାହାଚରେ ଓହ୍ଲେଇବାକୁ ଚେଷ୍ଟା କରୁଚି ରଜନୀ ମହାନ୍ତି । ଚିତ୍ରା ବୁକୁଫଟା ଚିତ୍କାର କରି ‘ମା ମା’ ରଡ଼ି ଛାଡ଼ୁଥାଏ ।

 

ଯେତେ ପାଟି କଲେ ବି କେହି ହେଲେ ଏ ରାତିରେ ଆସୁନି ମିସ୍ ମଣିବାଲା ! ପାଟି କଲେ ବାଧ୍ୟ ହେଇ ମୁହଁ ବନ୍ଦ କରି ଦେବି ! ହଠାତ୍ ହଲ୍‍ରେ କାହାର ଛାଇ ଦେଖି ସେ ଫାୟାର କଲା । ପରମୁହୂର୍ତ୍ତରେ ନିଜ ଉପରେ ଟର୍ଚ୍ଚ ଆଲୁଅ ପଡ଼ିବା ଦେଖି ତରୁଣୀଟିକୁ ନିଜ ଆଗରେ ରଖି ତା ବାହୁରେ ପିସ୍ତଲଟିକୁ ଦେଖେଇ କହିଲା, I challenge dear detective. କିନ୍ତୁ ମନେରୁହେ ଯେପରି ତମ ପ୍ରେୟସୀ ମୋ ବକ୍ଷ ଦେଶରେ ତମ ବୁଲେଟ ଆସି ପ୍ରିୟା ମୁଖ ଚୁମ୍ବନ ନ କରେ ଯେପରି…..

 

ତାପରେ ସବୁ ନିଶବ୍ଦ ହୋଇଗଲା । ରଜନୀ ମହାନ୍ତି ଧୀରେ ଧୀରେ ପାହାଚରେ ଓହ୍ଲେଇ ପଛପଟ ଦୁଆର ମୁହଁ ପାଖେ ପହଞ୍ଚିଚି ପୁଣି ତା ଉପରେ ଟର୍ଚ୍ଚଲାଇଟ୍ ପଡ଼ିଲା । ସେ ବୁଲିପଡ଼ି ଲାଇଟ୍ ଆସୁଥିବା ଦିଗକୁ ଦୁଇତିନିଥର ଫାୟାର କଲା । ତାପରେ କବାଟ ଖୋଲି ଯେପରି ଆଗେଇଚି ଦେଖିଲା ସଙ୍ଗିନଧାରୀ ପୋଲିସ ସହ ପୋଲିସ ଇନ୍‍ସପେକ୍ଟର ମାଡ଼ି ଆସୁଛନ୍ତି । ସେ ହଠାତ୍ କବାଟ ବନ୍ଦ କରି ଦେଇ ଚିତ୍ରାକୁ ଟାଣି ଟାଣି ଉପରକୁ ନେଇଗଲା । ମଝିରେ ଅବିନାଶ ଟର୍ଚ୍ଚ ଲାଇଟ୍ ମାରି ରଜନୀ ମହାନ୍ତିର ଗତିପଥ ଦେଖୁଥାଏ । ଏତେବେଳକୁ ପୋଲିସ ଦଳ ପଛ କବାଟ ଭାଙ୍ଗି ଭିତରେ ପ୍ରବେଶ କରି ସାରିଥାନ୍ତି । ଅବିନାଶ ରଜନୀ ମହାନ୍ତି ପଶିଥିବା ରୁମ୍ ଆଗରେ ଆସି ପହଞ୍ଚିଲା । ଉପରକୁ ଚିତ୍କାର କରି କହିଲା, ସାର !

 

ଅପଷ୍ଟେୟାର ଦେଇ ଆସନ୍ତୁ । ତାପରେ କବାଟ ପିଟି ଚିତ୍କାର କଲା, ରଜନୀ ବାବୁ ! କବାଟ ଖୋଲ ।

 

ମନେରୁହେ ଯେପରି ମି. ମାନସିଂ ! ମିସ୍ ମଣିବାଲା…... My detective’s beloved ହା-ହା-ହା-ହା ଉଦ୍‍ଭ୍ରାନ୍ତ ପରି ହସି ଉଠିଲେ ଘର ଭିତରେ ରଜନୀ ମହାନ୍ତି ।

 

ଅନ୍ୟନ୍ୟୋପାୟ ହେଇ ସମସ୍ତ ପୋଲିସ ଫଉଜ ସହ ଅବିନାଶ ଓ ଇନ୍‍ସପେକ୍ଟର ଛିଡ଼ା ହୋଇ ରହିଲେ ବାହାରେ ।

 

କିନ୍ତୁ ଭିତରେ ହଠାତ୍ ଦୁଇଥର ଗୁଳି ଶବ୍ଦ ଶୁଣି ଏମନେ ଚମକି ପଡ଼ିଲେ । ଏମାନେ ଲକ୍ଷ୍ୟ କଲେ ଭିତରେ ଯେପରି କୁସ୍ତାକୁସ୍ତି ଚାଲିଛି । ଇନ୍‍ସପେକ୍ଟରଙ୍କ ଇଙ୍ଗିତ ମାତ୍ରେ କବାଟ ଭାଙ୍ଗି ଦିଆଗଲା ।

 

ରଜନୀ ମହାନ୍ତି ରୁମ୍ ଭିତରେ ପଶି ଭିତରୁ କବାଟ ବନ୍ଦ କରି ଦେଇ ଚିତ୍ରାକୁ ଯେପରି ଧକା ଦେଇ ପକେଇ ଦେବାକୁ ଚେଷ୍ଟା କଲେ, ଚିତ୍ରା ସୁବିଧା ଦେଖି ପିସ୍ତଲ ଧରିଥିବା ତାଙ୍କ ହାତକୁ ପ୍ରାଣପଣେ କାମୁଡ଼ି ଧଇଲା । ପିସ୍ତଲଟା ତଳମୁହାଁ ହୋଇ ଦୁଇଥର ଗର୍ଜି ଉଠି ଦୂରକୁ ଛିଟିକି ଗଲା-। ରଜନୀ ବାବୁ ଚିତ୍ରା ଚୁଟିକୁ ଖୁବ୍ ଜୋରରେ ଝିଙ୍କି ଦେଇ ପିସ୍ତଲଟିକୁ ଧରିବା ପାଇଁ ଉଦ୍ୟତ ହେଉଛନ୍ତି ପୋଲିସ ଇନ୍‍ସପେକ୍ଟର ଗର୍ଜି ଉଠିଲେ, ହ୍ୟାଣ୍ଡସ ଅପ୍ ! ତାପରେ ପୋଲିସ ଫଉଜ ତା ଚାରିପାଖେ ଘେରିଗଲେ । ରଜନୀ ବାବୁ ତଳୁ ଉଠିବା ଅବସରରେ ବାଁ ହାତରେ ଛାତି ପକେଟରୁ ରୁମାଲଟା କାଢ଼ି ନେଇ ମୁହଁ ପୋଛୁ ପୋଛୁ ଇନ୍‍ସପେକ୍ଟର ଆଗେଇ ଆସି ହ୍ୟାଣ୍ଡକପ୍ ପିନ୍ଧେଇ ଦେଇ କହିଲେ, ମି. ମହାନ୍ତି ! ଖୁନ୍ କରିବା ପାଇଁ ଷଡ଼ଯନ୍ତ୍ର କରିବା ଅପରାଧରେ ତମକୁ ଆରେଷ୍ଟ କରାଗଲା ।

 

ମୁଁ ଏଥିପାଇଁ ପ୍ରସ୍ତୁତ ଥିଲି ଇନ୍‍ସପେକ୍ଟର ! କିନ୍ତୁ ଖୁବ୍ ଡେରି ହେଇଗଲା ।

ମାନେ ?

 

କିଛିକ୍ଷଣ ପରେ ବିଷାକ୍ତ ଟାବ୍‍ଲେଟ୍‍ର କ୍ରିୟା ମୋ ଦେହରେ ଚାଲିବ । ତାପରେ ମୁଁ ଗୋଟାଏ ମୁର୍ଦ୍ଦାରରେ ପରିଣତ ହେଇଯିବି । ମୁହଁ ପୋଛିବାବେଳେ ମୁଁ ତା ଖାଇ ନେଇଛି । ମୋ ରୁମାଲରେ ସେଗୁଡ଼ିକ ଆଗରୁ ପ୍ରସ୍ତୁତ ହେଇଥିଲା ।

 

ଏଁ, ତମେ ସତ କହୁଚ ?

ହା-ହା-ହା...ହସଟି ଆସ୍ତେ ଆସ୍ତେ କ୍ଷୀଣରୁ କ୍ଷୀଣତର ହେଇ ଆସିଲା ।

ଗୋଟାଏ ମଲା ମଣିଷ ଉପରେ ମିଥ୍ୟାର ଆରୋପ ? ତାପରେ ସେ ଢଳି ପଡ଼ିଲେ ।

ମି. ମାନସିଂ ଡାକ୍ତର !

ହଁ ଡାକ୍ତର ! ଆଃ ! ଅବିନାଶ ତମେ ଭାଗ୍ୟବାନ ।

ଆଚ୍ଛା ରଜନୀ ବାବୁ, ମଣିବାଲା ଉପରେ ଆପଣଙ୍କର କିପରି ସନ୍ଦେହ ହେଲା ?

 

ଗୋପାଳପୁରର ସେ ଗ୍ୟାଙ୍ଗ୍ ମୋଠୁ ଲେଖାଇ ନେବା ପରେ ମୁଁ ସନ୍ଦେହ କରିଥିଲି । ତାପରେ ତମ ରୁମ୍‍ରୁ ମଣିବାଲାର ଗୋଟାଏ ଚିଠି ପାଇଲି, ଆଉ ତା ସଙ୍ଗେ ସଙ୍ଗେ ଗୋଟିଏ ଫଟ ଦେଖି ହଠାତ୍ ଚିତ୍ରା କଥା ମନେପଡ଼ିଲା । ୮ ବର୍ଷ ପରେ ଚିତ୍ରା ଯେ ବଞ୍ଚିଥାଇ ପାରେ ଏ ଧାରଣା ମୁଁ କରି ନ ଥିଲି । ସେଇ ରାତିରୁ ତମ ଉପରେ ମଧ୍ୟ ସନ୍ଦେହ ହେଲା । ଟ୍ରଙ୍କ ଟେଲିଫୋନ ଯୋଗେ ସେ ରାତିରେ ମୋ ମ୍ୟାନେଜରଠୁ ଖବର ପାଇଲି ଯେ ଚିତ୍ରା ନାମ୍ନୀ ଏକ ଝିଅ ତା ବାପ ଉଇଲ ବଳରେ ମୋ ବ୍ୟବସାୟ ସବୁ ବନ୍ଦ କରିଦେଇଚି । ଉଃ...କିନ୍ତୁ ଇନ୍‍ସପେକ୍ଟର...ଅଃ...ଚିତ୍ରା ଉପରେ ଯେପରି କୌଣସି ପ୍ରକାର..ଚାର୍ଜ...

 

ଶେଷ । ଇନ୍‍ସପେକ୍ଟର ସଟ୍‍ ହ୍ୟାଣ୍ଡରେ ନୋଟ କରୁ କରୁ ହଠାତ୍ ରହିଗଲେ ।

 

ମୃତ୍ୟୁ ସବୁବେଳେ ଧିର ପଦକ୍ଷେପରେ ଆସେ ସାର୍ । ଆଜି ସନ୍ଧ୍ୟାରେ ରଜନୀ ବାବୁଙ୍କ ସହିତ ଦେଖା ହୋଇ ନ ଥିଲେ ସେ ହୁଏତ ନିଜ କାମରେ କୃତକାର୍ଯ୍ୟ ହୋଇଥାନ୍ତେ । କିନ୍ତୁ ଆପଣ କିପରି ଖବର ପାଇଲେ ?

 

ରାତି ଗୋଟାଏବେଳେ କେହି ଜଣେ ପବ୍ଲିକ ଟେଲିଫୋନ କଲରୁ ଖବର ଦେଲା ଏଠି କୌଣସି ଗୋଳମାଳ ଚାଲିଛି । ସେ ଆପଣଙ୍କୁ ବି ଖୋଜୁଥିଲା ।

 

ଓ ବିପିନ, the seller of words.....ମୁଁ ଜାଣେ ସାର୍, ସେ ମୋ ସହିତ କଣ୍ଟ୍ରାକ୍ଟ କରିବ ।

 

କେତେକ ପଏଣ୍ଟରେ ସେମାନେ ନିଜ ନିଜର ସନ୍ଦେହ ମୋଚନ କରୁଥିବାବେଳେ ଚିତ୍ରା ମୂର୍ଚ୍ଛା ଯାଇଥିବା ତା ମା ପାଖରେ ବସି କାନ୍ଦି ଚାଲିଥିଲା ।

 

ଏ ଘଟଣାର ଏକ ବିୟୋଗାନ୍ତ ପରିସମାପ୍ତି ହେଲା । ଏକ ଦୀର୍ଘ ପତ୍ରରେ ତରୁଣ ଗୁଇନ୍ଦା ଅବିନାଶ ମାନସିଂ ବ୍ରହ୍ମପୁର ପୋଲିସ ଇନ୍‍ସପେକ୍ଟର ଶ୍ରୀକାନ୍ତ ବାବୁଙ୍କୁ ଲେଖିଲେ- ପାର୍କ ଭିଉ ହୋଟେଲରେ ଥିବା ସର୍ଦ୍ଦାର ଶ୍ରୀଚରଣ ସିଂଙ୍କୁ ଅନୁସରଣ କରି ମୁଁ କଲିକତା ଆସିଲି । ତା ପରଦିନ ଟ୍ରଙ୍କ ଟେଲିଫୋନ ଯୋଗେ ରଜନୀ ବାବୁ ଅନ୍ତର୍ଦ୍ଧାନ ହେଇଯିବା ଖବର ଶୁଣି ମୁଁ ଅନୁମାନ କରି ନେଲି ଯେ ସେ ଏଠାକୁ ନିଶ୍ଚୟ ଆସିବେ । ଶେଷରେ ସେ ଏଠାକୁ ଆସିଲେ ଏବଂ ହୋଟେଲରେ ଖାଇ ପିଇ ଗୋପନ ସ୍ଥାନରେ ରହିବାକୁ ଲାଗିଲେ । ମୁଁ କିନ୍ତୁ ସର୍ଦ୍ଦାର ଉପରେ ଦୃଷ୍ଟି ରଖିଥାଏ । କଥାଟା ମୂଳରୁ କୁହେ ।

 

ଏ ଘଟଣାର ସୂତ୍ରପାତ ହେଇଚି କଲିକତାର ହିନ୍ଦୁ ମୁସଲମାନ ସଂଘର୍ଷ ବେଳୁ । ନରେନ୍ଦ୍ର ରାୟ ନାମକ ଏକ ଶିଳ୍ପପତି ପାଖରେ ରଜନୀ ମହାନ୍ତି ମ୍ୟାନେଜର ଥିଲେ । କଲିକତାର ହଣାକଟାବେଳେ ନରେନ୍ଦ୍ର ବାବୁ ହଣା ଖାଇଲେ କିନ୍ତୁ ତାଙ୍କ ବିଧବା ସ୍ତ୍ରୀ ଓ ଝିଅ ଚିତ୍ରା ସନ୍ଦେହ କଲେ ଯେ ତାଙ୍କୁ କୌଶଳରେ ହତ୍ୟା କରାଯାଇଛି । ସେତେବେଳେ ଏ ସବୁ ଅନୁସନ୍ଧାନ କରିବା ପରିସ୍ଥିତିରେ କଲିକତା ପୋଲିସ ନ ଥିଲେ । ନରେନ୍ଦ୍ର ବାବୁଙ୍କ ମୃତ୍ୟୁର ପ୍ରାୟ ୧୫ ଦିନ ପରେ ରଜନୀ ବାବୁଙ୍କ ଘରେ ଗୁଣ୍ଡାମାନେ ଆକ୍ରମଣ କଲେ । ତାଙ୍କ ସ୍ତ୍ରୀ ଓ ପିଲାଙ୍କୁ ହାଣି ପକେଇ ଯେତେବେଳେ ରଜନୀ ବାବୁଙ୍କୁ ଆକ୍ରମଣ କଲେ ସେ ସେମାନଙ୍କୁ ଅଜସ୍ର ଧନ ସଙ୍ଗେ ୧୫ ବର୍ଷର ଝିଅ ଚିତ୍ରାକୁ ସମର୍ପଣ କରି ଦେଇ ଆତ୍ମରକ୍ଷା କଲେ ।

 

ନରେନ୍ଦ୍ର ବାବୁ ମଲାବେଳେ ବ୍ୟାଙ୍କରେ ତାଙ୍କର ପଚାଶ ହଜାର ଟଙ୍କା ନଗଦ ଜମା ଥିଲା । ଆଗରୁ ସେ ଏକ ଉଇଲ ମଧ୍ୟ ନିଜ ଝିଅ ନାଁରେ କରିଯାଇଥିଲେ । ରଜନୀ ମହାନ୍ତି ବିଧବା ସରଳା ଦେବୀଙ୍କୁ ହାତ କରି କୌଶଳରେ ସେ ଟଙ୍କା ସବୁକୁ ଆତ୍ମସାତ୍ କଲେ । ଏତିକିବେଳେ ବିପିନ ପଟ୍ଟନାୟକ ସହିତ ତାଙ୍କର ପରିଚୟ ହୁଏ । ବିପିନ ମଧ୍ୟ ଏ ଚକ୍ରାନ୍ତରେ ସମ୍ପୃକ୍ତ ଥିଲା ଏବଂ ଏ ବିଷୟ ଗୁପ୍ତ ରଖିଲେ ଗୋଟାଏ ମୋଟା ରକମ ପୁରସ୍କାର ପାଇବ ବୋଲି ରଜନୀ ବାବୁଙ୍କଠୁ ପ୍ରତିଶ୍ରୁତି ପାଇଥିଲା । ଆସ୍ତେ ଆସ୍ତେ ରଜନୀବାବୁ କାଗଜପତ୍ର ଜାଲ କରି ନରେନ୍ଦ୍ର ବାବୁଙ୍କ ମିଲ୍‍କୁ ଦେବାଳିଆ ଘୋଷଣା କରି ମିଲ୍‍କୁ ନିଜର କରି ନେଲେ ଏବଂ ବ୍ରହ୍ମପୁରରେ ଉକ୍ତ ମିଲ୍‍ର ହେଡ଼ ଅଫିସସ୍ୱରୂପ ଶିଳ୍ପଶ୍ରୀ ଏଣ୍ଡ. କୋ. ଖୋଲିଲେ । ସେତେବେଳକୁ ରଜନୀ ବାବୁ ସରଳା ଦେବୀଙ୍କୁ ସ୍ଥାନାନ୍ତରିତ କରି ଏକ ଗୁପ୍ତ ସ୍ଥାନରେ ରଖିଥାନ୍ତି ଏବଂ ବିପିନକୁ ନିଜ ବ୍ୟବସାୟରେ ଦଲାଲି ନିଯୁକ୍ତ କରିଥାନ୍ତି ।

 

ଏଇପରି ପାଞ୍ଚ ଛ’ ବର୍ଷ ବିତିଲା । ରଜନୀ ବାବୁ ନିଜ ବ୍ୟବସାୟରେ ସୁପ୍ରତିଷ୍ଠିତ ହୋଇ ସାରିଥାନ୍ତି । କିନ୍ତୁ ସେ ଦିନ ଆକସ୍ମିକ ଭାବରେ ପଚାଶ ହଜାର ଟଙ୍କା ହରଣଚାଲ ହେଇଯିବା ପରେ ତାଙ୍କ ଭାଗ୍ୟର ବିପର୍ଯ୍ୟୟ ଆରମ୍ଭ ହେଲା । ଏତେବର୍ଷକାଳ ଅପେକ୍ଷା କରି ବିପିନ ତା ପ୍ରାପ୍ୟ ନ ପାଇବାରୁ ରଜନୀ ମହାନ୍ତି ସହିତ ତାର ବିରୋଧ ହେଲା । ଏତିକିବେଳେ ମୁଁ ତାଙ୍କ କାମରେ ନିଯୁକ୍ତ ହେଲି ଏବଂ ଏତିକିବେଳେ ତାଙ୍କ ଜୀବନକାଶରେ ଅଶୁଭ ତାରକାସ୍ୱରୂପ ମିସ୍ ମଣିବାଲାର ହେଲା ଆବିର୍ଭାବ ।

 

ରଜନୀ ବାବୁଙ୍କ ପଛେ ଲାଗିଥିବା ଗ୍ୟାଙ୍ଗ୍‍ର ସୁଯୋଗ ନେଇ ବିପିନ ତାଙ୍କୁ ବ୍ଲାକମେଲ କରିବାକୁ ଚେଷ୍ଟା କଲା ଏବଂ ସେଦିନ ରାତିରେ ବିପିନ ହିଁ ନରେନ୍ଦ୍ର ବାବୁଙ୍କ ଉଇଲ ଏବଂ ସରଳା ଦେବୀଙ୍କଠାରୁ ଆଣିଥିବା ହୀରା ହାର ରଜନୀ ବାବୁଙ୍କ ଗୁପ୍ତ ଆଲମୀରାରୁ ଚୋରି କରିଥିଲା । ଏ ବିଷୟ ବିପିନ ଛଡ଼ା କେହି ଜାଣି ନ ଥିଲେ । ରଜନୀ ବାବୁ ଜାଣି ସୁଦ୍ଧା ନିଜ ପଛ ଇତିହାସ ଜଣାପଡ଼ିବା ଭୟରେ ପୋଲିସ ଆଗରେ ବିପିନ ନାଁ ପ୍ରକାଶ କଲେ ନାହିଁ । ସେଇଦିନ ମୁଁ ଜାଣିଲି ରଜନୀ ମହାନ୍ତି ଜଣେ କୁଚକ୍ରୀ । ବେଳେବେଳେ କ୍ରିମିନାଲ୍‍ମାନେ ଆଇନଠୁ ଦୟା ପାଇବା ଉଦ୍ଦେଶ୍ୟରେ ଆଇନକୁ ନିଜ ଆଡ଼କୁ ଟାଣନ୍ତି । ଏଇ ଦୃଷ୍ଟିରୁ ମତେ ନିଯୁକ୍ତ କରି ଶେଷରେ ଯେତେବେଳେ ଦେଖିଲେ ଆଇନ ତାଙ୍କ ପକ୍ଷ ସମର୍ଥନ କରୁନି, ସେ ଏକ ପ୍ରକାର ପାଗଳ ହେଇଗଲେ ।

 

ହଁ, ୟା ଭିତରେ ବିପିନ କଲିକତା ଆସି ସରଳା ଦେବୀଙ୍କୁ ସ୍ଥାନାନ୍ତରିତ କଲା । ଏ ବିଷୟ ରଜନୀ ବାବୁ ଜାଣିପାରି କଲିକତା ଆସିଲେ । ଏତିକିବେଳେ ମିସ୍ ମଣିବାଲା ଛୁଟି ନେଇ ଅନ୍ତର୍ଦ୍ଧାନ ହେଇଗଲା । ରଜନୀ ବାବୁ କଲିକତାରୁ ଫେରି ଗ୍ୟାଙ୍ଗ୍ ଫାନ୍ଦିରେ ପଡ଼ିଲେ ଏବଂ ସେଠୁ ଉଦ୍ଧାର ହେଇ ଆସିବା ରାତିରେ କଲିକତାରୁ ଚିତ୍ରା ତା ବାପ ସମ୍ପତ୍ତି ଦାବି କରୁଥିବା ଖବର ପାଇ ଗୋପନରେ କଲିକତା ଚାଲି ଆସିଲେ ।

 

ମୁଁ କଲିକତା ଆସି ସେ ସର୍ଦ୍ଦାର ଉପରେ ଦୃଷ୍ଟି ରଖିବା ସଙ୍ଗେ ସଙ୍ଗେ ଚିତ୍ରାର ଲିଗାଲ୍ ଆଡ଼ଭାଇଜରଙ୍କ ଠିକଣା ସଂଗ୍ରହ କଲି ଏବଂ ପ୍ରକୃତରେ ଚିତ୍ରା ନାମ୍ନୀ ଝିଅଟି ରଜନୀବାବୁଙ୍କ ମିଲ୍‍କୁ ଦାବି କରୁଥିବା ବିଷୟରେ ନିଃସନ୍ଦେହ ହେଲି କିନ୍ତୁ ଉକ୍ତ ଝିଅଟିର ରୂପ ବର୍ଣ୍ଣନାରୁ ମଣିବାଲା ରୂପର ଯଥେଷ୍ଟ ସାମଞ୍ଜସ୍ୟ ଶୁଣି ମୁଁ ଯେତେବେଳେ ଚିତ୍ରା ଠିକଣାରେ ଅନୁସନ୍ଧାନ କଲି ମୁଁ ମଧ୍ୟ ପ୍ରଥମେ ମୋ ଆଖିକୁ ବିଶ୍ୱାସ କରିପାରିଲିନି । ଏ ରହସ୍ୟର କିଛି ଆଦିଅନ୍ତ ବୁଝି ନ ପାରି ମୁଁ କେବଳ ପରିସ୍ଥିତିକୁ ଲକ୍ଷ୍ୟ କରୁଥାଏ । ସର୍ଦ୍ଦାର ତା ପ୍ଲାନ ଅନୁଯାୟୀ ଚିତ୍ରାକୁ ଆକ୍ରମଣ କଲା । ମୁଁ ପୋଲିସକୁ ଖବର ଦେଇ ଆସୁ ଆସୁ ଦେଖିଲି ଚିତ୍ରା ଘରେ ସର୍ଦ୍ଦାର ପଛରେ ବିପିନ ରହିଛି ଆଉ ବିପିନ ହୀରା ହାରଟିର ଲୋଭରେ ସର୍ଦ୍ଦାରକୁ ଖାପଚାରେ ପକେଇଥାଏ । ସର୍ଦ୍ଦାରକୁ ସେଠି ଆରେଷ୍ଟ କରାଗଲା । କଲିକତା ପୋଲିସ ଏ ଲୋକଟିକୁ ଚିହ୍ନଟ କଲା ଏବଂ କଲିକତା ସଂଘର୍ଷରେ ଲିପ୍ତ ଥିବା ଯୋଗୁଁ ତା ନାଁରେ ୱାରେଣ୍ଟ ଥିଲା । ବିପିନ କିନ୍ତୁ ଆମ ଫାନ୍ଦରୁ ଖସିଗଲା । ଏ ଘଟଣା ଘଟିବା ପରେ ଚିତ୍ରାକୁ ନଜରବନ୍ଦୀରେ ରଖାଗଲା କିନ୍ତୁ ପୋଲିସ ପହରା ଦଉଥିବା ସତ୍ତ୍ୱେ ତା ପରଦିନ ଚିତ୍ରାର କୌଣସି ପତ୍ତା ମିଳିଲାନି । ଏ ବିଷୟ କାଗଜରେ ପଢ଼ିଥିବେ ।

 

ଦୁଇଦିନ ଅପେକ୍ଷା କରି ଚିତ୍ରା ନ ଆସିବାରୁ ମୁଁ ରଜନୀବାବୁଙ୍କୁ ସନ୍ଦେହ କଲି ଏବଂ ରଜନୀବାବୁଙ୍କ ଉଦ୍ଦେଶ୍ୟରେ କଲିକତାର ସବୁ ହୋଟେଲ ତନ୍ନ ତନ୍ନ କରି ଖୋଜିଲି । ଯେତେବେଳେ ରଜନୀବାବୁଙ୍କୁ ଗୋଟିଏ ହୋଟେଲରେ ପାଇଲି, ସେତେବେଳେ ସେ ଏକେଲା ନ ଥିଲେ । ବିପିନ ତାଙ୍କ ପଛ ଧରି ତା ପ୍ରାପ୍ୟ ଦାବି କରୁଥାଏ ଏବଂ ନ ଦେଲେ ପୋଲିସକୁ ସବୁ କହିଦେବ ବୋଲି ଧମକ ହେଉଥାଏ । ରଜନୀବାବୁ ବିପିନକୁ ଅପମାନ ଦେଇ ହୋଟେଲରୁ ବାହାରି ଆସିଲେ କିନ୍ତୁ ବିପିନ ଆମକୁ ଖବର ଦେବା ପୂର୍ବରୁ ମୁଁ ତାଙ୍କୁ ନରେନ୍ଦ୍ର ବାବୁଙ୍କ ପୁରୁଣା କୋଠାରେ ରାତି ଅଧରେ ଆକ୍ରମଣ କଲି ।

 

ଚିତ୍ରା ମା ଓ ଚିତ୍ରାକୁ ସେଠାରେ ସେ ବନ୍ଦ କରି ରଖିଥିଲେ । ବିପିନ କିନ୍ତୁ ଶେଷ ମୁହୂର୍ତ୍ତରେ ପୋଲିସକୁ ଖବର ଦେଇ ନ ଥିଲେ ଚିତ୍ରାକୁ ଆମେ ଜୀବନରେ ବୋଧେ ପାଇ ନ ଥାନ୍ତୁ-। ରଜନୀବାବୁଙ୍କୁ ଆରେଷ୍ଟ କଲା ପୂର୍ବରୁ ସେ ବିଷାକ୍ତ ଟାବ୍‍ଲେଟ୍ ଖାଇ ଆତ୍ମହତ୍ୟା କଲେ । ମରିବା ପୂର୍ବରୁ ସେ ସ୍ୱୀକାର କରି ଯାଇଛନ୍ତି ଯେ ଚିତ୍ରା ଉପରେ ତାଙ୍କର କୌଣସି ସନ୍ଦେହ ନାହିଁ ଏବଂ ପୋଲିସ ଯେପରି ତାକୁ କୌଣସିଥିରେ ଚାର୍ଜ ନ କରେ ।

 

ସାକ୍ଷାତ୍‍ରେ ସବୁ ।

 

ପୋଲିସ ସାହେବଙ୍କୁ ଚିଠିଟି ପଢ଼ି ଶୁଣେଇ ସାରିବା ପରେ ଶ୍ରୀକାନ୍ତ ବାବୁ କହିଲେ, ସାର୍ ! ମଣିବାଲା କ’ଣ ଅନ୍ତର୍ଦ୍ଧାନ ହେଇଗଲା ?

 

ଏଥିରୁ ଆଉ କ’ଣ ବୁଝିଲ ? ତାପରେ ସେ ସାମାନ୍ୟ ହସି କହିଲେ, ମଣିବାଲା ଅନ୍ତର୍ଦ୍ଧାନ ହବା ପରେ ଚିତ୍ରାର ହେଲା ଆବିର୍ଭାବ and our detective got a lady.

 

ଶ୍ରୀକାନ୍ତ ବାବୁଙ୍କ ସନ୍ଦେହ ମୋଚନ ହେଇଗଲା ମାସକ ପରେ ଯେତେବେଳେ ଏକ ଭୋଜି ସଭାରେ ଚିତ୍ରା ଓ ଅବିନାଶର ନିମନ୍ତ୍ରଣ ପତ୍ର ସେ ପାଇଲେ ।

 

ନିମନ୍ତ୍ରିତ ଅତିଥିମାନଙ୍କ ତାଲିକାରେ ଯେଉଁମାନଙ୍କ ନାଁ ଥିଲା, ସେଥିମଧ୍ୟରୁ ବିପିନ ପଟ୍ଟନାୟକ ନାଁ ସହିତ ଓଡ଼ିଶାର ଅନ୍ୟତମ ବିଖ୍ୟାତ ଗୁଇନ୍ଦା ଯୁଗଳ ନବୀନ ରାୟ ଓ ପ୍ରକାଶ ମହାନ୍ତିଙ୍କ ନାଁ ମଧ୍ୟ ଥିଲା ।

Image